ଲୁଟିନେଲେ ୨୩.୬୮ଲକ୍ଷ! ସନ୍ଦେହ ଘେରରେ ଅଭିଯୋଗକାରୀ

ବିନା ସୁରକ୍ଷାରେ ଟଙ୍କା ନେଉଥିଲେ, ତଦନ୍ତ ପାଇଁ ପୁଲିସର ୩ଟି ଟିମ୍

ଖୋର୍ଦ୍ଧା : ଖୋର୍ଦ୍ଧା ସହରର ଜନଗହଳି ପୂର୍ଣ୍ଣ ଜୀବନ ବୀମା ନିଗମ କାର୍ଯ୍ୟାଳୟ ଠାରୁ ମାତ୍ର ୨୦୦ ମିଟର ଦୂରରେ ସକାଳ ୧୧ଟାରେ ଜଣେ ସିକ୍ୟୁରିଟି ସଂସ୍ଥାର କର୍ମଚାରୀଙ୍କ ଠାରୁ ୨୩ ଲକ୍ଷ ୬୮ ହଜାର ଟଙ୍କା ଲୁଟ୍‌ ହେବା ଘଟଣା ଖୋର୍ଦ୍ଧା ପୁଲିସର ନିଦ ହଜାଇ ଦେଇଛି। ତେବେ ଘଟଣାର ସର୍‌ଜମିନ ତଦନ୍ତ ଓ ଅଭିଯୋଗକାରୀଙ୍କ ବୟାନ ଭିତ୍ତିରେ ଲୁଟ୍‌ ସୁଚିନ୍ତିତ ଭାବେ କରାଯାଇଥିବା ଓ ଏଥିରେ ଖୋଦ୍‌ ଅଭିଯୋଗକାରୀ ସମ୍ପୃକ୍ତ ଥିବା ପୁଲିସ୍‌ ସନ୍ଦେହ କରୁଛି।

ସୂଚନାନୁସାରେ, ରଏଟର୍ସ ସେଫ୍ ଗାର୍ଡ ନାମକ ସିକ୍ୟୁରିଟି ସଂସ୍ଥା ଖୋର୍ଦ୍ଧା ଜୀବନ ବୀମା ନିଗମର ଟଙ୍କା ନିୟମିତ ଭାବେ ନେଇ ଆଇସିଆଇସିଆଇ ବ୍ୟାଙ୍କ ଖୋର୍ଦ୍ଧା ଶାଖାରେ ଜମା କରିଥାଏ। ଏହି ସଂସ୍ଥାର କର୍ମଚାରୀ ଭାବେ କାମ କରୁଥିବା ବାପୁଜୀ ମହାରଣା ଏଲ୍ଆଇସି କାର୍ଯ୍ୟାଳୟରୁ ୨୩ ଲକ୍ଷ ୬୮ହଜାର ୩୫୮ଟଙ୍କା ସଂଗ୍ରହ କରି ଆଇସିଆଇସିଆଇ ବ୍ୟାଙ୍କରେ ଜମା କରିବାକୁ ମଙ୍ଗଳାନଗର ରାସ୍ତାରେ ନିଜ (ଓ ଆର୍ ୦୨ ବି ଡି ୯୫୨୮) ମୋଟର ସାଇକଲରେ ଯାଉଥିଲେ। ଦିନ ୧୧ଟା ୪୬ ମିନିଟ୍‌ରେ ଗୋଟିଏ ମୋଟର ସାଇକଲରେ ୩ ଜଣ ଯୁବକ ଆସି ସାଇମନ୍ଦିର ନିକଟରେ ବାପୁଜୀଙ୍କୁ ବନ୍ଧୁକ ଦେଖାଇ ଅଟକାଇବା ସହିତ ଟଙ୍କା ଭର୍ତ୍ତି ବ୍ୟାଗ୍‌ଟିକୁ ନେଇ ଚାଲିଯାଇଥିଲେ। ଏନେଇ ବାପୁଜୀ ଅପରାହ୍ନ ୨ଟା ୫୦ରେ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଏଲ୍‌ଆଇସି କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା କିନ୍ତୁ ଘଟଣାକୁ ସନ୍ଦେହଘେରକୁ ଟାଣିଆଣିଛି। ଏଲ୍‌ଆଇସି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ୧୦ଲକ୍ଷରୁ ଅଧିକ ଟଙ୍କା ଜମା କରିବାକୁ ଗଲାବେଳେ ସୁରକ୍ଷା କର୍ମଚାରୀଙ୍କୁ ସାଙ୍ଗରେ ନେବା କଥା। କେବଳ ଏହାନୁହେଁ ଏକୁଟିଆ ଜମା କରିବାକୁ ଯିବା ପାଇଁ ମଧ୍ୟ ବାରଣ ରହିଛି। ଆଜି ଏହି ଟଙ୍କା ନେଇ ବାପୁଜୀ ଅନ୍ୟ ୩ଜଣ କର୍ମଚାରୀଙ୍କ ସହ ଯିବାର ଥିଲା। କିନ୍ତୁ କୌଣସି କାରଣ ହେତୁ ଅନ୍ୟ ୩ଜଣ କର୍ମଚାରୀ ପଛରେ ଆସିବୁ ବୋଲି କହି ବାପୁଜୀଙ୍କୁ ଯିବାକୁ କହିଥିଲେ। ଅପରପକ୍ଷରେ, ଲିଖିତ ଅଭିଯୋଗ ଓ ପଚରାଉଚରାରେ ମିଳିଥିବା ତଥ୍ୟ ତାଳମେଳ ରହୁ ନଥିବାରୁ ବାପୁଜୀଙ୍କ ଉପରେ ପୁଲିସର ସନ୍ଦେହ ମଧ୍ୟ ବଢ଼ିଛି। ପ୍ରଥମେ ବାପୁଜୀ ୨ଟି ବାଇକ୍‌ରେ ୫ଜଣ ଆସିଥିବା କହିଥିବା ବେଳେ ପରେ ବୟାନ ବଦଳାଇ ୨ଟି ବାଇକ୍‌ରେ ୪ଜଣ ଓ ପରେ ଗୋଟିଏ ବାଇକ୍‌ରେ ୩ଜଣ ଆସିଥିବା କହିଛନ୍ତି। ସେହିଭଳି, ଲୁଟ୍‌ ସମ୍ପର୍କରେ ନିଜର ଉପରିସ୍ଥ ଅଧିକାରୀ ଓ ଜୀବନ ବୀମା ଶାଖା ଅଧିକାରୀଙ୍କୁ ଜଣାଇଥିବା କହିଥିଲେ। କିନ୍ତୁ ଉଭୟ ଏନେଇ ପୁଲିସ୍‌ ନିକଟରେ କୌଣସି ଅଭିଯୋଗ କରି ନଥିବା ଘଟଣାକୁ ଆହୁରି ଜଟିଳ କରିଛି। ପୁଲିସ୍‌ ଅଭିଯୋଗକାରୀ ବାପୁଜୀଙ୍କ ବୟାନ ଭିତ୍ତିରେ ତାଙ୍କର ଅନ୍ୟ ଦୁଇ ସହଯୋଗୀ କର୍ମଚାରୀଙ୍କୁ ଥାନାକୁ ଡକାଇ ପଚରାଉଚରା କରିଥିବା ବେଳେ ୩ୟ କର୍ମଚାରୀ ଜଣଙ୍କୁ ପୁଲିସ୍‌ ଏଯାଏଁ ଠାବ କରି ପାରିନାହିଁ। ତଦନ୍ତ ପାଇଁ ଖୋର୍ଦ୍ଧା ପୁଲିସ୍‌ ଭୁବନେଶ୍ବର କମିସନରେଟ୍ ପୁଲିସର ସହାୟତା ନେଇଛି।

ଏନେଇ ଆରକ୍ଷୀ ଅଧୀକ୍ଷକ ଅଜୟ ପ୍ରତାପ ସ୍ବାଇଁ କହିଛନ୍ତି ଯେ, ଅଭିଯୋଗକାରୀର ବୟାନକୁ ନେଇ ଅନେକ ସନ୍ଦେହ ଉପୁଜୁଛି। ସେ କେଉଁ ପରିସ୍ଥିତିରେ ଏକୁଟିଆ ଏତେ ଟଙ୍କା ନେଇ ଆସିଥିଲା, ଏକୁଟିଆ ଟଙ୍କା ଆଣିବା ଘଟଣା ଏଲ୍ଆଇସି ଶାଖାର ଅଧିକାରୀଙ୍କୁ ନ ଜଣାଇବା, ଏଲ୍ଆଇସି ଅଫିସର ସିସିଟିଭି ଖରାପ ହୋଇଯାଇଥିବା ଓ ଲୁଟେରାଙ୍କ ସମ୍ପର୍କରେ ତଥ୍ୟରେ ତାଳମେଳ ନଥିବାରୁ ଅଭିଯୋଗକାରୀ ଉପରେ ହିଁ ସନ୍ଦେହ ସୃଷ୍ଟି ହେଉଛି। ତେବେ ଅଭିଯୋଗକାରୀଙ୍କୁ ପଚରାଉଚରା ଚାଲିଛି। ଏନେଇ ଲୁଟ ଦଫାରେ ୨୩/୨୦୨୦ରେ ଏକ ମାମଲା ରୁଜୁ କରାଯିବା ସହ ବେଗୁନିଆ, ଟାଙ୍ଗୀ ଓ ଖୋର୍ଦ୍ଧାର ପୁଲିସ୍‌ ଅଧିକାରୀଙ୍କୁ ନେଇ ୩ଟି ଟିମ୍ କରାଯାଇଛି। ଆଖପାଖର ସିସିଟିଭି ଫୁଟେଜ୍‌କୁ ଯାଞ୍ଚ୍‌ କରାଯାଉଛି। କମିସନ୍‌ରେଟ୍‌ ପୁଲିସ୍‌ ସହାୟତାରେ ଅପରାଧୀମାନଙ୍କ ରେକର୍ଡ ଯାଞ୍ଚ କରାଯାଉଛି। ଖୁବ୍‌ଶୀଘ୍ର ଲୁଟ ଘଟଣାର ମୁଖ୍ୟ ପଦାକୁ ଆସିବା ସମ୍ଭାବନା ରହିଛି ବୋଲି ଶ୍ରୀ ସ୍ବାଇଁ କହିଛନ୍ତି।

ସମ୍ବନ୍ଧିତ ଖବର