ରାଉରକେଲାର ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥା ‘ସମ୍ବନ୍ଧ’ରେ ୨୫୧ କୋଟିର ଠକେଇ

ସିଇଓଙ୍କ ନାମରେ ଅଭିଯୋଗ
ଜାଲ ଖାତା ଖୋଲି ପାଣ୍ଠି ଅନ୍ୟତ୍ର ସ୍ଥାନାନ୍ତର
ଋଣ ରାଶି ଫେରସ୍ତ କରିବାରେ ବିଫଳ

ଭୁବନେଶ୍ୱର : ରାଉରକେଲାର ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥା ତଥା ମାଇକ୍ରୋ ଫାଇନାନ୍ସ ସଂସ୍ଥା ସମ୍ବନ୍ଧ ଫିନସର୍ଭ ପ୍ରାଇଭେଟ୍‌ ଲିମିଟେଡ୍‌ରେ ୨୫୧ କୋଟି ଟଙ୍କାର ଠକେଇ ନେଇ ଅଭିଯୋଗ ହୋଇଛି। ଜାଲ୍‌ ଖାତା ଖୋଲି ସଂସ୍ଥାର ‌ପାଣ୍ଠିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ସମ୍ବନ୍ଧର ସିଇଓ ଦୀପକ କିଣ୍ଡୋଙ୍କ ଇଙ୍ଗିତରେ ଏହି ଠକେଇ ହୋଇଥିବା କୁହାଯାଇଛି। ଦୀପକ ହେଉଛନ୍ତି ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଲିଭ୍‌ନସ୍‌ କିଣ୍ଡୋଙ୍କ ପୁଅ।

ଏହି ସଂସ୍ଥା ବିଭିନ୍ନ ବ୍ୟାଙ୍କ ଠାରୁ ଋଣ ଆଣି ତାହାକୁ ଲଘୁ ଋଣ ଆକାରରେ ଗ୍ରାମାଞ୍ଚଳରେ ପ୍ରଦାନ କରିଥାଏ। ତେବେ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକର ଋଣ ରାଶି ଫେରସ୍ତ କରିବାରେ ଏହା ବିଫଳ ହେବା ପରେ ସଂସ୍ଥାର ଆର୍ଥିକ ସ୍ଥିତିକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ସେପ୍ଟେମ୍ବର ମାସ ଶେଷ ଆଡ଼କୁ ସଂସ୍ଥା ଭିତରେ ୨୫୧ କୋଟି ଟଙ୍କାର ଠକେଇ ହୋଇଛି। ଏବିଷୟରେ ସଂସ୍ଥାର ଚାରି ଜଣ ବରିଷ୍ଠ ଅଧିକାରୀ ତୁରନ୍ତ ବୋର୍ଡର ଦୃଷ୍ଟି ଆକର୍ଷଣ କରିଥିଲେ। ଋଣ ଖାତାକୁ ଜାଲିଆତି କରି ଏହି ଠ‌କେଇ କରାଯାଇଛି ବୋଲି ସେମାନେ ବୋର୍ଡକୁ ସୂଚିତ କରିଥିଲେ। ଏବେ ଏହି ଅଭିଯୋଗର ଆଭ୍ୟନ୍ତରୀଣ ତଦନ୍ତ ଚାଲିଛି।

‘ସମ୍ବନ୍ଧ’ ଉପରେ ମୋଟ୍ ୪୩୩ କୋଟି ଟଙ୍କାର ଋଣ ରାଶି ବକେୟା ରହିଛି। ସେଥି ମଧ୍ୟରୁ ୩୮୩ କୋଟି ଟଙ୍କା ଏହା ବିଭିନ୍ନ ବ୍ୟାଙ୍କ ଠାରୁ ଆଣିଥିଲା। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ୟେସ୍‌ ବ୍ୟାଙ୍କ, ବନ୍ଧନ ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ, ଡିସିବି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ନର୍ଦନ ଆର୍କ କ୍ୟାପିଟାଲ୍ ଓ ସିଡ୍‌ବି ଏହାକୁ ଋଣ ଦେଇଛନ୍ତି।

ଏହି ସବୁ ସଂସ୍ଥାରେ କିସ୍ତିରେ ଶୁଝିବାରେ ‘ସମ୍ବନ୍ଧ’ ବିଫଳ ହେବା ପରେ ଏହା ଗ୍ରାହକମାନଙ୍କୁ ଦେଇଥିବା ଋଣ ଖାତାର ଯାଂଚ କରାଯାଇଥିଲା। ଯାଂଚରୁ ଜଣାପଡ଼ିଛି ଯେ ଚଳିତ ବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ସମ୍ବନ୍ଧ ଏହାର ଗ୍ରାହକମାନଙ୍କୁ ୩୯୧ କୋଟି ଟଙ୍କାର ଋଣ ଦେଇଛି। ସେଥିରୁ ୧୪୦ କୋଟି ଟଙ୍କାର ହିସାବ ମିଳୁଥିବା ବେଳେ ବଳକା ୨୫୧ କୋଟି ଟଙ୍କାର କୌଣସି ହିସାବ ନାହିଁ। ଏହି ଜାଲିଆତି କଂପାନିର ସିଇଓ ଦୀପକ କିଣ୍ଡୋ କରିଥିବା ଅଭିଯୋଗ ହୋଇଛି। ତାଙ୍କ ନିର୍ଦେଶାନୁସାରେ ଦିୟା ଡେରି ଆଣ୍ଡ୍‌ ଏଗ୍ରୋପ୍ରୋସେସର ପ୍ରାଇଭେଟ୍ ଲିମିଟେଡ୍, କ୍ଷମତା ଫାଉଣ୍ଡେସନ, ରିଜିଓନାଲ୍ ରୁରାଲ୍ ଡେଭେଲପ୍‌ମେଣ୍ଟ୍‌ ସେଣ୍ଟର୍‌, ଡିକେ ଏଣ୍ଟରପ୍ରାଇଜେସ୍‌, ଉତ୍କଳ ଡେରି ଓ ଅନ୍ୟ କିଛି ଅଜଣା ବ୍ୟକ୍ତି ଓ ସଂସ୍ଥା ନାମରେ ସମ୍ବନ୍ଧ ଫିନ୍‌ସର୍ଭର ୨୫୧ କୋଟି ଟଙ୍କାର ପାଣ୍ଠି ସ୍ଥାନାନ୍ତର କରାଯାଇଥିବା ଅଭିଯୋଗ ହୋଇଛି।

‘ସମ୍ବନ୍ଧ’ରେ ପ୍ରକୃତରେ କ’ଣ ସମସ୍ୟା ହୋଇଛି ତାହା ଜାଣିବା ଲାଗି ‌ରେଟିଂ ଏଜେନ୍ସି ‘ବ୍ରିକ୍‌ୱର୍କ ରେଟିଙ୍ଗସ୍‌’ ପକ୍ଷରୁ ପ୍ରୟାସ କରାଯାଇଥିଲା। ବ୍ରିକ୍‌ୱର୍କ ରେଟିଙ୍ଗସ୍‌ ପକ୍ଷରୁ କଂପାନିର ମୁଖ୍ୟ ବିତ୍ତ ଅଧିକାରୀଙ୍କ ସହ ଏନେଇ ଚଳିତ ମାସ ୧୩ରେ ଆଲୋଚନା କରାଯାଇଥିଲା। ‘ସମ୍ବନ୍ଧ’ର ଋଣ ଖାତାରେ ଜାଲିଆତି କରି ବିପୁଳ ପରିମାଣର ପାଣ୍ଠି ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ବୋଲି ଅଧିକାରୀ ଜଣକ କହିଥିଲେ। ଏହା ଜଣାପଡ଼ିବା ପରେ ସମ୍ବନ୍ଧର ରେଟିଂକୁ ‘ଖିଲାପ’ ବର୍ଗକୁ ହ୍ରାସ କରାଯାଇଥିଲା। ସାଧାରଣତଃ ମାଇକ୍ରୋ ଫାଇନାନ୍ସ ସଂସ୍ଥାଗୁଡ଼ିକ ଖାତା ପିଛା ୨୫ ହଜାର ଟଙ୍କାର ଋଣ ଦେଇଥାନ୍ତି। ସଂସ୍ଥାରେ ୨୫୧ କୋଟି ଟଙ୍କାର ଜାଲିଆତି କରିବା ଲାଗି ବିପୁଳ ପରିମାଣର ଜାଲ୍ ଖାତା ଖୋଲାଯାଇଥିବ ବୋଲି ସନ୍ଦେହ କରାଯାଉଛି। ୨୦୧୫-୧୬ ଆର୍ଥିକ ବର୍ଷ ଠାରୁ ଏଭଳି ବେଆଇନ କାରବାର ଚାଲିଥିଲା। ଏବେ ତାହା ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର