ଲୋଭରେ ଫସିଲେ ବୃଦ୍ଧା : କୋଡ଼ିଏ ଲକ୍ଷ ଟଙ୍କା ଠକାମିର ଶିକାର

ପୁରୀ : ଫେସ୍‌ବୁକ୍‌ରେ ସାଙ୍ଗ ହୋଇ ସମ୍ପର୍କ ବଢ଼ାଇ ଜଣେ ବିଦେଶୀ ବୋଲାଉଥିବା ସାଇବର କ୍ରିମିନାଲ ପୁରୀ ସଦର ଥାନା ଲେନ୍‌ର ଜନୈକା ବୃଦ୍ଧାଙ୍କଠାରୁ ପ୍ରାୟ ୨୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଛି। ଏହି ସାଇବର ଅପରାଧୀର ପରାମର୍ଶ କ୍ରମେ ବିଭିନ୍ନ ଆକାଉଣ୍ଟରେ ଥର ଥର କରି ଟଙ୍କା ଜମା କରି ଫସିଯାଇଥିବା ଜାଣିବା ପରେ ଏହି ୮୦ ବର୍ଷିୟା ବୃଦ୍ଧା ଜଣକ ବାଧ୍ୟ ହୋଇ ଗତ ୧୪ ତାରିଖ ଦିନ କଟକସ୍ଥିତ କ୍ରାଇମ୍‌ବ୍ରାଞ୍ଚ ଅଫିସକୁ ଯାଇ ସେଠାରେ ଲିଖିତ ଅଭିଯୋଗ କରିଛନ୍ତି। ଗତକାଲି କ୍ରାଇମ୍‌ବ୍ରାଞ୍ଚର ତିନି ଜଣିଆ ଟିମ୍‌ ପୁରୀକୁ ଆସି ଏହି ବୃଦ୍ଧାଙ୍କ ଘରେ ଦୀର୍ଘ ତିନି ଘଣ୍ଟା କାଳ ତଦନ୍ତ କରି ଫେରିଛନ୍ତି। ଖବର ନେବାରେ ଜଣାପଡ଼ିଛି, ପୁରୀର ଜଣେ ଜଣାଶୁଣା ଆଇନଜୀବୀଙ୍କ ବିଧବା ବୃଦ୍ଧା ପତ୍ନୀଙ୍କ ସହିତ ଆରନ୍‌ ଜାକସନ୍‌ ନାମକ ଜନୈକ ଆମେରିକୀୟ ଯୁବକ ଫେସ୍‌ବୁକ୍‌ରେ ସମ୍ପର୍କ ଯୋଡ଼ିଥିଲେ। ତିନି ମାସ ଧରି ସେମାନେ ଫେସ୍‌ବୁକ୍‌ରେ ସମ୍ପର୍କକୁ ନିବିଡ଼ କରି ଦେଇଥିଲେ। ବୃଦ୍ଧାଙ୍କୁ ଆରନ୍‌ ମା’ ବୋଲି ସମ୍ବୋଧନ କରି ଗତ ସେପ୍ଟେମ୍ବର ୯ ତାରିଖରୁ ହ୍ବାଟ୍‌ସଆପ୍‌ ମାଧ୍ୟମରେ ଚାର୍ଟିଂ ଓ ଭିଡିଓ କଲିଂ କରି କିଛି ଉପହାର ପଠାଉଛନ୍ତି ବୋଲି କହିଥିଲେ। ଏହି ଉପହାର ପ୍ୟାକେଟରେ ମା’(ବୃଦ୍ଧା)ଙ୍କ ପାଇଁ ପ୍ରାୟ ୭୭ ଲକ୍ଷ ୪୫ ହଜାର ଟଙ୍କାର ସୁନା, ହୀରାର ଅଳଙ୍କାର ଓ ପାଉଣ୍ଡ ପଠାଇଥିବା ଆରନ୍‌ କହିଥିଲେ। ଏହା ପରେ ତାଙ୍କୁ ଆରନ୍‌ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଏକ୍ସାଇଜ ଆଣ୍ଡ୍‌ କଷ୍ଟମ୍‌ସ ବିଭାଗ ପକ୍ଷରୁ ଏକ ଜାଲ୍‌ ଚିଠି ପଠାଇଥିଲା।

