ଚାକିରି ନାଁ’ରେ ଅନ୍‌ଲାଇନ୍‌ କମ୍ପାନିର ଜାଲ : ପାଟଣାଗଡ଼ ଅଞ୍ଚଳରୁ ୨୦ ଲକ୍ଷ ଠକିନେଲେ

ଲରମ୍ଭା : ରୋଜଗାର ଲୋଭ ଦେଖାଇ ଏକ ଅନ୍‌ଲାଇନ୍‌ କମ୍ପାନି ପାଟଣାଗଡ଼ ଅଞ୍ଚଳର ଯୁବକମାନଙ୍କଠାରୁ ୨୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ପ୍ରଥମେ ସାମାନ୍ୟ କିଛି ଟଙ୍କା ଦେବା ପରେ ସଂପୃକ୍ତ କମ୍ପାନି ଗତ ଦୁଇମାସ ମଧ୍ୟରେ ଆଉ କାହାରିକୁ ଟଙ୍କା ଦେଇ ନାହିଁ। ଏବେ ସେହି ଯୁବକମାନେ ମାନସିକ ଚାପରେ ରହିଛନ୍ତି। ଅନ୍ୟପକ୍ଷରେ ଏନେଇ କେହି ପୁଲିସରେ ଅଭିଯୋଗ କରି ନଥିବା ଜଣାପଡ଼ିଛି।

ଠକେଇର ଶିକାର ‌ହୋଇଥିବା ‌ଯୁବକମାନଙ୍କ ଅଭିଯୋଗ ଅନୁସାରେ, ଓଏମ୍‌ଜି ବ୍ରୋସ୍‌ ନାମରେ ତିଆରି ହୋଇଥିବା ଏକ ମୋବାଇଲ ଆପ୍‌ ଦ୍ବାରା ଯୁବକମାନେ ଟଙ୍କା ନିବେଶ କରି ଲାଭବାନ ହୋଇ ପାରିବେ ବୋଲି କୁହାଯାଇଥିଲା। ପ୍ରଥମେ କମ୍ପାନିର ଆପ୍‌ ଡାଉନଲୋଡ଼ କରି ମୋବାଇଲ ନମ୍ବର ଓ ପାସ୍‌ୱାଡ଼ ଦେଇ ଆଇଡି ତିଆରି କରିଥିଲେ। ଏହାପରେ ନିଜ ସମ୍ବଳ ଅନୁଯାୟୀ ୫ଶହ ଟଙ୍କାରୁ ଆରମ୍ଭ କରି ଅଧିକ ରିର୍ଚାଜ୍ କରିଥିଲେ। ୫ ଶହ ଟଙ୍କାର ରିର୍ଚାଜ୍ ପରେ ପ୍ରତିଦିନ ୩୦ଟି ଟାସ୍କ୍‌ ପୂରଣ କରିବାକୁ ପଡ଼ିଥିଲା। ସେ ଅନୁସାରେ କମ୍ପାନି ତରଫରୁ ୪୦ରୁ ୫୦ ଟଙ୍କା ନିଜ ୱାଲେଟରେ ଜମା ହୋଇଥିଲା। ସେହିପରି ୧୦ ହଜାର ରିଚାର୍ଜ କରିଥିବା ବ୍ୟକ୍ତିଙ୍କ ୱାଲେଟରେ ପ୍ରତିଦନ ୮ଶହରୁ ୯ ଶହ ଟଙ୍କା ଜମା ହୋଇଥିଲା। ଏହି ଜମା ରାଶିକୁ ନିଜ ବ୍ୟାଙ୍କ ଖାତକୁ ନେବା ପାଇଁ ବ୍ୟାଙ୍କ ଏକାଉଣ୍ଟ ନମ୍ବର ସହିତ ‌ଯୋଡ଼ିଥିଲେ। ପ୍ରଥମେ ଯୋଡ଼ି ହୋଇଥିବା ଯୁବକମାନଙ୍କୁ କମ୍ପାନି ଟଙ୍କା ପଇଠ କରିଥିଲା। ଫଳରେ ଲୋକଙ୍କ ବିଶ୍ବାସ ବଢ଼ିବା ସହିତ ଲୋକେ ୧୦ ହଜାରରୁ ୫୦ ହଜାର ଓ ତାପରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିଥିଲେ। ଏହାପରେ ଗତ ଦୁଇ ମାସ ହେଲା କମ୍ପାନି ଆଉ ଟଙ୍କା ଦେଉ ନାହିଁ। ଏପରି ଭାବେ କେବଳ ପାଟଣାଗଡ଼ ଅଚଂଳରୁ ୨୦ ଲକ୍ଷରୁ ଅଧିକ ଟଙ୍କା କମ୍ପାନି ନେଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର