ବିଭିନ୍ନ ସ୍ଥାନରେ ନିର୍ବାଚନ ଫ୍ଲାଇଂ ସ୍କ୍ବାଡ୍‌ର ଯାଞ୍ଚ : ୨୭ ଲକ୍ଷ ଫିଙ୍ଗି ଛୁ’, ବିଜେଡି ପ୍ରାର୍ଥୀଙ୍କ ଗାଡ଼ିରୁ ୨ ଲକ୍ଷ ଜବତ

ରାଉରକେଲା/ ପାରଳା‌େଖମୁଣ୍ଡି/ଭବାନୀପାଟଣା/ ଜୟପାଟଣା/ ସିନାପାଲି : ନିର୍ବାଚନ ଫ୍ଲାଇଂ ସ୍କ୍ବାଡ୍‌ ରାଜ୍ୟର ବିଭିନ୍ନ ସ୍ଥାନରେ ଗାଡ଼ି ଯାଞ୍ଚ କରି ଲକ୍ଷଲକ୍ଷ ଟଙ୍କା ଜବତ କରିଛି। ସେଥିମଧ୍ୟରୁ ରାଉରକେଲାରେ ସର୍ବାଧିକ ୨୭.୫ ଲକ୍ଷ ଟଙ୍କା ଜବତ କରାଯାଇଛି। ଧରାପଡ଼ିବା ଭୟରେ ଏକ ଅଡ଼ି କାର୍‌ରେ ଥିବା ଲୋକମାନେ ଏତେ ପରିମାଣର ଟଙ୍କା ଥିବା ବ୍ୟାଗ୍‌କୁ ଫିଙ୍ଗି ଛୁ’ ମାରିଛନ୍ତି। ନିର୍ବାଚନ ପାଇଁ ଏହି ଟଙ୍କା ଝାଡ଼ଖଣ୍ଡରୁ ଆସିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସେହିଭଳି, ଆଉ କେତେକ ସ୍ଥାନରେ ମଧ୍ୟ ଅନୁରୂପ ଭାବେ ଚଢ଼ାଉ କରାଯାଇ ଲକ୍ଷ ଲକ୍ଷ ଟଙ୍କା ଜବତ କରାଯାଇଛି। ଲାଞ୍ଜିଗଡ଼ ବିଜେଡି ପ୍ରାର୍ଥୀ ପ୍ରଦୀପ ଦିଶାରୀଙ୍କ ଗାଡ଼ିରୁ ବି ୨ ଲକ୍ଷରୁ ଉର୍ଧ୍ବ ଟଙ୍କ‌ା ଜବତ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ବିଶ୍ରା ଭାଲୁଲତା ନିକଟସ୍ଥ ମହିପାଣି ଠାରେ ନିର୍ବାଚନ ସ୍କ୍ବାଡ ଓ ପୁଲିସ ପକ୍ଷରୁ ଆଜି ଯାନବାହାନ ଖାନତଲାସି ଚାଲିଥିଲା। ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଏକ ନମ୍ବର ବିହୀନ ଅଡି କାର୍‌ ଝାଡ଼ଖଣ୍ଡ ସୀମାନ୍ତ ଜରେଇକେଲା ପଟୁ ବିଶ୍ରା ଆଡକୁ ଆସୁଥିଲା। ଗାଡ଼ି ମୋଟର ଅଟକାଇ ତଲାସି ହେଉଥିବା ଦେଖି ଅଡି କାର୍‌ ଚାଳକ କିଛି ଦୂରରେ ଗାଡିକୁ ଅଟକାଇଥିଲା। କାର୍‌ରେ ଚାଳକଙ୍କ ସମେତ ୨ ଜଣ ବସିଥି‌ଲେ। ସେମାନଙ୍କ ମଧ୍ୟରୁ ଜଣେ ଏକ ବ୍ୟାଗ୍‌କୁ ଗାଡ଼ି ଭିତରକୁ ବାହାରକୁ ଫୋପାଡି କାର୍‌ ବୁଲାଇ ଆସିଥିବା ରାସ୍ତାରେ ଦ୍ରୁତ ଗତିରେ ଫେରି ଯାଇଥିଲେ। ଖାନତଲାସି ଟିମ୍‌ ସେମାନଙ୍କ ପିଛା କରିଥିଲେ ବି କାର୍‌ ଝାଡ଼ଖଣ୍ଡ ଭିତରକୁ ପଳାଇ ଯିବାକୁ ସକ୍ଷମ ହୋଇଥିଲା।

ରାସ୍ତା କଡ଼ରେ ପଡ଼ିଥିବା ବ୍ୟାଗ୍‌କୁ ଯାଞ୍ଚ କରିବା ବେଳେ ସେଥିରେ ୨ ହଜାର ଓ ୫ଶହ ଟଙ୍କିଆ ବିଡ଼ା ରହିଥିଲା, ଯାହାର ପରିମାଣ ୨୭ ଲକ୍ଷ ୪୯ ହଜାର ୫ଶହ ଟଙ୍କା ।

