ମାସିକ ୨ହଜାର ଟଙ୍କା ପାଇବେ ଆଶାକର୍ମୀ

ଆରମ୍ଭ ହେବ ‘ଆଶା ମାତୃତ୍ୱ ଯୋଜନା’

ଭୁବନେଶ୍ୱର : ରାଜ୍ୟରେ କାର୍ଯ୍ୟରତ ଆଶାକର୍ମୀଙ୍କୁ ମାସିକ ନିଶ୍ଚିତ ୨ହଜାର ଟଙ୍କାର ପାରିତୋଷିକ ପ୍ରଦାନ କରାଯିବ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଶାକର୍ମୀମାନଙ୍କ ନିଃସ୍ୱାର୍ଥ ସେବା ମନୋଭାବକୁ ଦେଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହି ପାରିତୋଷିକକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ପ୍ରକାର ପ୍ରୋତ୍ସାହନ ରାଶି ମଧ୍ୟ କାର୍ଯ୍ୟ ଅନୁଯାୟୀ ପୂର୍ବଭଳି ପ୍ରଦାନ କରାଯିବ। ଏଥିରେ ରାଜ୍ୟର ୪୭ହଜାରରୁ ଅଧିକ ଆଶାକର୍ମୀ ଲାଭବାନ ହେବେ ବୋଲି କୁହାଯାଇଛି। ଏଥିପାଇଁ ବାର୍ଷିକ ୧୫୭କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସଚିବାଳୟରେ ଘୋଷଣା କରିଛନ୍ତି।

ଗୋଷ୍ଠୀ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଶା କର୍ମୀ ସ୍ୱାସ୍ଥ୍ୟସେବାର ମେରୁଦଣ୍ଡ ପାଲଟିଛନ୍ତି। ବିଶେଷକରି ମାତୃ ଓ ଶିଶୁ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବାରେ ଆଶାମାନଙ୍କ ଯଥେଷ୍ଟ ଅବଦାନ ରହିଛି। ଆଶାକର୍ମୀଙ୍କ ସହାୟତାରେ ରାଜ୍ୟରେ ୯୭ପ୍ରତିଶତ ଶିଶୁଙ୍କୁ ଏମ୍‌ଆର ଟିକାକରଣ ସମ୍ଭବ ହୋଇପାରିଛି। ଏହାସହ ମ୍ୟାଲେରିଆ, ଯକ୍ଷ୍ମା, ଅନ୍ୟାନ୍ୟ ସଂକ୍ରାମକ ଓ ଅଣ ସଂକ୍ରାମକ ରୋଗର ନିରାକରଣ ଦିଗରେ ଆଶାକର୍ମୀଙ୍କ ଆବଶ୍ୟକତାକୁ ଉପଲବ୍ଧି କରି ‘ଆଶା ମାତୃତ୍ୱ ଯୋଜନା’ ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଛନ୍ତି। ଏଥିରେ ଗର୍ଭାବସ୍ଥାରେ ଆଶାମାନଙ୍କୁ ଗର୍ଭର ୭ମାସଠାରୁ ଶିଶୁ ଜନ୍ମର ୩ମାସ ପର୍ଯ୍ୟନ୍ତ, ସମୁଦାୟ ୬ମାସ ପାଇଁ ମାସିକ ୧ହଜାର ଟଙ୍କା ଲେଖାଏଁ ୬ହଜାର ଟଙ୍କା ପ୍ରଦାନ କରଯିବ। ଏଥିପାଇଁ ବାର୍ଷିକ ୫୬.୫୨ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର