ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ଖୋର୍ଦ୍ଧା ନିକଟ ଅଁଳେଇ ମନ୍ଦିର ନିକଟରୁ ଦୁଇଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨୬ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ କରାଯାଇଛି । ଖୋର୍ଦ୍ଧା ଠାରୁ ପ୍ରାୟ ୬ କିଲେମିଟର ଦୂର ଅରାଙ୍ଗ ଗାଁ ଠାରେ ଥିବା ଅଁଳେଇ ମନ୍ଦିର ନିକଟରେ ମାରାତ୍ମକ ବ୍ରାଉନ୍ସୁଗାର କାରବାର ହେଉଥିବା ସୂଚନା ମିଳିଥିଲା ।
ସୂଚନା ପାଇ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ଏସ୍ଡିପିଓ ସୁଶୀଲ ମିଶ୍ର ଓ ଟାଉନ୍ ଥାନାର ଭାରପ୍ରାପ୍ତ ଅଧିକାରୀ ଡେପୁଟି ଏସ୍ପି ସଂଜୟ ପଟ୍ଟନାୟକଙ୍କ ତତ୍ୱାବଧାନରେ ଏସ୍ଆଇ ସୁଶାନ୍ତ କୁମାର ଦଳାଇ, ଏସ୍ଆଇ ପଦ୍ମଲୋଚନ ବେହେରା ଓ ଏସ୍ଆଇ ସସ୍ମିତା ବେହେରାଙ୍କୁ ନେଇ ଏକ ଟିମ୍ ଗଠନ କରିଥିଲେ । ଏହି ଟିମ୍କୁ ସ୍ୱତନ୍ତ୍ର ସ୍କ୍ୱାଡର ଏଏସ୍ଆଇ ରାମଚନ୍ଦ୍ର ମିଶ୍ର ଓ ତାଙ୍କ ଟିମ୍ ସହାୟତା କରିଥିଲେ । ଆଜି ମଧ୍ୟାହ୍ଣ ପ୍ରାୟ ୧୨ଟା ବେଳେ ମନ୍ଦିର ନିକଟରେ ଚଢ଼ଉ କରାଯାଇଥିଲା । ଚଢ଼ଉରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ନିକଟ ନାରାୟଣ ନଗରର ପ୍ରକାଶ ନାୟକ ଓରଫ ମୁନା ଓ ଗୁରୁଜଙ୍ଗ ଟାଙ୍ଗିସାହିର ସୁରେଶ କୁମାର ସାହୁ ଓରଫ ସୁର ଓରଫ ସୋମନାଥଙ୍କୁ ଧରିଥିଲେ । ସେମାନଙ୍କ ନିକଟରୁ ଏକ ମୋଟରସାଇକଲ (ଓଡି୦୨ ଏଏଫ୍୯୬୭୩) ଓ ୨୬୦ ଗ୍ରାମ ବ୍ରାଉନ୍ସୁଗାର ଜବତ ହୋଇଥିଲା । ଜବତ ବ୍ରାଉନ୍ସୁଗାରର ମୂଲ୍ୟ ଆନୁମାନିକ ୨୬ଲକ୍ଷ ଟଙ୍କା ହେବ ।
ଏନେଇ ସୂଚନା ଦେଇ ଟାଉନ୍ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏନେଇ ଏନ୍ଡିପିଏସ୍ର ଧାରାରେ ୨୪୯/୨୦୨୨ରେ ଏକ ମାମଲା ରୁଜୁ କରାଯାଇଛି । ଉଭୟ ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟରେ ହାଜର କରାଯାଇଛି । ମାମଲାର ଅଧିକ ଅନୁସନ୍ଧାନ ପାଇଁ ଏସ୍ଆଇ ସସ୍ମିତା ବେହେରାଙ୍କୁ ଦାୟିତ୍ୱ ଦିଆଯାଇଛି ।