୨ଶହ କୋଟିର କୋକ୍ ଓ ବିଓଡି ପ୍ଲାଣ୍ଟ ବର୍ତ୍ତିଗଲା

ଯାଜପୁର/ଦାନଗଦୀ : କଳିଙ୍ଗନଗରସ୍ଥିତ ବନ୍ଦ ରହିଥିବା ନୀଳାଚଳ ଇସ୍ପାତ କାରଖାନା ପରିସରରେ ବାରମ୍ବାର ଅଗ୍ନିକାଣ୍ଡ ନେଇ ସନ୍ଦେହ ଘନେଇବାରେ ଲାଗିଛି। ଆଜି ମଧ୍ୟାହ୍ନରେ କାରଖାନା ପରିସରରେ ନିଆଁ ଲାଗିଥିଲା। ଦୀର୍ଘ ୪ଘଣ୍ଟା ଧରି ୩ଟି ଦମକଳ ବାହିନୀ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ। ସ‌ମୟୋଚିତ ପଦକ୍ଷେପ ଯୋଗୁଁ ପ୍ରାୟ ୨ ଶହ କୋଟି ଟଙ୍କାର କୋକ୍‌ ଓ ବିଓଡି ପ୍ଲାଣ୍ଟ ନିଆଁମୁହଁରୁ ରକ୍ଷା ପାଇଯାଇଛି। ବନ୍ଦ କାରଖାନା ପରିସରରୁ ବ୍ୟାପକ ସ୍କ୍ରାପ୍‌ ଚୋରା ଚାଲାଣ ହେଉଥିବାରୁ ଏହି କାରବାରକୁ ସହଜ କରିବା ପାଇଁ ନିଆଁ ଲଗାଇ ଦେଇଥାଇପାରନ୍ତି ବୋଲି କୁହାଯାଉଛି। ଗତ ୧୫ଦିନ ମଧ୍ୟରେ ଦୁଇଥର କାରଖାନା ପରିସରରେ ଅଗ୍ନିକାଣ୍ଡ ବିଭିନ୍ନ ମହଲରେ ବିସ୍ମୟ ସୃଷ୍ଟି କରିଛି।

ଆଜି ଦିନ ପ୍ରାୟ ୧୨ଟା ବେଳେ ନୀଳାଚଳ କାରଖାନା ପରିସରରେ ବୁଦୁବୁଦିଆ ଜଙ୍ଗଲ ଜଳୁଥିବାର ସୁରକ୍ଷା କର୍ମଚାରୀମାନେ ଦେଖିଥିଲେ। ନିଆଁ ଲିଭାଇବା ପାଇଁ ପ୍ରଥମେ ନୀଳାଚଳ କାରଖାନାର ନିଜସ୍ବ ଦମକଳକୁ ନିୟୋଜିତ କରାଯାଇଥିଲା। ପରେ ଦାନଗଦୀ ଦମକଳ ବାହିନୀ ଓ ଟାଟା ଦମକଳ କର୍ମଚାରୀ ନିୟୋଜିତ ହୋଇଥିଲେ। ଅନାବନା ଗଛ, ଘାସଲତା ପୋଡ଼ିବା ବ୍ୟତୀତ ଅଗ୍ନିକାଣ୍ତରେ କାରଖାନାର କୌଣସି କ୍ଷୟକ୍ଷତି ଘଟିନାହିଁ। ନିଆଁ ଠାରୁ ଅଳ୍ପ କିଛି ଦୂରରେ ବିଓଡି ପ୍ଲାଣ୍ଟ ରହିଥିବା ସହିିତ ପ୍ରାୟ ୨ ଶହ କୋଟି ଟଙ୍କାର କୋକ୍‌ ଗଚ୍ଛିତ ଥିଲା। ସନ୍ଧ୍ୟା ୬ଟା ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇଛି।

ସମ୍ବନ୍ଧିତ ଖବର