ରାୟଗଡ଼ା: ବୃଦ୍ଧ ଓ ବୃଦ୍ଧାଙ୍କ ସହ ଦିବ୍ୟାଙ୍ଗ, ବିଧବା ଭତ୍ତା ପୂର୍ବରୁ ପଞ୍ଚାୟତରେ ପ୍ରଦାନ କରାଯାଉଥିଲା। ଏକ ନିର୍ଦ୍ଦିଷ୍ଟ ତାରିଖରେ ପଞ୍ଚାୟତ ସଦର ମହକୁମାରେ ଭତ୍ତା ପ୍ରଦାନ କରାଯାଉଥିବା ବେଳେ ସେହିଦିନ ଭତ୍ତା ପାଉଥିବା ମହିଳା ଓ ପୁରୁଷ ଏକତ୍ରିତ ହୋଇ ନିଜର ଭତ୍ତାକୁ ନଗଦ ଆକାରରେ ନେଉଥିଲେ। ତେବେ ଏହି ପ୍ରଦାନରେ ବ୍ୟାପକ ଦୁର୍ନୀତି ହେବା ସହ ବହୁ ସମୟରେ ପିଇଓ ଏବଂ ଜିଆରଏସଙ୍କୁ ଦୁର୍ବୃତ୍ତମାନେ ଟାର୍ଗେଟ କରି ଟଂକା ଲୁଟିନେଲେ। ଏପରିକି ହତ୍ୟା କରିବାକୁ ମଧ୍ୟ ପଛାଇଲେ ନାହିଁ।

Advertisment

ରାଜ୍ୟ ଓ କେନ୍ଦ୍ର ସରକାର ଏହାକୁ ଗୁରୁତ୍ବର ସହ ନେଇ ସମସ୍ତ ଭତ୍ତା ପାଉଥିବା ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସହ ଅନଲାଇନ ଟଂକା ପ୍ରଦାନ ନେଇ ଘୋଷଣା କଲେ। ଆଜି ପର୍ଯ୍ୟନ୍ତ ଲୋକେ ବ୍ୟାଙ୍କରୁ ହିଁ ଟଂକା ଉଠାଉଛନ୍ତି। ତେବେ ବ୍ୟାଙ୍କରେ ମଧ୍ୟ ଆଧାର ଲିଙ୍କ କରିବା ପରେ ବହୁ ଭତ୍ତା ପାଉଥିବା ବୃଦ୍ଧ ଓ ବୃଦ୍ଧା ନିଜର ଭତ୍ତା ଟଂକା ଠିକ ଭାବେ ପାଇପାରିଲେ ନାହିଁ। ଏବେ ସେସବୁ ସମସ୍ୟା ଧୀରେ ଧୀରେ ସମାଧାନ ହେବା ପରେ ଏବେ ଆଉ ଏକ ସମସ୍ୟା ଦେଖିବାକୁ ମିଳିଛି। ବ୍ୟାଙ୍କ ଠାରୁ ପ୍ରାୟ ୧୫ ରୁ ୨୦ କିଲୋମିଟର ଦୂରରେ ରହିଥିବା ଗ୍ରାମର ଲୋକେ ଭତ୍ତା ପାଇଁ ବ୍ୟାଙ୍କକୁ ଆସିବା ପାଇଁ ଅଟୋ ଭଡା କରି ଆସିବାକୁ ପଡୁଛି। ଜଣକ ପିଲା ୧୦୦ ଟଂକା ଖର୍ଚ୍ଚ ହେଉଥିବା ବେଳେ ବୟସ୍କମାନଙ୍କ ସହ ପରିବାରର ଆଉ ଜଣେ ବ୍ୟକ୍ତି ଭତ୍ତା ଟଂକା ପାଇଁ ସହରକୁ ଆସିଲେ ଆହୁରି ୧୦୦ ଟଂକା ଖର୍ଚ୍ଚ ହେଉଛି। ଅର୍ଥାତ ୫୦୦ ଟଂକା ଭତ୍ତା ପାଇଁ ୨୦୦ ଟଂକା ଖର୍ଚ୍ଚ କରିବାକୁ ପଡୁଛି। ଏପରିକି ଥରେ ଆସିଲେ ୨୦୦ ଟଂକା ଖର୍ଚ୍ଚ ହେବ। ଯଦି ବ୍ୟାଙ୍କରେ ଲିଙ୍କ ନଥାଏ, କିମ୍ବା ଅନ୍ୟ କୌଣସି ବ୍ୟାଙ୍କର ଅସୁବିଧା ରହିଲେ, ପୁଣି ବ୍ୟାଙ୍କକୁ ଆସିବାକୁ ଆହୁରି ୨୦୦ ଟଂକା ଦରକାର ପଡୁଛି।

publive-image

ତେବେ ୫୦୦ ଟଂକା ପାଇବାକୁ ହେଲେ ବହୁ ଖର୍ଚ୍ଚାନ୍ତ ସହ ବହୁ କଷ୍ଟ ସ୍ବୀକାର କରିବାକୁ ପଡୁଥିବା ଦୁର୍ଗମ ଗ୍ରାମର ଲୋକେ ଅଭିଯୋଗ କରିଛନ୍ତି।ଜିଲ୍ଲାରେ ରହିଥିବା ୧୧ଟି ବ୍ଲକର ୧୮୨ଟି ପଞ୍ଚାୟତର ଅର୍ଦ୍ଧାଧିକ ଗ୍ରାମ ଅପହଞ୍ଚ ଅଂଚଳରେ ରହିଛି। ବ୍ଲକ ସଦର ମହକୁମାରେ ବ୍ୟାଙ୍କଗୁଡିକ ରହିଥିବାରୁ ବ୍ୟାଙ୍କ ଠାରୁ ପ୍ରାୟ ୧୦ କିଲୋମିଟରୁ ଆରମ୍ଭ ହୋଇ ୨୦ କିଲୋମିଟର ପର୍ଯ୍ୟନ୍ତ ଗ୍ରାମର ଦୂରତା ରହିଛି। ବହୁ ବୃଦ୍ଧ ଓ ବୃଦ୍ଧା ଟଂକା ନଥିବାରୁ ଚାଲି ଚାଲି ଆସୁଥିବା ମଧ୍ୟ କହନ୍ତି। ତେବେ ପୁଣି ପଞ୍ଚାୟତରେ ନଗଦ ଟଂକା ଦିଆଗଲେ ଭଲ ହୋଇଥାନ୍ତା ବୋଲି ଭତ୍ତା ପାଉଥିବା ହିତାଧିକାରୀ ଦାବି କରିଛନ୍ତି। ଯଦି ସରକାରୀ ରିପୋର୍ଟ ଦେଖିବା ବିଷମକଟ ବ୍ଲକରେ ମଧୁବାବୁ ପେନସନ ଯୋଜନରେ ୬୯୪୭ ଜଣ ସାମିଲ ହୋଇଥିବା ବେଳେ ଏନଏସଏପିରେ ୮୬୬୧ ଜଣ ସାମିଲ ହୋଇଛନ୍ତି।

ସେହିପରି ଚନ୍ଦ୍ରପୁର ବ୍ଲକରେ ମଧୁବାବୁ ପେନସନ ଯୋଜନାରେ ୨୪୦୭ ଜଣ ସାମିଲ ହୋଇଥିବା ବେଳେ ଏନଏସଏପିରେ ୩୭୩୧ ଜଣ ସାମିଲ ଅଛନ୍ତି। ଗୁଡାରୀ ବ୍ଲକରେ ୨୭୬୪ ଜଣ ମଧୁବାବୁ ପେନସନ ପାଉଥିବା ବେଳେ ୪୧୮୫ ଜଣ ଏନଏସଏପି ଭତ୍ତା ପାଉଛନ୍ତି। ଗୁଣୁପୁର ବ୍ଲକରେ ୫୩୫୪ ଜଣ ମଧୁବାବୁ ପେନସନ ପାଉଥିବା ବେଳେ ୫୩୫୬ ଜଣ ଏନଏସଏପିରେ ସାମିଲ ହୋଇଛନ୍ତି। କଲ୍ୟାଣସିଂହପୁର ବ୍ଲକରେ ୬୪୮୪ ଜଣ ମଧୁବାବୁ ପେନସନ ପାଉଥିବା ବେଳେ ୫୦୦୪ ଜଣ ଏନଏସଏପି ଭତ୍ତା ପାଉଛନ୍ତି। କାଶୀପୁର ବ୍ଲକରେ ୯୦୮୧ ଜଣ ମଧୁବାବୁ ପେନସନ ପାଉଥିବା ବେଳେ ୧୦୪୪୩ ଜଣ ଜାତୀୟ ପେନସନ ଯୋଜନରେ ସାମିଲ ହୋଇଛନ୍ତି।କୋଲନରା ବ୍ଲକରେ ୫୮୧୬ ଜଣ ମଧୁବାବୁ ପେନସନରେ ସାମିଲ ହୋଇଥିବା ବେଳେ ୫୬୭୬ ଜଣ ଜାତୀୟ ପେନସନ ଯୋଜନାରେ ସାମିଲ ହୋଇଛନ୍ତି।