ଚିଠିରେ ଏୟାରପୋର୍ଟରେ ଉପହାରଟି ଅଟକି ଯାଇଥିବା ନେଇ (ଚିଠି)ରେ ସୂଚନା ଆସିଥିଲା। ଏହାକୁ ନେବା ପାଇଁ ଟଙ୍କା ଡିପୋଜିଟ୍‌ କରିବାକୁ ହେବ ବୋଲି ଆରନ୍‌ କହିବା ସହିତ କଷ୍ଟମ୍‌ସର ଚିଠି ମଧ୍ୟ ତାଙ୍କ ପାଖକୁ ଆସିଥିଲା। ଆରନ୍‌ କଥାରେ ଫସି ବୃଦ୍ଧା ଜଣକ କ୍ରମାଗତ ଭାବେ ଲକ୍ଷାଧିକ ଟଙ୍କା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍‌, ଷ୍ଟେଟ୍‌ ବ୍ୟାଙ୍କର ବିଭିନ୍ନ ଆକାଉଣ୍ଟ୍‌ରେ ଡିପୋଜିଟ୍‌ କରିଥିଲେ। ସେହିପରି ଇନ୍‌କମ୍‌ ଟ୍ୟାକ୍ସ ଛାଡ଼ କରିବା ପାଇଁ ଗତ ସେପ୍ଟେମ୍ବର ମାସ ୧୯ ତାରିଖ ଦିନ ୭ ଲକ୍ଷ ୫୮ ହଜାର ଟଙ୍କା ମଧ୍ୟ ଡିପୋଜିଟ୍‌ କରିଥିଲେ। ପ୍ରାୟ ୨୦ ଲକ୍ଷରୁ ଅଧିକ ଟଙ୍କା ବୃଦ୍ଧା ଜଣକ ଦାଖଲ‌ କରିବା ପରେ ଆରନ୍‌ ଆଉ ଫୋନ୍‌ ଧରିନଥିଲା। ତେଣୁ ସେ ସାଇବର କ୍ରାଇମ୍‌ରେ ଫସିଯିବା ଜାଣିବା ପରେ ଜଣେ ଆଇନଜୀବୀଙ୍କ ସହାୟତାରେ ସେ କ୍ରାଇମ୍‌ବ୍ରାଞ୍ଚରେ ଅଭିଯୋଗ କରିଥିଲେ। ଏହି ବୃଦ୍ଧାଙ୍କ ଲୋଭ ଏତେ ମାତ୍ରାରେ ରହିଥିଲା ଯେ ସେ ପୁରୀର କିଛି ବିଶିଷ୍ଟ ବ୍ୟକ୍ତିବିଶେଷଙ୍କଠାରୁ ଟଙ୍କା କରଜରେ ନେଇ ସାଇବର ଅପରାଧୀ ଆରନ୍‌ କହିଥିବା ଆକାଉଣ୍ଟରେ ଡିପୋଜିଟ୍‌ କରିଥିଲେ। ଏବେ ଏହି ଟଙ୍କା ହରାଇ ବୃଦ୍ଧା ଜଣକ ମୁଣ୍ଡରେ ହାତ ଦେଇ ବସିଛନ୍ତି। ସେହିପରି ତାଙ୍କୁ ଆର୍ଥିକ ସହାୟତା କରିଥିବା ବ୍ୟକ୍ତିବିଶେଷ ମଧ୍ୟ ଚିନ୍ତାରେ ପଡ଼ିଯାଇଛନ୍ତି।

ସମ୍ବନ୍ଧିତ ଖବର