ହିଞ୍ଜିଳିକାଟୁ: ପଛୁଆବର୍ଗ କୋଟାରେ ବ୍ରହ୍ମପୁର ଉପକଣ୍ଠ ନିଷ୍ଟ୍ କଲେଜରେ ବିଟେକ୍ ପାଠ୍ୟକ୍ରମରେ ନାମ ଲେଖାଇ ଦେବାକୁ କହି ଜଣେ ଛାତ୍ରଙ୍କୁ ଠକେଇ ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ଛାତ୍ରଜଣକ ହେଲେ,  ବଇଞ୍ଚବଣିଆର ପଦ୍ମଲୋଚନ ପୋଲାଇ। କିଛି ଦିନ ତଳେ ତାଙ୍କ ପଛୁଆବର୍ଗରେ ନାମ ଲେଖାଇବା ପାଇଁ ହ୍ବାଟ୍ସ୍‌ଆପ୍‌‌‌ରେ ଏକ ନମ୍ବରରୁ ମେସେଜ୍ ଆସିଥିଲା। ଉକ୍ତ ବ୍ୟକ୍ତିଜଣକ ଏକ ଏଜୁକେସନ୍ କନସଲଟାନ୍ସି କରିବା କହିଥିଲେ। ଏଥିପାଇଁ ଫି’ ମଧ୍ୟ ‌ଡିପୋଜିଟ୍ କରିବାକୁ ଉଲ୍ଲେଖ କରାଯାଇଥିଲା। ପଦ୍ମଲୋଚନ ଏଥିରେ ବିଶ୍ବାସ କରି ଅନଲାଇନ୍ ଜରିଆରେ ୮ ଟି କିସ୍ତିରେ ମୋଟ ୨ ଲକ୍ଷ ୩୯ ହଜାର ଟଙ୍କା ପଠାଇଥିଲେ। କିନ୍ତୁ ମେସେଜ୍ ପଠାଇଥିବା ବ୍ୟକ୍ତିଜଣକ‌ ମୋବାଇଲ୍ ସୁଇଚ୍ ଅଫ୍ କରିବା ସହ କୌଣସି ମେସେଜ୍ ବି ପଠାଇ ନଥିଲେ। ପରେ ସେ ଠକାମିର ଶିକାର ହୋଇଥିବା ଜାଣିପାରିଥିଲେ। ପଦ୍ମଲୋଚନଙ୍କ ବାପା ବସନ୍ତ ପୋଲାଇ ଘଟଣା ସଂପର୍କରେ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। କେସ୍ ନମ୍ବର ୬୪୭ ଅନୁସାରେ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ଅଭିମନ୍ୟୁ ଦାଶ ସୂଚନା ଦେଇଛନ୍ତି।