ମୁନିଗୁଡା ବ୍ଲକରେ ୭୧୨୨ ଜଣ ମଧୁବାବୁ ପେନସନ ପାଉଥିବା ବେଳେ ୬୧୭୫ ଜଣ ଏନଏସଏପିରେ ଅନ୍ତର୍ଭୁକ୍ତ ରହିଛନ୍ତି। ପଦ୍ମପୁର ବ୍ଲକରେ ୪୨୯୦ ଜଣ ମଧୁବାବୁ ପେନସନ ଯୋଜାରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ୪୬୦୦ ଜଣ ଏନଏସଏପିରେ ସାମିଲ ରହିଛନ୍ତି। ରାମନାଗୁଡା ବ୍ଲକରେ ୩୪୯୪ ଜଣ ମଧୁବାବୁ ପେନସନ ପାଉଥିବା ବେଳେ ୫୬୦୮ ଜଣ ଜାତୀୟ ପେନସନ ଯୋଜନାରେ ସାମିଲ ହୋଇଛନ୍ତି। ରାୟଗଡା ବ୍ଲକରେ ୮୬୬୩ ଜଣ ମଧୁବାବୁ ପେନସନ ଯୋଜନାରେ ସାମିଲହୋଇଥିବା ବେଳେ ୯୩୪୪ ଜଣ ଜାତୀୟ ପେନସନ ଯୋଜନାରେ ସାମିଲ ହୋଇଛନ୍ତି।

ସେହିପରି ଗୁଡାରୀ ଏନଏସିରେ ୭୮୭ ଜଣ ମଧୁବାବୁ ଏବଂ ୨୬୪ ଜଣ ଏନଏସଏପିରେ ସାମିଲ। ଗୁଣୁପୁର ୟୁଏଲବିରେ ୩୦୪୮ ଜଣ ମଧୁବାବୁ ପେନସନରେ ଏବଂ ୯୮୧ ଜଣ ଏନଏସଏପିରେ ସାମିଲ।ରାୟଗଡା ମ୍ୟୁନିସପାଲଟିରେ ୩୫୭୮ ଜଣ ମଧୁବାବୁ ପେନସନରେ ସାମିଲ ହୋଇ ଭତ୍ତା ହେଉଥିବା ବେଳେ ୩୬୧୦ ଜଣ ଜାତୀୟ ପେନସନ ଯୋଜନାରେ ସାମିଲ ହୋଇ ପନସନ ପାଉଛନ୍ତି। କେବଳ ମଧୁବାବୁ ପେନସନରେ ହାତାଧିକାରୀମାନେ ବ୍ୟାଙ୍କ ଏବଂ ନଗଦ ଟଂକା ପାଉଥିବା ବେଳେ ଜାତୀୟ ପେନସନ ଯୋଜନାରେ କେବଳ ବ୍ୟାଙ୍କରୁ ହିଁ ଟଂକା ପାଉଛନ୍ତି।

ତେବେ ଏନେଇ ବିଭାଗୀୟ ଅଧିକାରୀଙ୍କ ଯୁକ୍ତି ଅନ୍ୟ ପ୍ରକାର।ଯଦି କେହି ପେନସନ ପାଇଁ ଅଧିକା ଟଂକା ଖର୍ଚ୍ଚ କରୁଛନ୍ତି କି ଶଯ୍ୟାଶାୟୀ ରହିଛନ୍ତି। ତେବେ ସେମାନଙ୍କୁ ବ୍ୟାଙ୍କ ତରଫରୁ ଘରକୁ ଯାଇ ଟଂକା ଦେବାର ପ୍ରାଧାନ୍ୟ ରହିଛି। ସେମାନେ ଏନେଇ ପଞ୍ଚାୟତ କିମ୍ବା ବ୍ଲକରେ ଦରଖାସ୍ତ ଦେଲେ ଏହାର ନିରାକାର କରାଯିବ ବୋଲି କୁହାଯାଇଛି। କିନ୍ତୁ କୋରାପୁଟ ସାଂସଦ ସପ୍ତଗିରି ଉଲାକା କିନ୍ତୁ ପୁଣି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନୁରୋଧ କରିଛନ୍ତି ଯେ ଏହାକୁ ଗୁରୁତ୍ବପୂର୍ଣ୍ଣ ଭାବେ ନେଇ ଚିନ୍ତା କରି ପୁଣି ଯେପରି ହିତାଧିକାରୀମାନେ ସହଜରେ ଭତ୍ତା ଟଂକା ପାଇପାରିବେ ସେନେଇ ପଦକ୍ଷେପ ନିଅନ୍ତୁ।