‘ଅବଢ଼ା’ ଯୋଜନାରେ ୨୬୫ କୋଟିର ପ୍ରକଳ୍ପ ଅନୁମୋଦିତ

ପୁରୀରେ ୫ଟି ପ୍ରକଳ୍ପର ଭିତ୍ତିଭୂମି ବିକାଶ, ତିଆରି ହେବ ଅତ୍ୟାଧୁନିକ ମାର୍କେଟ୍‌ କମ୍ପ୍ଲେକ୍ସ, ବହୁତଳ ପାର୍କିଂସ୍ଥଳରେ ୪୦୦ ଗାଡ଼ିର ପାର୍କିଂ ସୁବିଧା

ଭୁବନେଶ୍ବର : ପୁରୀ ସହରର ଭିତ୍ତିଭୂମି ବିକାଶ ସଂପର୍କରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୬୫ କୋଟି ଟଙ୍କାର ୫ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଧାମକୁ ବିଶ୍ୱର ବିଭିନ୍ନ ଅଞ୍ଚଳରୁ ଲକ୍ଷ ଲକ୍ଷ ଭକ୍ତ ଆସୁଛନ୍ତି। ସେମାନଙ୍କୁ ପୁରୀ ସହରରେ ଉନ୍ନତମାନର ସେବା ଓ ସୁବିଧା ଯୋଗାଇ ଦେବା ପାଇଁ ‘ଅବଢ଼ା’ ଯୋଜନାରେ ୫ଟି ଭିତ୍ତିଭୂମି ବିକାଶ ପ୍ରକଳ୍ପ ଆରମ୍ଭ କରାଯିବ। ପୁରୀ ପୁରୁଣା ଜେଲ୍‌ ପରିସର, ଯାତ୍ରୀକା ଓ ମ୍ୟୁନିସ୍‌ପାଲଟି ମାର୍କେଟ୍‌ର ବିକାଶ କରାଯାଇ ସେଠାରେ ୧୨୫୦ ଦୋକାନ ଘର ନିର୍ମାଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ପୁରୀ ପୁରୁଣା ଜେଲ୍‌ ପରିସରରେ ବହୁତଳ ବିଶିଷ୍ଟ ପାର୍କିଂ ବ୍ୟବସ୍ଥାର ବିକାଶ କରାଯିବ। ଯେଉଁଠାରେ ୪୦୦ କାର୍‌ ପାର୍କିଂର ସୁବିଧା ରହିବ। ଏହାଦ୍ୱାରା ପୁରୀକୁ ଆସୁଥିବା ଯାତ୍ରୀମାନଙ୍କର ଗାଡ଼ି ପାର୍କିଂ ସମସ୍ୟା ଦୂର ହୋଇପାରିବ।

ସେହିପରି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ପୁରୀରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଗୋଟିଏ ଛାତ ତଳେ ରଖାଯିବ। ଗୋଟିଏ ସ୍ଥାନରେ ସମସ୍ତ ସରକାରୀ କାର୍ଯ୍ୟାଳୟ ରହିବା ଦ୍ୱାରା ସାଧାରଣ ଲୋକମାନଙ୍କ ପାଇଁ ଏହା ସୁବିଧାଜନକ ହେବ। ଏହାଛଡ଼ା ସ୍ଥାନାନ୍ତରିତ ହୋଇଥିବା କାର୍ଯ୍ୟାଳୟ ପରିସରଗୁଡ଼ିକୁ ପାର୍କ ଆଦି ବିଭିନ୍ନ ନାଗରିକ ସୁବିଧା କେନ୍ଦ୍ର ଭାବରେ ବ୍ୟବହାର କରାଯାଇପାରିବ। ପୁରୀ ମ୍ୟୁନିସ୍‌ପାଲଟି ମାର୍କେଟ୍‌ର ପୁନରୁଦ୍ଧାର କରାଯାଇ ଏହାକୁ ଅତ୍ୟାଧୁନିକ ମାର୍କେଟ୍‌ କମ୍ପ୍ଲେକ୍‌ସରେ ପରିଣତ କରାଯିବ। ଆଚାର୍ଯ୍ୟ ହରିହର ଛକର ରାସ୍ତା ସଂପ୍ରସାରଣ କରାଯାଇ ସେଠାରେ ବିଭିନ୍ନ ନାଗରିକ ସୁବିଧା ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହାତକୁ ନିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଏହି ସମସ୍ତ କାର୍ଯ୍ୟ ପୂର୍ତ୍ତ ବିଭାଗ ଅଧୀନରେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଜରିଆରେ କାର୍ଯ୍ୟକାରୀ ହେବ। ଆଜିର ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ, ଅର୍ଥ ବିଭାଗର ପ୍ରମୁଖ ସଚିବ, ପୂର୍ତ୍ତ ସଚିବ ଓ ପୁରୀ ଜିଲ୍ଲାପାଳ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର