ଢେଙ୍କାନାଳ, ଅନୁଗୁଳ ପାଇଁ ୨୦୮୨ କୋଟିର ପ୍ରକଳ୍ପ

ମହିଳାଙ୍କ ଅନୁରୋଧ ରକ୍ଷା କଲେ ମୁଖ୍ୟମନ୍ତ୍ରୀ

ଢେଙ୍କାନାଳ/ରାସୋଳ/ଖଜୁରିଆକଟା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨୦୮୨ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି। ସେଥିମଧ୍ୟରେ, ଢେଙ୍କାନାଳ ଜିଲ୍ଲାରେ ୯୫୩ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ୧୦୩ ଟି ପ୍ରକଳ୍ପ ଏବଂ ଅନୁଗୁଳ ଜିଲ୍ଲାରେ ୧୧୨୯କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ୨୬ଟି ପ୍ରକଳ୍ପ ଅନ୍ତଭୁର୍କ୍ତ। ଏଥିସହିତ ମୁଖ୍ୟମନ୍ତ୍ରୀ ୧ଲକ୍ଷ ୭୯ ହଜାର ହିତାଧିକାରୀ ଚାଷୀଙ୍କ ଆକାଉଣ୍ଟକୁ ରିମୋଟ୍ ସୁଇଚ୍ ଟିପି ଅର୍ଥ ହସ୍ତାନ୍ତର କରିଛନ୍ତି।

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନମଣ୍ଡଳୀର ସାତମାଇଲ ବହୁବର ପଡିଆଠାରେ ଆଜି ଅପରାହ୍ଣରେ ଆୟୋଜିତ କାଳିଆ ସମାବେଶରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୋଗଦେଇଥିଲେ। ସେ କହିଥିଲେ ଯେ, କାଳିଆ ଯୋଜନା ସଂପର୍କରେ ସମସ୍ତେ ଜାଣନ୍ତି। ଏହା ଚାଷୀମାନଙ୍କ ଯୋଜନା। ଏହା ସାରା ଦେଶକୁ ବାଟ ଦେଖାଉଛି। ଛୋଟ ଚାଷୀ, ଭାଗଚାଷୀ, କ୍ଷୁଦ୍ରଚାଷୀ, ଭୂମିହୀନଚାଷୀ ଏହି ଯୋଜନାରେ ଅନ୍ତର୍ଭୁକ୍ତ। ଆସନ୍ତା ଏପ୍ରିଲ୍ ୧ ତାରିଖ ସୁଦ୍ଧା ସମସ୍ତ ଚାଷୀ କାଳିଆ ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟର ସମସ୍ତ ଅର୍ଥ ପାଇଯିବେ। ଢେଙ୍କାନାଳ, ଅନୁଗୁଳ ଜିଲ୍ଲାର ଏହି ବିରାଟ ଚାଷୀ ସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ଜଣେ ମହିଳା ପ୍ରମିଳା ମାଝିଙ୍କ ଅନୁରୋଧ କ୍ରମେ କାଳିଆ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ସହାୟତା ରାଶି ଏପ୍ରିଲ୍ ପହିଲାରେ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଢେଙ୍କାନାଳ ଜିଲ୍ଲା‌ରେ ୯୫୩ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଥିବା ୧୦୩ ଟି ପ୍ରକଳ୍ପ ଏବଂ ଅନୁଗୁଳ ଜିଲ୍ଲାରେ ୧୧୨୯କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ୨୬ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।

ଏହି ସମାବେଶରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପରିବହନ ମନ୍ତ୍ରୀ ନୃସିଂହ ସାହୁ, ସାଂସଦ ତଥାଗତ ଶତପଥୀ, ଢେଙ୍କାନାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସରୋଜ ସାମଲ, ହିନ୍ଦୋଳ ବିଧାୟକା ସୀମାରାଣୀ ନାୟକ,ଅନୁଗୁଳ ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ ତଥା ପାଲଲହଡା ବିଧାୟକ ମହେଶ ସାହୁ, ପୂର୍ବତନ ବିଧାୟକ ସୁଧୀର ସାମଲ, ରାଜ୍ୟ ସମବାୟ ବ୍ୟାଙ୍କ ଅଧ୍ୟକ୍ଷ ଅକ୍ଷୟ ମହାନ୍ତି ପ୍ରମୁଖଙ୍କ ସମେତ ଛେଣ୍ଡିପଦା ବିଧାୟକ ସଂଜୀବ ସାହୁ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ୍ ପାଣ୍ଡିୟାନ୍, ଢେଙ୍କାନାଳ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ, ଅନୁଗୁଳ ଜିଲ୍ଲାପାଳ ମନୋଜ ମହାନ୍ତି, ଉତ୍ତର କେନ୍ଦ୍ରାଂଚଳ ଡିଆଇଜି ନରସିଂହ ଭୋଳ, ଢେଙ୍କାନାଳ ଏସ୍‌ପି ଅନୁପମା ଜେମ୍ସ, ଅନୁଗୁଳ ଏସପି ମିତ୍ରଭାନୁ ମହାପାତ୍ରଙ୍କ ସମେତ ଉଭୟ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର