ଝାରସୁଗୁଡ଼ା : ଜଳସେଚନ ପାଇଁ ୪ ବିଭାଗକୁ ୨୩୬ କୋଟି ଟଙ୍କା ମଞ୍ଜୁର

କାର୍ଯ୍ୟ ଅଗ୍ରଗତି ନୈରାଶ୍ୟ ଜନକ, ବର୍ଷେ ହେଲା କେବଳ ସର୍ଭେ ଓ ସାମଗ୍ରୀ ଯୋଗାଣରେ ସୀମିତ

ଝାରସୁଗୁଡ଼ା : ଶିଳ୍ପାୟନ ଯୋଗୁଁ ଝାରସୁଗୁଡ଼ା ଜିଲ୍ଲାରେ ଜମି, ଜଙ୍ଗଲ ପରିମାଣ କମି ଯାଉଥିବା ବେଳେ ଜିଲ୍ଲାରେ ଆଶାନୁରୂପ ଜଳ ସେଚନ ବ୍ୟବସ୍ଥା ନାହିଁ। ଫଳରେ ଏଠାକାର ଚାଷୀ ବର୍ଷା ଉପରେ ନିର୍ଭର କରି ଚାଷ କରୁଥିବା ବେଳେ ସାଧାରଣ ପନିପରିବା ଉତ୍ପାଦନ ମଧ୍ୟ ଜିଲ୍ଲାରେ ଭଲ ଭାବରେ ହୋଇନଥାଏ। ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ ଜିଲ୍ଲା ଖଣିଜ ପାଣ୍ଠିକୁ ବିନିଯୋଗ କରାଯିବା ପାଇଁ ଉଦ୍ୟମ କରାଯାଇଛି। ଜିଲ୍ଲା ଖଣିଜ ପାଣ୍ଠିରେ ଜିଲ୍ଲାରେ ଯେଉଁ ଜଳସେଚନର ବ୍ୟବସ୍ଥା କରାଯାଇଛି ତାହା ଯଦି ନିଷ୍ଠାର ସହିତ କରାଯାଏ ତେବେ ଝାରସୁଗୁଡ଼ା ଜିଲ୍ଲା ଶସ୍ୟ ଶ୍ୟାମଳା ହୋଇ ଉଠିବ। ସାରା ଜିଲ୍ଲା ସବୁଜ କ୍ଷେତ୍ରରେ ପରିଣତ ହୋଇଯିବ ବୋଲି ଆଶା କରାଯାଉଛି।

ଏହି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପରିଚାଳନା କରିବା ପାଇଁ ଚାରି ଗୋଟି ସରକାରୀ ବିଭାଗକୁ ଦାୟିତ୍ବ ଅର୍ପଣ କରାଯାଇ ତାଙ୍କୁ ଆଖିବୁଜା ଟଙ୍କା ମଞ୍ଜୁର କରାଯାଇଛି। ଏହି ୪ ଗୋଟି ସରକାରୀ ସଂସ୍ଥା ମଧ୍ୟରୁ ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନ (ଓଏଆଇସି) ଝାରସୁଗୁଡ଼ା ଡ଼ିଭିଜନକୁ ୨୨ ଲକ୍ଷ ୩୬ ହଜାର ୩୫୦ ଟଙ୍କା ପ୍ରଦାନ କରାଯାଇ ସାରିଛି। ଓଏଆଇସି ଝାରସୁଗୁଡ଼ା ବ୍ଲକ ଜମେରା ଠାରେ ୨୦୧୭-୧୮ରେ ଗୋଟିଏ ପ୍ରକଳ୍ପରେ ୫ ଲକ୍ଷ ୯୪ ହଜାର ଟଙ୍କା ଖର୍ଚ୍ଚ କରି ସାରିଥିବା ବେଳେ ୨୦୧୮-୧୯ରେ ଜମେରା ଠାରେ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ପାଇଁ ୧୬ ଲକ୍ଷ ୪୨ ହଜାର ୩୫୦ ଟଙ୍କା ଓଆଇଏଲ୍ସି ମାଧ୍ୟମରେ କାର୍ଯ୍ୟକାରୀ କରାଯାଉଥିବା ବେଳେ ଏହାର କୌଣସି ଅଗ୍ରଗତି ହୋଇନଥିବା ଜଣାଯାଇଛି। ସେହିପରି ମେଗା ଉଠା ଜଳସେଚନ ବିଭାଗ ନିର୍ବାହୀଯନ୍ତ୍ରୀ ଭୁବନେଶ୍ବରଙ୍କ ମାଧ୍ୟମରେ ଜିଲ୍ଲା ଖଣିଜ ପାଣ୍ଠିରୁ ୧୮୬ କୋଟି ୯୫ ଲକ୍ଷ ୫୬ ହଜାର ଟଙ୍କା ମଞ୍ଜୁର କରାଯାଇ ବର୍ତ୍ତମାନ ସୁଦ୍ଧା ଉକ୍ତ ବିଭାଗକୁ ୭୬ କୋଟି ୫୯ ଲକ୍ଷ ୩୮ ହଜାର ଟଙ୍କା ପ୍ରଦାନ କରାଯାଇ ସାରିଛି। ସଂପୃକ୍ତ ବିଭାଗ ଏହି ଟଙ୍କାରୁ ୨୮ କୋଟି ୫୧ ଲକ୍ଷ ୪୦ ହଜାର ଖର୍ଚ୍ଚ କରିଥିବା ବେଳେ ଟଙ୍କାଟିଏର ବି ବିନିଯୋଗ ପ୍ରମାଣପତ୍ର ଦେଇନଥିବା ଜଣାଯାଇଛି। ଏହି ବିଭାଗକୁ ବାଞ୍ଜିବୋରାହା ମେଗା ଜଳସେଚନ ପ୍ରକଳ୍ପ ପାଇଁ ୪୪ କୋଟି ୫୧ ଲକ୍ଷ ୮୧ ହଜାର ଟଙ୍କା ମଞ୍ଜୁର ହୋଇଥିବା ବେଳେ ୧୩ କୋଟି ୩୫ ଲକ୍ଷ ୫୪ ହଜାର ୩ ଶହ ଟଙ୍କା ପ୍ରଦାନ କରାଯାଇଛି । ଏହି ଟଙ୍କାରେ ସଂପୃକ୍ତ ବିଭାଗର ଟେଣ୍ଡର କାମ ଗୋଟିଏ ବର୍ଷ ତଳୁ ସଂପୂର୍ଣ୍ଣ ହୋଇଥିବା ବେଳେ ସର୍ଭେ କାମ ସାରିଥିବା ଓ ପମ୍ପହାଉସ କାମ ଚାଲିଥିବା ସହିତ ନିର୍ମାଣ ସାମଗ୍ରୀ ସଂଗ୍ରହ ଚାଲିଥିବା ଦର୍ଶାଇଛି।

ସେହିପରି ଚାଣ୍ଟିପାଲି ମେଗା ଜଳସେଚନ ପ୍ରକଳ୍ପ ପାଇଁ ୪୬ କୋଟି ୮୨ ଲକ୍ଷ ୧୮ ହଜାର ଟଙ୍କା ମଞ୍ଜୁର କରାଯାଇ ୧୪ କୋଟି ୪ ଲକ୍ଷ ୬୫ ହଜାର ୩ ଶହ ଟଙ୍କା ପ୍ରଦାନ କରାଯାଇସାରିଛି। ଏଥିରେ ମଧ୍ୟ ବର୍ଷତଳେ ଟେଣ୍ଡର କାର୍ଯ୍ୟ ସରିଥିବା କାର୍ଯ୍ୟରେ କୌଣସି ଅଗ୍ରଗତି ହୋଇନଥିବା ଜଣାଯାଇଛି। ଚାଣ୍ଟିପାଲି-ଦ୍ବିତୀୟ ମେଗା ଉଠାଜଳଚେନ ପ୍ରକଳ୍ପ ପାଇଁ ୬୬ କୋଟି ୩୧ ଲକ୍ଷ ୯୮ ହଜାର ଟଙ୍କା ମଞ୍ଜୁର ହୋଇଥିବା ବେଳେ ୧୯ କୋଟି ୮୯ ଲକ୍ଷ ୫୯ ହଜାର ୪ ଶହ ଟଙ୍କା ପ୍ରଦାନ କରାଯାଇ ସାରିଛି। ଏଥିରେ ମଧ୍ୟ ଗତ ବର୍ଷେ ତଳେ ଟେଣ୍ଡର ପ୍ରକ୍ରିୟା ସଂପୂର୍ଣ୍ଣ ହୋଇସାରିଥିବା ବେଳେ କାମ ଆମମ୍ଭ ହୋଇ ନାର୍ହି। ତିନୋଟି ବୃହତ ପ୍ରକଳ୍ପରେ ବିଭାଗ ପକ୍ଷରୁ କେବଳ ସର୍ଭେ କାମ ସରିଥିବା ଓ ମେଟେରିଆଲ ସଂଗ୍ରହ କରାଯାଉଥିବା ଦର୍ଶାଇଛନ୍ତି। ଝାରସୁଗୁଡ଼ା କ୍ଷୁଦ୍ର ଜଳସେଚନ ବିଭାଗ ମାଧ୍ୟମରେ ୫ ଗୋଟି ପ୍ରକଳ୍ପ ପାଇଁ ୧୨ କୋଟି ୮୯ ଲକ୍ଷ ୧୨ ହଜାର ୩ ଶହ ଟଙ୍କା ମଞ୍ଜୁର କରାଯାଇ ୩ କୋଟି ୪୩ ଲକ୍ଷ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏଥିରେ ପୁରୁଣାବସ୍ତି କଟା ଆଡ଼ିକୁ କଂକ୍ରିଟ ରାସ୍ତା ନିର୍ମାଣ ଓ ଖନନ ପାଇଁ ୩ କୋଟି ୫୭ ଲକ୍ଷ ୩୭ ହଜାର ୩ ଶହ ଟଙ୍କା ମଞ୍ଜୁର କରାଯାଇ ୧ କୋଟି ୭୪ ଲକ୍ଷ ୨୧ ହଜାର ଟଙ୍କା ପ୍ରଦାନ କରାଯାଇ ସାରିଛି। ଏହି ଟଙ୍କାରୁ ୭୫ ଲକ୍ଷ ୨୭ ହଜାର ୩୦୯ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି।

ବେଲପାହାଡ଼ ସମଡ଼ା କଟା ପାଇଁ ୨ କୋଟି ୨୯ ଲକ୍ଷ ୯୯ ହଜାର ଟଙ୍କା ମଞ୍ଜୁର ହୋଇ ସେଥିରୁ ୧ କୋଟି ୧ ଲକ୍ଷ ୯୮ ହଜାର ଟଙ୍କା ପ୍ରଦାନ କରାଯାଇ ସାରିଛି। ଗୁମାଡେରା କଟା ପାଇଁ ୨ କୋଟି ୪୯ ଲକ୍ଷ ୬୯ ହଜାର ମଞ୍ଜୁର କରାଯାଇ ମାତ୍ର ୩୭ ଲକ୍ଷ ୫ ହଜାର ଖର୍ଚ୍ଚ କରାଯାଇଛି। ଝାରସୁଗୁଡ଼ା ବେହେରାପାଟ କଟାର ପୁନରୁଦ୍ଧାର ପାଇଁ କ୍ଷୁଦ୍ର ଜସେଚନ ବିଭାଗକୁ ୨ କୋଟି ୨୩ ଲକ୍ଷ ୪୫ ହଜାର ଟଙ୍କା ମଞ୍ଜୁର ହୋଇଥିବା ବେଳେ ୬୭ ଲକ୍ଷ ଟଙ୍କା ପ୍ରଦାନ କରାଯାଇ ସାରିଛି। ସରବାହାଲ କଟାର ପୁନରୁଦ୍ଧାର ପାଇଁ ୨ କୋଟି ୨୮ ଲକ୍ଷ ୬୨ ହଜାର ଟଙ୍କା ମଞ୍ଜୁର କରାଯାଇ ୩ ଲକ୍ଷ ୧୦ ହଜାର ଟଙ୍କା ଖର୍ଚ୍ଚ କରାଯାଇ ସାରିଲାଣି। ଓଡ଼ିଶା ଉଠା ଜଳସେଚନ ବିଭାଗ, ସମ୍ବଲପୁର ଜରିଆରେ ୧୬୬ ଗୋଟି ପ୍ରକଳ୍ପ ପାଇଁ ୩୬ କୋଟି ୬୧ ଲକ୍ଷ ୯୬ ହଜାର ଟଙ୍କା ମଞ୍ଜୁର କରାଯାଇ ୨୫ କୋଟି ୧୨ ଳକ୍ଷ ୧୬ ହଜାର ୭୫୫ ଟଙ୍କା ପ୍ରଦାନ କରାଯାଇ ସାରିଛି। ସଂପୃକ୍ତ ବିଭାଗ ବର୍ତ୍ତମାନ ସୁଦ୍ଧା ୧୬ କୋଟି ୮୩ ଲକ୍ଷ ୯୬ ହଜାର ୫୮୪ ଟଙ୍କାର ବିନିଯୋଗ ପ୍ରମାଣପତ୍ର ପ୍ରଦାନ କରିଛି। ଉପରୋକ୍ତ ପକଳ୍ପର ଅଗ୍ରଗତି ନେଇ ସ୍ବତନ୍ତ୍ର ପରିଚାଳନା ନହେଲେ ଜନସାଧାରଣଙ୍କ ହଜାର ହଜାର କୋଟି ଟଙ୍କା କେବଳ ରାଜନେତା, ଅଧିକାରୀ ଓ ଠିକାଦାରଙ୍କ ପକେଟକୁ ଯିବ ଏଥିରେ ସଂଦେହ ନାହିଁ।

ସମ୍ବନ୍ଧିତ ଖବର