ବୀରମହାରାଜପୁର/ ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଉଲୁଣ୍ଡା ବ୍ଲକ୍ ବାଘଲପୁର- ବିଶିପଡ଼ା ରାସ୍ତାରେ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ୨ଜଣ ଏଟିଏମ୍ କର୍ମଚାରୀଙ୍କଠାରୁ ୨୧ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାଯାଇଛି। ଅଭିଯୋଗ ପାଇବା ପରେ ପୁଲିସ ତନାଘନା ଜାରି ରଖିଛି।
ସୂଚନା ଅନୁସାରେ, ସୋନପୁର ବ୍ଲକ୍ ଛକର ସୁଧାଂଶୁ ପ୍ରଧାନ ଓ ଘୋଡ଼ାଘାଟପଡ଼ାର ସୁନୀଲ ମହାରଣା ସୋନପୁର ବରୋଦା ବ୍ୟାଙ୍କରେ ଏଟିଏମ୍ ଏକ୍ଜିକ୍ୟୁଟିଭ ଭାବେ କାମ କରନ୍ତି। ଉଭୟ ଯଥାକ୍ରମେ ୧୧ ଲକ୍ଷ ଓ ୧୦ ଲକ୍ଷ ଟଙ୍କା ନେଇ ଉଲୁଣ୍ଡା ବରୋଦା ବ୍ୟାଙ୍କ ଏଟିଏମ୍ରେ ଟଙ୍କା ଭର୍ତ୍ତି କରିବା ପାଇଁ ଯାଉଥିଲେ। ବାଘଲପୁର ଛକ ପାଖରେ ୩ଟି ବାଇକ୍ରେ ୬ ଜଣ ଲୁଟେରା ବନ୍ଧୁକ ଆଦି ମାରଣାସ୍ତ୍ର ଦେଖାଇ ପ୍ରଥମେ ସୁଧାଂଶୁଙ୍କ ବାଇକ୍ ଅଟକାଇ ୧୧ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏହା ପରେ ସୁନୀଲ ଧରିଥିବା ୧୦ ଲକ୍ଷ ଟଙ୍କା ଲୁଟି ନେଇ ଫେରାର୍ ହୋଇଯାଇଥିଲେ। ତେବେ ଦୁର୍ବୃତ୍ତମାନେ ଫେରାର ହେବା ବେଳକୁ କୌଣସି କାରଣରୁ ଏକ ବାଇକ୍ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବନ୍ଦ ହୋଇଯାଇଥିଲା। ତେଣୁ ଘଟଣାସ୍ଥଳରେ ଏକ ବାଇକ୍ ଛାଡ଼ି ଚାଲି ଯାଇଥିଲେ। ଖବର ପାଇ ବୀରମହାରାଜପୁର ଥାନା ଅଧିକାରୀ ପ୍ରଭା ଧାନଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସେହିପରି ଏସ୍ପି ସୀତାରାମ ଶତପଥୀ ଓ ଅତିରିକ୍ତ ଏସ୍ପି ଉତ୍କଳ କେଶରୀ ଦାସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି।
ଏହି ଘଟଣାକୁ ନେଇ ସନ୍ଧ୍ୟାରେ ପୁଲିସ ଜିଲ୍ଲା ମୁଖ୍ୟାଳୟରେ ଏକ ବୈଠକ ହୋଇଥିବା ଜଣାଯାଇଛି। ଏ ସମ୍ପର୍କରେ ଏଟିଏମ୍ ଏକ୍ଜିକ୍ୟୁଟିଭ୍ ଶ୍ରୀ ପ୍ରଧାନଙ୍କ ଅଭିଯୋଗ ଆଧାରରେ ବୀରମହାରାଜପୁର ଥାନାରେ ଏକ ମାମଲା ରୁଜୁ ହୋଇଛି। ଥାନା ଅଧିକାରୀ ଶ୍ରୀମତୀ ଧାନ ଏହାର ତଦନ୍ତ କରୁଛନ୍ତି। ଏହା ସହିତ ଉଲୁଣ୍ଡା, ସୁବଳୟା ଓ ସୋନପୁର ପୁଲିସ ମିଳିତ ଭାବରେ ତନାଘନା ଜାରି ରଖିଛନ୍ତି। ଦିବାଲୋକରେ ଏଭଳି ଏକ ବଡ଼ ଧରଣର ଡକାୟତି ବୀରମହାରାଜପୁର ଅଞ୍ଚଳରେ ପ୍ରଥମ ବୋଲି ଆଲୋଚନା ହେଉଛି। ଏଠାରେ ପ୍ରଶ୍ନ ଉଠୁଛି ବରୋଦା ବ୍ୟାଙ୍କ ଅଧିକାରୀ ଏତେ ପରିମାଣର ଟଙ୍କା ବିନା ସିକ୍ୟୁରିଟି କର୍ମଚାରୀରେ ବାଇକ୍ରେ କେମିତି ପଠାଇଲେ?