ଭୁବନେଶ୍ୱର : ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା(ଆର.କେ.ଭି.ଓ୍ଵାଇ)ର ରାଜ୍ୟସ୍ତରୀୟ ମଞ୍ଜୁରି କମିଟି ୨୬୬.୪୩ କୋଟିର ୨୯ଟି ପ୍ରକଳ୍ପକୁ ମଞ୍ଜୁରି ଦେଇଛି। ବିଭିନ୍ନ ବିଭାଗ, କୃଷି ବିଶ୍ୱବିଦ୍ୟାଳୟ, ନିଗମଗୁଡ଼ିକ ଏସବୁ ପ୍ରକଳ୍ପ ପ୍ରସ୍ତୁତ କରି ପ୍ରସ୍ତାବ ରୂପେ ଉପସ୍ଥାପନ କରିଥିଲେ।
ମଞ୍ଜୁରି ପାଇଥିବା ପ୍ରକଳ୍ପଗୁଡ଼ିକୁ ନିର୍ଧାରିତ ସମୟସୀମା ମଧ୍ୟରେ ପୂର୍ଣ୍ଣାଙ୍ଗ କରିବା ସହିତ ସେଗୁଡ଼ିକ ଯେପରି ନିଜସ୍ୱ ସାମର୍ଥ୍ୟ ହାସଲ କରିପାରିବ ତା’ ଉପରେ ଗୁରୁତ୍ୱାରୋପ କରିଥିଲେ ମୁଖ୍ୟ ସଚିବ ଶ୍ରୀ ପାଢ଼ୀ। ଏସବୁ ପ୍ରକଳ୍ପଗୁଡ଼ିକ ବାସ୍ତବ କ୍ଷେତ୍ରରେ କୃଷକମାନଙ୍କ ଆୟ ବୃଦ୍ଧି ଦିଗରେ ଯେପରି ସହାୟକ ହେବ ସେ ନେଇ ପଦକ୍ଷେପ ନେବାକୁ ମଧ୍ୟ ସେ ସଂପୃକ୍ତ ବିଭାଗ ମୁଖ୍ୟମାନଙ୍କୁ ନିର୍ଦେଶ ଦେଇଥିଲେ। ପ୍ରକଳ୍ପ ମଞ୍ଜୁରି ଓ କାର୍ଯ୍ୟାନ୍ଵୟନ ସଂପର୍କରେ କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ ଏବଂ ସେହି ପ୍ରକଳ୍ପଗୁଡ଼ିକର ବୈଷୟିକ ପ୍ରଶାସନିକ ଓ ଆର୍ଥିକ ଦିଗ ଉପସ୍ଥାପନ କରିଥିଲେ ବିଭାଗୀୟ ସ୍ୱତନ୍ତ୍ର ସଚିବ ଭାସ୍କରଜ୍ୟୋତି ଶର୍ମା।
ରାଜ୍ୟରେ ଆଧୁନିକ ଶୁଖୁଆ ପ୍ରସ୍ତୁତି ଓ ପ୍ରକ୍ରିୟାକରଣ କେନ୍ଦ୍ର, ଟସର ଚାଷ, ୩୧୪ଟି ଯାକ ବ୍ଲକରେ ଅଣୁ-ମୂର୍ତିକା ପରୀକ୍ଷାଗାର ସ୍ଥାପନ, କୀଟ ନୀରିକ୍ଷଣ ଓ ପରିଚାଳନା, ଧାନଚାଷ ଭିତ୍ତିକ କୃଷି ପାଇଁ ଗୁଣାତ୍ମକ ଜୈବସାର, ଗ୍ରାମ୍ୟ ପଞ୍ଚାୟତ ପୋଖରୀରେ ମାଛଚାଷ, ପାକ୍ସକୁ ଭି-ସାଟ୍ ସଂଯୋଗ, ସବୁଜ ବିପ୍ଳବ ପ୍ରଭୃତି ପ୍ରକଳ୍ପଗୁଡ଼ିକ ବୈଠକରେ ମଞ୍ଜୁରି ପାଇଛି। ସୂଚନାଯୋଗ୍ୟ, ୨୦୦୭-୦୮ରୁ କାର୍ଯ୍ୟକାରୀ ହେଉଥିବା ଏହି କୃଷି ବିକାଶ ଯୋଜନାରେ ବର୍ତମାନ ସୁଦ୍ଧା ମୋଟ ୬୪୬ଟି ପ୍ରକଳ୍ପ ହାତକୁ ନିଆଯାଇଛି। ସେଥିମଧ୍ୟରୁ ପୂର୍ଣ୍ଣାଙ୍ଗ ହୋଇଛି ୪୧୮ଟି ଏବଂ ୨୨୮ଟି ବିଭିନ୍ନ ପର୍ଯ୍ୟାୟରେ ରହିଛି। ଚଳିତ ଆର୍ଥିକ ବର୍ଷ ନିମନ୍ତେ ଏହି ଯୋଜନାରେ ୨୨୪.୨୩ କୋଟିର ବ୍ୟୟବରାଦ ହୋଇଥିବା ବୈଠକରେ ସୂଚନା ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/paddy-3.jpg)
