ଭୁବନେଶ୍ବର : ଚାକିରି ଦେବା ଆଳରେ ଶତାଧିକ ଆଶାୟୀଙ୍କଠାରୁ ୨ କୋଟି ଟଙ୍କା ଠକିନେବା ଘଟଣାରେ ବ୍ୟୁରୋ ଅଫ୍ ଇମିଗ୍ରେସନ୍(ବିଓଆଇ) କିନ୍ନି ଇନ୍ଫୋଟେକ୍ର ଅନ୍ୟତମ ନିର୍ଦ୍ଦେଶକ ନିଶା କଶ୍ୟପ ବିରୋଧରେ ଲୁକ୍-ଆଉଟ୍ ସର୍କୁଲାର୍ (ଏଲ୍ଓସି) ଜାରି କରିଛି। କ୍ରାଇମ୍ବ୍ରାଞ୍ଚ୍ର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)ର ନିବେଦନକ୍ରମେ ନିଶା ବିରୋଧରେ ବିଓଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଓଡବ୍ଲୁ ଏସ୍ପି ଦିଲ୍ଲୀପ କୁମାର ତ୍ରିପାଠୀଙ୍କ ସୂଚନାକ୍ରମେ, ଚାକିରି ଠକେଇ ରାକେଟ୍ର ମାଷ୍ଟରମାଇଣ୍ଡ୍ ଭିକୁ ବିଷୋୟୀର ପତ୍ନୀ ହେଉଛି ନିଶା। ଉଭୟ ଭିକୁ ଓ ନିଶାଙ୍କ ସମେତ ମଣିକନ୍ଦନ ଭଂଜନଗରରେ ପ୍ରାୟ ୧୦ରୁ ଊର୍ଦ୍ଧ୍ବ ସଂସ୍ଥା ଖୋଲିଥିଲେ। ଏହି ସଂସ୍ଥାରେ ପିଲାଙ୍କୁ ଠିକାରେ ଚାକିରି ଦେବା ନାଁରେ ସେମାନେ ଆଶାୟୀଙ୍କଠାରୁ ଟଙ୍କା ଆଦାୟ କରିଥିଲେ। ପ୍ରାୟ ୧୬୬ଜଣ ଆଶାୟୀଙ୍କଠାରୁ ୨କୋଟି ଟଙ୍କା ଆଦାୟ କରିବା ପରେ ରାତାରାତି ସଂସ୍ଥା ବନ୍ଦ କରି ଗାଏବ୍ ହୋଇ ଯାଇଥିଲେ।
ଏନେଇ ପ୍ରଥମେ ଭଂଜନଗର ଥାନାରେ ଅଭିଯୋଗ ହେବା ପରେ ମାମଲା ଇଓଡବ୍ଲୁ ପାଖକୁ ହସ୍ତାନ୍ତର ହୋଇଥିଲା। ଘଟଣାର ତନାଘନା ପରେ ଜଣାପଡ଼ିଥିଲା ଯେ କିନ୍ନି ଇନ୍ଫୋଟେକ୍ର ବ୍ୟାଙ୍କ୍ ଆକାଉଣ୍ଟ୍କୁ ଯାଇଥିବା ୨କୋଟି ଟଙ୍କାରୁ ୩୮ଲକ୍ଷ ୭୮ହଜାର ୫ଶହ ଟଙ୍କା ସିମ୍ବ୍ରୁକ୍ସ ଭର୍ଚୁଆଲ୍ ଟେକ୍ ସଲ୍ୟୁସନ୍ ନାମକ ସଂସ୍ଥାର ବ୍ୟାଙ୍କ୍ ଆକାଉଣ୍ଟ୍କୁ ଯାଇଥିଲା। ଉକ୍ତ ସଂସ୍ଥାର ମାଲିକ ବାବଦରେ ଖୋଳତାଡ଼ କରିବା ପରେ ଜଣାପଡ଼ିଥିଲା, ନିଶା ଏହାର ନିର୍ଦ୍ଦେଶିକା। ପରେ ନିଶା ରହୁଥିବା ଦିଲ୍ଲୀସ୍ଥିତ ବାସଭବନରେ ଇଓଡବ୍ଲୁ ଚଢ଼ଉ କରିଥିଲେ ହେଁ କୌଣସି ସୁଫଳ ମିଳି ନଥିଲା। ନିଶା ତାଙ୍କ ସ୍ବାମୀ ଭିକୁ ଓ ରାକେଟ୍ର ଅନ୍ୟତମ ଠକ ମଣିକନ୍ଦନ ସହିତ ଲୁଚିଥିବା ସନ୍ଦେହ କରାଯାଉଛି। ଅପରପକ୍ଷେ ନିଶାଙ୍କ ପୂର୍ବରୁ ଇଓଡବ୍ଲୁ ଭିକୁ ଓ ମଣିକନ୍ଦନ ବିରୋଧରେ ଏଲ୍ଓସି ଜାରି କରିଥିଲା। ଫେରାର୍ ୩ ଅଭିଯୁକ୍ତଙ୍କ ବାବଦରେ ସୂଚନା ଦେଲେ ଇଓଡବ୍ଲୁ ଖବରଦାତାଙ୍କୁ ପୁରସ୍କାର ଦେବ ବୋଲି ବିଜ୍ଞପ୍ତି ଜାରି କରିଛି। ଏହାସହ ସୂଚନା ଦେବା ପାଇଁ ୯୪୩୯୨୧୬୪୫୧ ଫୋନ୍ ନମ୍ବର ଜାରି କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/nisha-kashapya.jpg)