ଏହାପରେ ଟଙ୍କା ବ୍ୟାଗ୍‌କୁ ପ୍ରଥମେ ବିଶ୍ରା ଥାନା ଓ ସେଠାରୁ ରାଉରକେଲା ଅଣାଯାଇ ପାନପୋଷ ଟ୍ରେଜେରିରେ ରଖାଯାଇଛି। ତେବେ ଝାଡ଼ଖଣ୍ଡ ସୀମାରେ ଓଡ଼ିଶାର ଜରେଇକେଲା ଫାଣ୍ଡି, ଝାଡ଼ଖଣ୍ଡ ରାଜ୍ୟର ଜରେଇକେଲା ଥାନା ଏବଂ ରେଳ ଫାଟକ ଥିବା ବେଳେ କାର୍‌କୁ ଧରା ନ ପଡ଼ିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସେହିଭଳି, କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଲାଞ୍ଜିଗଡ଼ ବିଜେଡି ପ୍ରାର୍ଥୀ ପ୍ରଦୀପ ଦିଶାରୀଙ୍କ ଗାଡିରେ ସ୍କ୍ବାଡ୍‌ ପକ୍ଷରୁ ଯାଞ୍ଚ କରାଯାଇ ୨ଲକ୍ଷ ୪୫ ହଜାର ୫୩୦ ଟଙ୍କା ଜବତ କରାଯିବା ଘଟଣା ସାଧାରଣରେ ଚାଞ୍ଚଲ୍ୟ ଖେଳିଯାଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ନିର୍ବାଚନ ଫ୍ଲାଇଂ ସ୍କ୍ବାଡ୍‌ ପକ୍ଷରୁ କୌଣସି ସୂତ୍ରରୁ ଖବର ପାଇ ଜୟପାଟଣା ସହରରେ ପହଞ୍ଚିଥିଲେ। ଆ‌ଜି ସକାଳ ସାଢେ ୧୧ଟାରେ ଲାଞ୍ଜିଗଡ ବିଜେଡି ପ୍ରାର୍ଥୀ ପ୍ରଦୀପ ଦିଶାରୀଙ୍କ ଇନୋଭା ଗାଡିରେ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ୨ଲକ୍ଷ ୪୫ ହଜାର ୫୩୦ ଟଙ୍କା ଜବତ କରାଯାଇଥିଲା। ଇନୋଭା ଗାଡିକୁ ଜବତ କରି ଭବାନୀପାଟଣା ଟାଉନ ଥାନାରେ ରଖାଯାଇଛି।

ଅନ୍ୟପକ୍ଷରେ, ଖଡ଼ିଆଳ ନିର୍ବାଚନମଣ୍ତଳୀ ପାଇଁ ନିଯୁକ୍ତ ୩ ନମ୍ବର ଫ୍ଲାଇଂ ସ୍କ୍ବାଡ୍‌ ଦ୍ବାରା ଏକ ବଲେରୋ ଗାଡ଼ିରୁ ଏକ ଲକ୍ଷ ଟଙ୍କା ଜବତ କରାଯାଇଛି। ସଂପୃକ୍ତ ଗାଡ଼ି ଚାଳକ ତଥା ଗାଡ଼ିର ମାଲିକ ସତପାଲ ସିଂ ଛାବଡ଼ାଙ୍କ ଠାରୁ ଉକ୍ତ ଟଙ୍କା ସହିତ କଂଗ୍ରେସ ଦଳର ଏଜେଣ୍ଟ ଫର୍ମ, ବୁଥ୍‌ଲିଷ୍ଟ ଓ ଅନ୍ୟ କାଗଜପତ୍ର ଜବତ କରାଯାଇଛି। ଶ୍ରୀ ଛାବଡ଼ା ଏହି ଟଙ୍କା ବିଭିନ୍ନ ବୁଥରେ ଦଳୀୟ ଏଜେଣ୍ଟ ନିଯୁକ୍ତି ପାଇଁ ଖର୍ଚ୍ଚ କରିବାକୁ ନିଆଯାଉଥିଲା ବୋଲି ପ୍ରକାଶ କରିଛନ୍ତି। ଫ୍ଲାଇଂ ସ୍କ୍ବାଡ୍‌ର ମୁଖ୍ୟ ଲକ୍ଷ୍ମଣ ମାଝୀ ଏବଂ ପୁଲିସ ଏସ୍‌ଆଇ କୁଳମଣି ବୋର୍ଡା ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଗାଡ଼ିଟି ବୋଡ଼େନ ଅ‌ଞ୍ଚଳରୁ ସିନାପାଲିକୁ ଆସୁଥିବା ବେଳେ ନିଲଜୀ ନିକଟରେ ଫ୍ଲାଇଂ ସ୍କ୍ବାଡ୍‌ ଧରିଥିଲା ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର