କଟକ : ନାଇଜେରୀୟ ଠକ ଗ୍ୟାଙ୍ଗ ଜାଲରେ ଫସି ଯାଇଛନ୍ତି ଜଣେ ଅଧ୍ୟାପକଙ୍କ ପତ୍ନୀ। ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୨୩ ଲକ୍ଷ ୩୮ ହଜାର ଟଙ୍କା ପୋଛି ନେଇଛନ୍ତି ଏହି ଠକ। ବିଦେଶରୁ ପାର୍ସଲ ପଠାଉଥିବା ଲୋଭ ଦେଖାଇ ଏଭଳି ଟଙ୍କା ଠକି ନେଇଥିବା ସଂକ୍ରାନ୍ତରେ କ୍ରାଇମ୍ବ୍ରାଞ୍ଚରେ ଅଭିଯୋଗ ହୋଇଛି। ଗ୍ୟାଙ୍ଗର ପ୍ରାୟ ଏକ ହଜାର ସଦସ୍ୟ ଦିଲ୍ଲୀରେ କୁତବ ନଗର, ତିଲକ୍ ନଗର ଇତ୍ୟାଦି ଅଞ୍ଚଳରେ ରହି ପୁରା ଦେଶର ଠକେଇ କାରବାରକୁ ନିୟନ୍ତ୍ରଣ କରୁଥିବା କ୍ରାଇମ୍ବ୍ରାଞ୍ଚ ସୂଚନା ପାଇଛି। ମୁଖ୍ୟତଃ ତ୍ରିପୁରା ଏବ˚ ମଣିପୁରର ସୁନ୍ଦରୀ ଯୁବତୀଙ୍କୁ ଫୋନ୍ କଲ୍ ଏବ˚ ଫେସ୍ବୁକରେ ବନ୍ଧୁତା ଯୋଡ଼ିବାରେ ବ୍ୟବହାର କରି ଏଭଳି ବିଭିନ୍ନ ଢଙ୍ଗରେ ଠକେଇ ହେଉଥିବା ଜଣା ପଡିଛି।
ଅଭିଯୋଗ ଅନୁଯାୟୀ, ସୁନ୍ଦରଗଡ଼ର ଏକ କଲେଜରେ ଅଧ୍ୟାପକ ଥିବା ମୟୂରଭଞ୍ଜର ଜଣେ ବ୍ୟକ୍ତିଙ୍କ ପତ୍ନୀ ଫେସ୍ବୁକରେ ଜଣେ ଅଜଣା ଯୁବକଙ୍କ ସହିତ ବନ୍ଧୁତା ଯୋଡ଼ିଥିଲେ। ଅକ୍ଟୋବର ମାସ ଆରମ୍ଭ ବେଳକୁ ବନ୍ଧୁତା ଆରମ୍ଭ ହୋଇଥିଲା। କ୍ରମାଗତ ଭାବେ ଉଭୟ ହ୍ବାଟସ୍ଆପ୍ରେ ଚାଟି˚ କରିଥିଲେ। ସମ୍ପୃକ୍ତ ଫେସ୍ବୁକ ଫ୍ରେଣ୍ତ ମହିଳାଙ୍କୁ ଦାମି ଉପହାର ପାର୍ସଲରେ ପଠାଉଥିବା କହିଥିଲେ। ସେ ଗତ ସପ୍ତାହରେ ପାର୍ସଲ ପଠାଇଥିଲେ। ହଠାତ୍ ଏକ ଫୋନ୍ କଲ୍ ମହିଳାଙ୍କ ମୋବାଇଲ୍କୁ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ନିଜକୁ ଦିଲ୍ଲୀ ଏୟାରପୋର୍ଟର କଷ୍ଟମ ବିଭାଗ ଅଧିକାରୀ ଭାବେ ପରିଚୟ ଦେଇଥିଲା। ତାଙ୍କ ନାଁରେ ଆସିଥିବା ପାର୍ସଲ କଷ୍ଟମ ବିଭାଗ ହାତରେ ଧରାପଡ଼ିଥିବା କହିଥିଲା। ଏଥିରେ ମୂଲ୍ୟବାନ ଅଳଙ୍କାର ଏବ˚ ଟଙ୍କା ଥିବାରୁ ପାର୍ସଲ୍ ରିଲିଜ୍ କରିବା ପାଇଁ ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ଲାଞ୍ଚ ଆକାରରେ ଦାବି କରିଥିଲେ। ଏଭଳି ଫୋନ୍ କଲ୍ ପାଇବା ପରେ ମହିଳା ଜଣକ ପାଖାପାଖିି ୪୦ ଟି ପର୍ଯ୍ୟାୟରେ ଦିଲ୍ଲୀରେ ଥିବା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଅନ୍ଲାଇନ୍ରେ ପଠାଇଥିଲେ। ପରେ କିନ୍ତୁ କୌଣସି ପ୍ରକାର ପାର୍ସଲ ମହିଳାଙ୍କ ନିକଟରେ ପହଞ୍ଚି ନଥିଲା। ଫଳରେ ସେ ଠକି ଯାଇଥିବା ଜାଣିବାକୁ ପାଇଥିଲେ। ଏ ସମ୍ପର୍କରେ ସେ କ୍ରାଇମ୍ବ୍ରାଞ୍ଚରେ ଲିଖିତ ଅଭିଯୋଗ କରିଛନ୍ତି। କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଫୋନ୍ ଆସିଥିବା ନମ୍ବର ଯାଞ୍ଚ କରାଯାଇଥିଲା। କିନ୍ତୁ ଉକ୍ତ ନମ୍ବର ଅନ୍ଲାଇନ୍ ଆପ୍ଲିକେସନ ମାଧ୍ୟମରେ ମିଳିଥିବାରୁ ଟ୍ରାକ୍ କରିବା ଆଦୌ ସମ୍ଭବ ନୁହେଁ ବୋଲି କୁହାଯାଉଛି। ଅନ୍ୟପଟେ ଏବେ ୪୦ ଥର ଟଙ୍କା ଜମା ହୋଇଥିବା ବିଭିନ୍ନ ବ୍ୟାଙ୍କ ସହିତ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଯୋଗାଯୋଗ କରାଯାଉଛି।
ଶେଷ ଥର ପାଇଁ ନାଇଜେରିଆନ୍ ଗ୍ୟାଙ୍ଗର ଜଣେ ଯୁବତୀ ଭୁବନେଶ୍ବରର ଜଣେ ଓଡ଼ିଆ ଯୁବକଙ୍କ ନିକଟରୁ ୨ ଲକ୍ଷ ଟଙ୍କା ଠକି ନେଇଥିଲେ। ଟୋନିଆ ଵିଲିୟମସ୍ ନାମରେ ପରିଚୟ ଦେଇଥିବା ସମ୍ପୃକ୍ତ ଯୁବତୀ ଦିଲ୍ଲୀ ଏୟାର ପୋର୍ଟରେ ଟଙ୍କା ସହିତ ଫସି ଯାଇଥିବା କହି ଟଙ୍କା ଠକି ନେଇଥିବା ସ˚କ୍ରାନ୍ତରେ ଗତ ଅଗଷ୍ଟ ୨୯ ତାରିଖରେ କ୍ରାଇମ୍ବ୍ରାଞ୍ଚରେ ଅଭିଯୋଗ ହୋଇଥିଲା। ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ପୁଣି ନାଇଜେରୀୟ ଗ୍ୟାଙ୍ଗର ଉତ୍ପାତ ଘଟଣା ସାମ୍ନାକୁ ଆସିଛି।
ତଦନ୍ତରୁ ଜଣାପଡ଼ିଛି ଯେ, ନାଇଜେରୀୟ ଗ୍ୟାଙ୍ଗ ଏଭଳି ଅନ୍ଲାଇନ୍ରେ ବନ୍ଧୁତା ଯୋଡ଼ି ଟଙ୍କା ଠକେଇ କାରବାର ଆରମ୍ଭ କରିଦେଇଛନ୍ତି। ଏମାନେ ଦିଲ୍ଲୀରେ କୁତବ ନଗର, ତିଲକ୍ ନଗର ଥାନା ମହାବୀର ନଗର, ବସନ୍ତ ବିହାର, ଉତ୍ତମ ନଗର ଥାନା ମୋହନ ଗାର୍ଡେନ୍, ସାହାଦରର ପୂର୍ବ ବାବରପୁରରୁ ସାରା ଦେଶକୁ ନିୟନ୍ତ୍ରଣ କରୁଛନ୍ତି। ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ୍, ନାଗାଲାଣ୍ତ, ସିକିମ୍, ତ୍ରିପୁରାରର ସୁନ୍ଦରୀ ଯୁବତୀଙ୍କୁ ଏମାନେ ବ୍ୟବହାର କରୁଛନ୍ତି। ଜାଲ୍ ପରିଚୟପତ୍ରରେ ଖୋଲିଥିବା ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା କାରବାରରେ ବ୍ୟବହାର କରୁଥିବାରୁ ତାଙ୍କ ନିକଟରେ କ୍ରାଇମ୍ବ୍ରାଞ୍ଚ ପୁଲିସ ପହଞ୍ଚିବା ଅନେକ ସମୟରେ ସମସ୍ୟା କରୁଛି।