୨ ଲକ୍ଷ କୋଟି ନିବେଶ ବାଟ ଖୋଲିଲା

ଭାରତୀୟ ତୈଳନିଗମ ଖଟାଇବ ଲକ୍ଷେ କୋଟି
ଯାଜପୁରରେ ପ୍ଲାଣ୍ଟ୍‌ ବସାଇବ ଜିନ୍ଦଲ ଇଣ୍ଡିଆ
ହଳଦିଆ ପେଟ୍ରୋକେମିକାଲ୍ସ ଓ ତାଳଚେର ଫର୍ଟିଲାଇଜର୍ ପ୍ରକଳ୍ପକୁ ଅନୁମୋଦନ
୨୭ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ଆକଳନ

ଭୁବନେଶ୍ବର : ଗୋଟିଏ ଦିନରେ ରାଜ୍ୟରେ ଆଜି ୨ ଲକ୍ଷ ୪ ହଜାର ୬୯ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ବାଟ ପରିଷ୍କାର େହାଇଛି। ଭାରତୀୟ ତୈଳ ନିଗମ ସମେତ େମାଟ ପାଞ୍ଚଟି ନିବେଶ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଆଜି ସନ୍ଧ୍ୟାରେ ଖାରବେଳ ଭବନ ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨୦ତମ ଉଚ୍ଚସ୍ତରୀୟ ଅନୁମୋଦନ କର୍ତ୍ତୃପକ୍ଷ (ଏଚଏଲସିଏ) ବୈଠକରେ ଏହି ସବୁ ପ୍ରସ୍ତାବ ମଞ୍ଜୁରି ପାଇଁ ଅଣାଯାଇଥିଲା। ପ୍ରଥମଥର ଲାଗି ଏଚ୍‌ଏଲ୍‌ସିଏ ବୈଠକରେ ଏତେ ବିପୁଳ ପରିମାଣର ପୁଞ୍ଜିନିବେଶ ପ୍ରସ୍ତାବକୁ ସରକାର ଅନୁମତି ପ୍ରଦାନ କରିଥିବା କୁହାଯାଉଛି।

ଶିଳ୍ପ ସଚିବ ସଂଜୀବ ଚୋପ୍ରା କହିଛନ୍ତି, ଆଜି ମଞ୍ଜୁର କରାଯାଇଥିବା ନିବେଶ ପ୍ରସ୍ତାବଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୨୭,୬୪୫ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ରାସାୟନିକ ଓ ପେଟ୍ରୋ କେମିକାଲ୍ସ ଏବଂ ଆନୁଷଙ୍ଗିକ ଧାତୁ କ୍ଷେତ୍ରର ପ୍ରସ୍ତାବଗୁଡ଼ିକୁ ଆଜି ଅନୁମୋଦନ ପ୍ରଦାନ କରାଯାଇଛି।

ଶିଳ୍ପ ସଚିବ କହିଛନ୍ତି, ଇଣ୍ଡିଆନ ଅଏଲ ପକ୍ଷରୁ ୧ଲକ୍ଷ ୩୦୦ କୋଟି ଟଙ୍କା ବିନିଯୋଗରେ ପାରାଦୀପ ରିଫାଇନାରି ପ୍ରକଳ୍ପର ସଂପ୍ରସାରଣ ଏବଂ ନୂତନ ୟୁନିଟ୍ ସ୍ଥାପନ କରିବା ଲାଗି ଯେଉଁ ପ୍ରସ୍ତାବ ଦିଆଯାଇଥିଲା ତାହାକୁ ମଞ୍ଜୁରି ମିଳିଛି। ଏହି ପ୍ରକଳ୍ପ ଦ୍ବାରା ୧୨,୫୯୫ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଏହା ମାଧ୍ୟମରେ କମ୍ପାନି ପାରାଦୀପସ୍ଥିତ ନିଜର ବିଶୋଧନାଗାରକୁ ବର୍ତ୍ତମାନର ୧୫ ନିୟୁତ ଟନରୁ ୨୫ ନିୟୁତ ଟନକୁ ବୃଦ୍ଧି କରିବ ଓ ଏକ ନାପଥା ୟୁନିଟ ସ୍ଥାପନ କରିବ। ଏହି ଡୁଆଲ କ୍ରାକର ନାପଥା ୟୁନିଟର କ୍ଷମତା ବାର୍ଷିକ ୩-୪ ନିୟୁତ ଟନ୍‌ ରହିବ।

ଇଣ୍ଡିଆନ ଅଏଲର ଆଉ ଏକ ୯୧୩୬ କୋଟି ଟଙ୍କାର ପ୍ରକଳ୍ପକୁ ମଧ୍ୟ ମଞ୍ଜୁରି ମିଳିଛି। ପାରାଦୀପରେ କମ୍ପାନି ବାର୍ଷିକ ୧.୪ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ଏଥିଲିନ ୟୁନିଟ, ବାର୍ଷିକ ୦.୬୫ ନିୟୁତ ଟନ କ୍ଷମତା ବିଶିଷ୍ଟ ପ୍ରୋପିଲିନ ୟୁନିଟ ଓ ବାର୍ଷିକ ୬୫୦ କିଲୋଟନ କ୍ଷମତା ବିଶିଷ୍ଟ ପଲି-ପ୍ରୋପିଲିନ ୟୁନିଟ ସ୍ଥାପନ କରିବ। କମ୍ପାନି ପୂର୍ବରୁ ଓଡ଼ିଶାରେ ୩୫ ହଜାର କୋଟି ନିବେଶ କରିସାରିଛି ।

ସେହିପରି ତାଳଚେରଠାରେ ତାଳଚେର ଫର୍ଟିଲାଇଜର ଲିମିଟେଡ୍ ପକ୍ଷରୁ ୧୪,୭୩୨ କୋଟି ଟଙ୍କା ବିନିଯୋଗରେ ସ୍ଥାପନ କରାଯିବାକୁ ଥିବା କୋଇଲା ଭିତ୍ତିକ ୧.୯୯ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ୟୁରିଆ ସାର କମ୍ପ୍ଲେକ୍ସ ପ୍ରସ୍ତାବକୁ ଉଚ୍ଚସ୍ତରୀୟ କମିଟି ଅନୁମତି ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପ ଜରିଆରେ ୫୫୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ େବାଲି କୁହାଯାଇଛି।

ହଲଦିଆ ପେଟ୍ରୋକେମିକାଲ୍‌ସ ଲିମିଟେଡ୍ ପକ୍ଷରୁ ବାଲେଶ୍ବରର ସୁବର୍ଣ୍ଣରେଖା ବନ୍ଦର ନିକଟରେ ୭୮,୨୨୫ କୋଟି ଟଙ୍କା ବିନିଯୋଗରେ ସ୍ଥାପନ କରାଯିବାକୁ ଥିବା ହାଇଡ୍ରୋକାର୍ବନ ପ୍ରୋସେସିଂ କମ୍ପ୍ଲେକ୍ସ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରି ଦିଆଯାଇଛି। ଏହି ପ୍ରକଳ୍ପରେ ୧୦ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଯାଜପୁରର କଳିଙ୍ଗନଗର ଶିଳ୍ପାଞ୍ଚଳରେ ୧୬୭୬ କୋଟି ଟଙ୍କା ବିନିଯୋଗରେ ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ପକ୍ଷରୁ ସ୍ଥାପନ କରାଯିବାକୁ ଥିବା ୦.୫୦ ନିୟୁତ ଟନ୍‌ର ଷ୍ଟିଲ୍ ପ୍ରୋସେସିଂ ପ୍ଲାଣ୍ଟ୍‌ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୧୩୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ସମ୍ବନ୍ଧିତ ଖବର