ସୁନ୍ଦରଗଡ଼/ସବଡେଗା: ତଳସରା ଥାନା କିରାଲଗାକୁ ଦୁଇ ଅଜ୍ଞାତ ବନ୍ଧୁକଧାରୀ ବାଇକ୍ରେ ଆସି ଗାଁର ଜଣେ ବ୍ୟକ୍ତି ପରମେଶ୍ବର ନାଏକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୨ ଲକ୍ଷ ଟଙ୍କା ମାଗିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଗତ ୮ ତାରିଖ ରାତି ସାଢ଼େ ୮ଟାରେ ଘଟଣାଟି ଘଟିଥିବା ପ୍ରକାଶ କରିଛନ୍ତି ପରମେଶ୍ବର। ତେବେ ପାଖ ଘରର ଜଣେ ମହିଳା ଟର୍ଚ୍ଚ ଲାଇଟ୍ ପକାଇବାରୁ ଦୁର୍ବୃତ୍ତମାନେ ଧମକ ଦେଇ ଚାଲିଯାଇଥିଲେ ବୋଲି କହିଛନ୍ତି ସେ।
ଏ ସମ୍ପର୍କରେ ସେ ତଳସରା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତନାଘନା ଚଲାଇଛି। ପରମେଶ୍ବରଙ୍କ ଅଭିଯୋଗ ଅନୁସାରେ, ଗତ ୮ ତାରିଖ ରାତି ସାଢ଼େ ୮ଟାରେ ଘର ପାଖ ନଳକୂପରେ ଗୋଡ଼ହାତ ଧୋଇ ଫେରୁଥିବା ବେଳେ ଏକ ବାଇକ୍ରେ ଦୁଇ ଜଣ ବନ୍ଧକୁଧାରୀ ଆସି ହଠାତ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ମାଗିବା ସହ ଘର କବାଟ ଖୋଲିବାକୁ କହିଥିଲେ। ଠିକ୍ ଏହି ସମୟରେ ପଡ଼ୋଶୀ ଘର ମହିଳା କ’ଣ ହେଲା କହି ଟର୍ଚ୍ଚ ଲାଇଟ୍ ପକାଇବାରୁ ଗୁଳି ମାରି ଉଡ଼ାଇ ଦେବୁ ବୋଲି ଧମକ ଦେଇ ସେଠାରୁ କୁରୁମକେଲ ଆଡ଼କୁ ପଳାଇ ଯାଇଥିଲେ।
ଏହା ପୂର୍ବରୁ ଗତ ମେ’ ୧୫ ତାରିଖରେ ମଧ୍ୟ ଦୁଇ ବନ୍ଧୁକଧାରୀ ଆସି ଟଙ୍କା ନଦେଲେ ଜୀବନରେ ମାରିଦେବୁ ବୋଲି ଧମକ ଦେଇ ଯାଇଥିବା ପ୍ରକାଶ କରିଛନ୍ତ ପରମେଶ୍ବର। ତେବେ ଏ ଘଟଣା ପଛରେ କିଏ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏକଦା ସୀମାରେ ଆତଙ୍କ ଖେଳାଇ ଉଭାନ ହୋଇଯାଇଥିବା ପିଏଲଫ୍ଆଇ ଗୋଷ୍ଠୀ ପୁଣି ଜାଗିଛନ୍ତି ନା କୌଣସି ଅସାମାଜିକ ତତ୍ତ୍ବ ଟଙ୍କା ପାଇଁ ଏପରି ଧମକ ଦେଇଛି ତାହା ସ୍ପଷ୍ଟ ହୋଇ ନାହିଁ।