ଜଗତସିଂହପୁର : ଭାରତୀୟ ନୌବାଣିଜ୍ୟ ସମ୍ମିଳନୀ ପୂର୍ବରୁ ପାରାଦୀପ ବନ୍ଦର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। ବନ୍ଦରକୁ ବିଶ୍ବସ୍ତରୀୟ କରିବା ପାଇଁ ୨୭ ହଜାର ୪୫୦ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରିଛି। ଏଥିପାଇଁ ୨୭ଟି ଏମ୍ଓୟୁ ସ୍ବାକ୍ଷରିତ ହୋଇଛି। ଆସନ୍ତା ମାର୍ଚ୍ଚ ମାସ ୨ରୁ ୪ ତାରିଖ ଯାଏ ଅନୁଷ୍ଠିତ ହେବାକୁଥିବା ନୌବାଣିଜ୍ୟ ଭାରତ ସମ୍ମିଳନୀ (ଏମ୍ଆଇଏସ୍‌)–୨୦୨୧ର ଅବ୍ୟବହିତ ପୂର୍ବରୁ ଏ ସମସ୍ତ ବୁଝାମଣାପତ୍ର ଚୂଡାନ୍ତ ହୋଇଛି।

Advertisment

ଆଜି ସ୍ବାକ୍ଷରିତ ୨୭ଟି ରାଜିନାମା ମଧ୍ୟରୁ ବିଶ୍ବସ୍ତରୀୟ ବନ୍ଦରର ବିକାଶ ପାଇଁ ପ୍ରକଳ୍ପ ବର୍ଗରେ ୧୫ଟି ଏମ୍ଓୟୁ ରହିଛି। ଯାହାର ଆନୁମାନିକ ମୁଲ୍ୟ ୩୮୮୧ କୋଟି ଟଙ୍କା ହେବ। ଉପକୂଳ ଜାହାଜ ଚଳାଚଳ, ଗମନାଗମନ ସୁଯୋଗ ତଥା ମଲ୍‌ଟିମୋଡାଲ୍ ଲଜିଷ୍ଟିକ୍ ପାର୍କରେ ଦୁଇଟି ଏମ୍ଓୟୁରେ ୩,୫୩୫ କୋଟି, ତୈଳ ପଣ୍ୟ କାରବାର ନିମନ୍ତେ ବନ୍ଦର ଭିତ୍ତିଭୂମି ବିକାଶରେ ଦୁଇଟି ଏମ୍ଓୟୁ ରେ ୫,୩୮୨.୬୪ କୋଟି, ବନ୍ଦର ଭିତ୍ତିକ ଶିଳ୍ପାୟନ ଲାଗି ୪ଟି ଏମ୍ଓୟୁ ରେ ୧୬,୨୧୮ କୋଟି ଏବଂ ପଣ୍ୟ, ଯାତ୍ରୀ ପରିବହନ ପ୍ରୋତ୍ସାହନ ତଥା ସାମୁଦ୍ରିକ ବିମାନ ପର୍ଯ୍ୟଟନ ବର୍ଗରେ ୪ଟି ଏମ୍ଓୟୁରେ ୧,୬୧୬ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ସମ୍ପର୍କିତ ଏମ୍ଓୟୁ ସ୍ବାକ୍ଷରିତ ହୋଇଛି।

ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ବନ୍ଦର ଅଧ୍ୟକ୍ଷ ବିନୀତ କୁମାର ସମ୍ବୋଧନ କରି ଆଗାମୀ ଅର୍ନ୍ତଜାତୀୟ ସମ୍ମିଳନୀକୁ ସଫଳ କରିବାକୁ ସମସ୍ତଙ୍କୁ ଆହ୍ବାନ ଜଣାଇଛନ୍ତି। ମାର୍ଚ୍ଚ ୩ ତାରିଖ ଅପରାହ୍ନ ୧୨ଟା ୩୦ରୁ ୨ଟା ମଧ୍ୟରେ ଓଡିଶାରେ ପୁଞ୍ଜି ନିବେଶ ସୁଯୋଗ ସମ୍ପର୍କିତ ଏକ ସ୍ବତନ୍ତ୍ର ଅଧିବେଶନକୁ ଓଡିଶା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଅଧ୍ୟକ୍ଷତା କରିବେ। ଏଥିରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ମୁଖ୍ୟ ବାଣିଜ୍ୟ ସଚିବ ମଧୁସୂଦନ ପାଢୀ, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା ପ୍ରମୁଖ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସ୍ଥାନୀୟ ଘରୋଇ ଶିଳ୍ପସଂସ୍ଥାର ମୁଖ୍ୟମାନେ ମଧ୍ୟ ଏହି ଭର୍ଚୁଆଲ୍ ସମ୍ମିଳନୀରେ ଭାଗ ନେବା ନିଷ୍ପତ୍ତି ହୋଇଛି।