ନୟାଗଡ଼/ରଣପୁର: ନୟାଗଡ଼ ଅବକାରୀ ବିଭାଗ ସ୍କ୍ବାଡ୍କୁ ଏକ ବଡ଼ ସଫଳତା ମିଳିଛି। ଦୀର୍ଘ ଦିନ ହେଲା ସ୍କ୍ବାଡ୍ର ସ୍କାନର୍ରେ ଥିବା ଚାନ୍ଦପୁର ଥାନା ଅଧୀନ ମୟୂରଝାଲିଆ ଗାଁର ରୀନା ପ୍ରଧାନ (୪୮) ଓ ତାଙ୍କ ପୁଅ ସଚିନ ପ୍ରଧାନ (୨୧)ଙ୍କୁ ଗିରଫ କରାଯାଇଛି। ଆଜି ସକାଳ ୭ଟାରେ ମା’-ପୁଅ ଏକ ଟାଟା ଏସିଇ (ଓଡି–୦୨ ବିଆର୧୮୨୧) ଭ୍ୟାନ୍ରେ ବ୍ରାଉନସୁଗାର ଆଣି ଘରକୁ ଆସୁଥିବା ସମୟରେ ମୟୂରଝାଲିଆ ଛକ ନିକଟରେ ଅବକାରୀ ପୁଲିସ ସେମାନଙ୍କୁ ଅଟକାଇ ପଚରାଉଚରା କରିବା ସହ ଯାଞ୍ଚ କରିଥିଲେ। ଏହି ଯାଞ୍ଚରୁ ୨୦୦ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହା ସହ ସେମାନଙ୍କ ନିକଟରୁ ୭ଟି ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।
ବିଶ୍ବସ୍ତ ସୂତ୍ରରୁ ଖବର ମିଳିବା ପରେ ଅବକାରୀ ଅଧୀକ୍ଷକ କରୁଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶରେ ଏହି ମା’-ପୁଅଙ୍କ ଉପରେ ସ୍କ୍ବାଡ୍ ନଜର ରଖିଥିଲା। ଶେଷରେ ଆଜି ଖବର ପାଇ ଅବକାରୀ ସ୍କ୍ବାଡ୍ର ସବ୍ଇନ୍ସପେକ୍ଟର ଅର୍ପିତାରାଣୀ ସାହୁଙ୍କ ନେତୃତ୍ବରେ ଏକ ଟିମ୍ ସେଠାରେ ଚଢ଼ଉ କରି ଏହି ଦୁଇ ଜଣଙ୍କୁ ହେପାଜତକୁ ନେଇଥିଲା। ଏ ଦିଗରେ ତଦନ୍ତ ଚାଲିଛି ଓ ଘଟଣାର ମୂଳ ପର୍ଯ୍ୟନ୍ତ ପହଞ୍ଚିବାକୁ ସମସ୍ତ ପ୍ରୟାସ କରାଯିବ ବୋଲି ଶ୍ରୀ ତିୱାରୀ କହିଛନ୍ତି। ତେବେ ମା’-ପୁଅଙ୍କଠାରୁ ଏତେ ପରିମାଣରେ ବ୍ରାଉନସୁଗାର ଜବତ ହୋଇଥିବା ନେଇ ଜୋର୍ଦାର୍ ଚର୍ଚ୍ଚା ଆରମ୍ଭ ହୋଇଛି। ମାତ୍ର ଯାହା ଜଣାପଡ଼ୁଛି, ଏହି ମା’-ପୁଅ ଦୁଇ ଜଣ ପୋଖତ ନିଶା ବେପାରୀ। ପୁଲିସକୁ ଚକ୍ମା ଦେଇ ସେମାନେ ବେପାର କରି ଚାଲିଥିଲେ। କେବଳ ସେତିକି ନୁହେଁ, ଏହି ଦୁଇ ଜଣ ଆହୁରି ଅଧିକ ମାଲ୍ ଆଣି ଆସିଥିଲେ। ସେମାନେ ଅଧା ରାସ୍ତାରେ ମଧ୍ୟ ଛୋଟ ଛୋଟ ବେପାରିଙ୍କୁ ବ୍ରାଉନସୁଗାର ବିକ୍ରି କରିଥିବା ଅନୁମାନ କରାଯାଉଛି। ଏ ସମସ୍ତ ଦିଗରେ ଏବେ ଅବକାରୀ ବିଭାଗ ତଦନ୍ତ ଚଳାଇଛି। ସେମାନେ ଏତେ ସକାଳୁ କେଉଁଠୁ ବ୍ରାଉନସୁଗାର ଆଣିଥିଲେ ଓ ଅଧା ରାସ୍ତାରେ କାହାକୁ ବିକ୍ରି କରିଛନ୍ତି, ତଦନ୍ତରୁ ଜଣାପଡ଼ିଯିବ। ପୂର୍ବରୁ ଗଞ୍ଜେଇ କାରବାର ଜୋର୍ଦାର୍ ଥିବା ବେଳେ ଏବେ ଗଳିକନ୍ଦିରେ ବ୍ରାଉନସୁଗାର ମିଳିଲାଣି। ଏଣୁ ସମ୍ପୂର୍ଣ୍ଣ ଘଟଣାରେ ସମ୍ପୃକ୍ତ ନିଶା ମାଫିଆମାନଙ୍କୁ ନିଶ୍ଚିତ ଭାବେ ଗିରଫ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/gggdjgjg.jpg)