ଝାରସୁଗୁଡ଼ା : ଓଡ଼ିଶାର ପଞ୍ଜୀକୃତ ନିର୍ମାଣ ଶ୍ରମିକମାନଙ୍କୁ କୁଶଳୀ କରିବା ପାଇଁ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ୨୦୧୬-୧୭ରେ ଶ୍ରମିକ ପ୍ରଶିକ୍ଷଣ ପ୍ରକ୍ରିୟା ଆରମ୍ଭ କରିଥିଲା। ଏହା ଶ୍ରମିକଙ୍କ କୁଶଳତା ବୃଦ୍ଧି କରିବା ପରିବର୍ତ୍ତେ ତାଲିମଦାତା ସଂସ୍ଥାକୁ ପହଞ୍ଚାଇଥିଲା କୋଟି କୋଟି ଟଙ୍କା ଲାଭ। ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ କହୁଛି, ଶ୍ରମିକଙ୍କ ପ୍ରଶିକ୍ଷଣ ନାମରେ ଖର୍ଚ୍ଚ ହୋଇଛି ୨୬୭ କୋଟି ୪୮ ଲକ୍ଷ ଟଙ୍କା। ଏହି ପରିମାଣ ସାମାନ୍ୟ ନ ଥିବାରୁ ଖର୍ଚ୍ଚର ସିବିଆଇ ତଦନ୍ତ ପାଇଁ ‘ପ୍ରଗତିଶୀଳ ଶ୍ରମିକ ମ‌ଞ୍ଚ’ ରାଜ୍ୟ ସମ୍ପାଦକ ରକ୍ଷାକର ଅନୁପମ ଦାବି କରିଛନ୍ତି।

Advertisment

ତାଲିମ ପାଇଁ ‘ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ’ ପକ୍ଷରୁ ୬ଟି କର୍ପୋରେଟ୍ ସଂସ୍ଥାକୁ ଅନୁବନ୍ଧିତ କରାଯାଇ ଥିଲା। ସେଗୁଡ଼ିକ ହେଲା ଲେବର ନେଟ୍‌ ସର୍ଭିସ ଇଣ୍ତିଆ ପ୍ରାଇଭେଟ ଲିମିଟେଡ୍, ଆଇଏଲ୍ ଆଣ୍ଡ୍‌ ସ୍କିଲ୍ ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡ୍, ଜି ଆଣ୍ତ୍‌ ଜି ସ୍କିଲ୍‌ ଡେଭଲପର୍‌ ପ୍ରାଇଭେଟ୍ ଲିମିଟେଡ୍, ଭାସ୍କର ଫାଉଣ୍ଡେସନ୍, ଓପି ଜିନ୍ଦଲ କମ୍ୟୁନିଟି କଲେଜ ଓ ସୁଶୀଲ ବହୁଦେଶୀୟ ଶିକ୍ଷା ସଂସ୍ଥା। ପ୍ରଶିକ୍ଷଣ ନେବାକୁ ଥିବା ଶ୍ରମିକଙ୍କୁ ଦୈନିକ ଭତ୍ତା, ସୁରକ୍ଷା ଉପକରଣ ଏମାନଙ୍କୁ କୁଶଳୀ କରି ଗଢ଼ିତୋଳିବା ଲକ୍ଷ୍ୟ ଥିଲା। କେବଳ ତାଲିମ ପାଇଁ ଜଣେ ଶ୍ରମିକ ପିଛା ୧୫୦୦ ଟଙ୍କା ଖର୍ଚ୍ଚ ହୋଇଥିଲା। ସମ୍ପୃକ୍ତ ୬ ପ୍ରଶିକ୍ଷଣ ସଂସ୍ଥାକୁ ବିଭିନ୍ନ ଜିଲ୍ଲାର ଦାୟିତ୍ବ ଦିଆଯାଇଥିଲା। ସେମାନଙ୍କୁ ତାଲିମ ନେବାକୁ ଥିବା ଶ୍ରମିକମାନଙ୍କ ତାଲିକା ମଧ୍ୟ ଦିଆଯାଇ ଥିଲା।

କୁଆଡ଼େ ଗଲେ ତାଲିମଦାତା କର୍ପୋରେଟ୍ ସଂସ୍ଥା ?
ଶ୍ରମିକ ପାଇନାହାନ୍ତି ତାଲିମ ସମୟର ମଜୁରି
୬ କର୍ପୋରେଟ୍ ସଂସ୍ଥା ବିରୋଧରେ ଶ୍ରମ କମିସନର କାର୍ଯ୍ୟାଳୟରେ ଅଭିଯୋଗ
ସମ୍ପୃକ୍ତ ସଂସ୍ଥା ବିରୋଧରେ ‘ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ’ ମାମଲା ରୁଜୁ କରିବା ଦାବି

ହେଲେ ପ୍ରଶିକ୍ଷଣ ସଂସ୍ଥାଗୁଡ଼ିକ ଚଞ୍ଚକତାପୂର୍ବକ ଦିନକୁ ମାତ୍ର ୧ ଘଣ୍ଟା ତାଲିମ ଦେଇଥିଲେ ଓ ଏହିଭଳି ୧୫ ଦିନ ବିତାଇ ଦିଆଗଲା। ସେଥିରେ ପ୍ରଶିକ୍ଷକମାନେ ମଧ୍ୟ ତାଲିମପ୍ରାପ୍ତ ନ ଥିବା ଅଭିଯୋଗ ହୋଇଥିଲା। ୧୫ ଦିନ ପରେ ଏହି କର୍ପୋରେଟ୍ ସଂସ୍ଥାଗୁଡ଼ିକ କୁଆଡ଼େ ଉଭାନ୍ ହୋଇଗଲେ। ପ୍ରଶିକ୍ଷଣ ନେଇଥିବା ଶ୍ରମିକମାନେ ଟ୍ରେନିଂ ବାବଦ ମଜୁରି ଓ କ୍ଷତିପୂରଣ ଖର୍ଚ୍ଚ ପାଇ ନ ଥିଲେ। ସଂପୃକ୍ତ ସଂସ୍ଥାର କର୍ମଚାରୀ ଏ ନେଇ କିଛି କହିପାରି ନ ଥିଲେ। ଏହାପରେ କରୋନା ମହାମାରୀ ଆସିବାରୁ ଶ୍ରମ କାର୍ଯ୍ୟାଳୟ ବନ୍ଦ ରହିଥିଲା। ଏହି କାରଣରୁ ଶ୍ରମିକଙ୍କୁ ଅର୍ଥ ମିଳିବାରେ ବିଳମ୍ବ ହେଉଥିବା କୁହାଗଲା। ସମ୍ପୃକ୍ତ ୬ କର୍ପୋରେଟ୍ ସଂସ୍ଥା ବିରୋଧରେ ଶ୍ରମିକମାନେ ଶ୍ରମ କମିସନରଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଫଳରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ହଠାତ୍ ବନ୍ଦ କରି ଦିଆଗଲା।

publive-image The New Indian Express

ଏଠାରେ ପ୍ରଶ୍ନ ଉଠୁଛି, ଯେଉଁ କର୍ପୋରେଟ୍ ସଂସ୍ଥାଗୁଡ଼ିକୁ ଟ୍ରେନିଂ ଦେବା ପାଇଁ ବଛା ଯାଇଥିଲା ତାର ଆଧାର କଣ ଥିଲା ? ସଂସ୍ଥା ଚୟନରେ କେଉଁ ପ୍ରକ୍ରିୟା ଅବଲମ୍ବନ କରାଯାଇଥିଲା? ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ବୈଠକରେ ଏହା ଅନୁମୋଦିତ ହୋଇଥିଲା କି? କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଏବଂ ସଦସ୍ୟ ସଚିବ (ଲେବର କମିସନର) ଏହି ଚୁକ୍ତିନାମାରେ ସ୍ବାକ୍ଷର କରିଥିଲେ କି ? ଯଦି କରିଥିଲେ, ତେବେ ସଂପୃକ୍ତ କର୍ପୋରେଟ୍ ସଂସ୍ଥାଗୁଡ଼ିକର କଣ ଦେଖି ସବୁଜ ସଂକେତ ଦେଇଥିଲେ ? ଶ୍ରମିକ କଲ୍ୟାଣ ବୋର୍ଡରୁ ଖର୍ଚ୍ଚ ହୋଇଥିବା ବିପୁଳ ଅର୍ଥ ଶ୍ରମିକଙ୍କ ନିଜସ୍ବ ପାଣ୍ଠି। ଏହା ଶ୍ରମିକଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ପ୍ରକଳ୍ପରୁ ସେସ୍‌ ବାବଦରେ ଆଦାୟ ଅର୍ଥ।

ଏହି ଅର୍ଥକୁ ହେରଫେର କରାଯାଇଥିବା ଅଭିଯୋଗକୁ ସେତେବେଳେ ଚାପି ଦିଆଯାଇ ଥିଲା। ଏବେ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ କହୁଛି, ସରକାର ଏହି ତାଲିମ ପାଇଁ  ୨୬୭ କୋଟି ୪୮ ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି। ତାଲିମଦାତା କର୍ପୋରେଟ୍ ସଂସ୍ଥାଗୁଡ଼ିକ ତାଲିମ ସମୟରେ ଶ୍ରମିକଙ୍କ ଦୈନିକ ମଜୁରି ଓ କ୍ଷତିପୂରଣ କାହିଁକି ଦେଲେ ନାହିଁ ସେ ନେଇ ସରକାର ମୁହଁ ଖୋଲୁନାହାନ୍ତି। ଫଳରେ ଶ୍ରମ କମିସନରଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିବା ଶ୍ରମିକମାନେ ସନ୍ଦେହ କରୁଛନ୍ତି ଯେ, ‘ଦାଲ୍ ମେ କୁଛ୍‌ କାଲା ହୈ’ ବୋଲି।

ତେଣୁ ରାଜ୍ୟ ସରକାର ସମ୍ପୃକ୍ତ ୬ଟି କମ୍ପାନିକୁ କଳା ତାଲିକାଭୁକ୍ତ କରି ସେମାନଙ୍କଠାରୁ ୨୬୭ କୋଟି ୪୮ ଲକ୍ଷ ଟଙ୍କା ଫେରାଇ ଆଣି ନିଜ ସଚ୍ଚୋଟତାର ପ୍ରମାଣ ଦିଅନ୍ତୁ ବୋଲି ଶ୍ରମିକ ସଂଘଗୁଡ଼ିକ ଦାବି କରୁଛନ୍ତି। ଯେଉଁ ଶ୍ରମିକଙ୍କ ଟ୍ରେନିଂ ସହାୟତା ଅର୍ଥ କର୍ପୋରେଟ୍ ସଂସ୍ଥାଗୁଡ଼ିକ ଦେଇନାହାନ୍ତି, ସେମାନଙ୍କ ବିରୋଧରେ ‘ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ’ ମାମଲା ରୁଜୁ କରୁ ବୋଲି ଧରମା ଫାଉଣ୍ଡେସନ୍‌ ସଭାନେତ୍ରୀ ସୁଷମା ସାହୁ ଦାବି କରିଛନ୍ତି।