ଭୁବନେଶ୍ବର: ଚଳିତ ସାଧାରଣ ନିର୍ବାଚନ ଓଡ଼ିଶାରେ ନୂଆ ରେକର୍ଡ କରିଛି। ରାଜ୍ୟରେ ଟଙ୍କା ଉଡୁଛି ଓ ମଦ ଭାସୁଛି। ଯାହା ୨୦୧୪ ଏବଂ ୨୦୧୯ ନିର୍ବାଚନର ସବୁ ରେକର୍ଡ ଭାଙ୍ଗିଛି। ଏନଫୋର୍ସ ମେଂଟ ଟିମ ଦ୍ୱାରା ନର୍ବାଚନ ସମୟରେ ଟଙ୍କା, ମଦ, ଗଞ୍ଜେଇ, ବ୍ରାଉନ ସୁଗାର ଇତ୍ୟାଦି ଜବତ କରାଯାଇଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ସୂଚନା ଦେଇଛନ୍ତି।

Advertisment

ଗଣମାଧ୍ୟମର ପ୍ରତିନିଧିଙ୍କୁ ଶ୍ରୀ ଧଳ କହିଛନ୍ତି, ଏହି ସାଧାରଣ ନିର୍ବାଚନରେ ୨୦.୮ କୋଟି ଟଙ୍କା ଜବତ ହୋଇସାରିଛି। ଗତ ଥର ଏହା ୧.୧୭ କୋଟି ଥିବା ବେଳେ ୨୦୧୪ରେ ୧.୮୯ କୋଟି ଟଙ୍କା ଥିଲା। ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ ୪୦.୭୫ କୋଟି ଟଙ୍କାର ମଦ ଜବତ ହୋଇଛି। ୨୦୧୯ ଓ ୨୦୧୪ରେ ଏହା ଯଥାକ୍ରମେ ୯.୪୨ କୋଟି ଓ ୬.୬୫ କୋଟି ଟଙ୍କା ଥିଲା।

ସେହିପରି ଚଳିତ ନିର୍ବାଚନରେ ମଦ ବ୍ୟତୀତ ଗଂଜେଇ ଓ ବ୍ରାଉନସୁଗାର କାରବାର ମଧ୍ୟ ଢେର ବୃଦ୍ଧି ପାଇଛି। ଏଥର ୭୮ କୋଟି ଟଙ୍କାର ଗଂଜେଇ ଓ ