ବ୍ୟବସାୟୀଙ୍କ କାର୍‌ରୁ ୪୨ ଲକ୍ଷ ଟଙ୍କା ଠାବ, ଯାଞ୍ଚ ପରେ ଛାଡ଼ି ଦେଲା ଫ୍ଲାଇଂ ସ୍କ୍ବାଡ୍‌!

ପୁରୀ/ନିମାପଡ଼ା : କୋଣାର୍କରୁ ନିମାପଡ଼ାକୁ ଯାଉଥିବା ଜଣେ ବ୍ୟବସାୟୀଙ୍କ କାର୍‌ରୁ ଆଜି ଫ୍ଲାଇଂ ସ୍କ୍ବାଡ୍‌ ନଗଦ ୪୨ ଲକ୍ଷ ଟଙ୍କା ଠାବ କରିଥିଲା। ତେବେ ସେହି ଟଙ୍କା ବ୍ୟାଙ୍କରେ ଜମା କରିବାକୁ ନେଉଛନ୍ତି ବୋଲି ସଂପୃକ୍ତ ବ୍ୟବସାୟୀଙ୍କ କର୍ମଚାରୀ ଦର୍ଶାଇବାରୁ ସ୍କ୍ବାଡ୍‌ ଉକ୍ତ ଟଙ୍କା ଛାଡ଼ି ଦେଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ନଗଦ କାରବାର ଉପରେ କଟକଣା ରହିଥିବା ବ‌େଳେ ଏତେ ପରିମାଣର ନଗଦ ଟଙ୍କା ବ୍ୟାଙ୍କରେ ଜମା ହେବା ଉପରେ ଉଠିଛି ପ୍ରଶ୍ନ। ଆୟକର ବିଭାଗ ଏହାର ଯାଞ୍ଚ କରିବାକୁ ଦାବି ଜୋର୍‌ ଧରିଛି।

ସୋମବାର ପୂର୍ବାହ୍ନରେ କୋଣାର୍କ ଅଞ୍ଚଳର ପ୍ରତିଷ୍ଠିତ ବ୍ୟବସାୟୀ କୈଳାସ ସାହୁଙ୍କ କର୍ମଚାରୀମାନେ ୪୨ ଲକ୍ଷ ଟଙ୍କା ଧରି ଏକ କାରରେ କୋଣାର୍କରୁ ନିମାପଡ଼ା ଅଭିମୁଖେ ଯାଉଥିଲେ। ଦୀଘାଳ ଛକଠାରେ ଗାଡ଼ି ଯାଞ୍ଚ କରିବା ବେଳେ ଫ୍ଲାଇଂ ସ୍କ୍ବାଡ଼୍‌ ନଜରକୁ ଆସିଥିଲା ଏହି ଟଙ୍କା। ଏତେ ଟଙ୍କା କୁଆଡୁ ଆସିଲା ବୋଲି ସ୍କ୍ବାଡ୍‌ ଅଧିକାରୀ ପ୍ରଶ୍ନ କରିବାରୁ ନିମାପଡ଼ା ୟୁକୋ ବ୍ୟାଙ୍କକୁ ଏହି ଟଙ୍କା ଜମା କରିବାକୁ‌ ନେଉଥିବା କର୍ମଚାରୀମାନେ ଦର୍ଶାଇଥିଲେ। ହେଲେ ସ୍କ୍ବାଡ୍‌ ଏହାକୁ ବିଶ୍ବାସ କରିନଥିଲା। ଅଧିକ ଖୋଳତାଡ଼ ବେଳେ ସମ୍ପୃକ୍ତ କର୍ମଚାରୀମାନେ କୋଣାର୍କ ୟୁକୋ ବ୍ୟାଙ୍କର ଏକ ନିର୍ଦ୍ଦେଶନାମା ଦେଖାଇଥିଲେ। ଯେଉଁଥିରେ କୋଣାର୍କ ବ୍ୟାଙ୍କରେ ଏତେ ଟଙ୍କା ଜମା ରଖିବାର ସୁବିଧା ନଥିବାରୁ ନିମାପଡ଼ା ୟୁକୋ ବ୍ୟାଙ୍କରେ ଜମା କରିବାକୁ କୁହାଯାଇଥିଲା। ତଦନୁଯାୟୀ ସମ୍ପୃକ୍ତ ବ୍ୟବସାୟୀଙ୍କ କର୍ମଚାରୀମାନେ ନିମାପଡ଼ାକୁ ଟଙ୍କା ଜମା ପାଇଁ ଆସିଥିବା ଦର୍ଶାଇବାରୁ ସ୍କ୍ବାଡ୍‌ ଅଧିକାରୀ ଛାଡ଼ିଥିବା କହିଥିଲେ। ତେବେ ଏତେ ପରିମାଣର ନଗଦ ଟଙ୍କା ଗୋଟିଏ ଦିନରେ କିପରି ଆସିଲା ବୋଲି ପ୍ରଶ୍ନ ଉଠିଛି। ଶନିବାର ବ୍ୟାଙ୍କ ବନ୍ଦ ଥିବା ବେଳେ ଦୁଇ ଦିନରେ ଏତେ ଟଙ୍କା ଗଚ୍ଛିତ ହେଲା ଯେ, ଆଜି ଦିନ ୧୨ଟା ବେଳକୁ ନଗଦ ୪୨ ଲକ୍ଷ ରାଶି ଜମା କରିବାକୁ ମିଳିଗଲା? ଏହା ଉପରେ ସ୍ଥାନୀୟ ଲୋକେ ସନ୍ଦେହ ପ୍ରକଟ କରିଛନ୍ତି। ଏହାର ଆୟକର ଯାଞ୍ଚ କରାଯିବାକୁ ଦାବି ହୋଇଛି।

ସୂଚନାଯୋଗ୍ୟ, କୈଳାସ ସାହୁ ଓ ତାଙ୍କ ଭାଇମାନଙ୍କର କୋଣାର୍କରେ ଲୁଗା ଏବଂ ତେଜରାତି ବ୍ୟବସାୟ ରହିଛି। ତାଙ୍କର ବ୍ୟବସାୟିକ ବ୍ୟାଙ୍କ ଖାତା କୋଣାର୍କ ୟୁକୋ ବ୍ୟାଙ୍କରେ ରହିଛି। ପୂର୍ବରୁ ତେଲ ବ୍ୟବସାୟରେ ସେ ବିବାଦୀୟ ହୋଇ ଫୌଜଦାରୀ ମାମଲାର ସମ୍ମୁଖୀନ ହୋଇଛନ୍ତି।

ସମ୍ବନ୍ଧିତ ଖବର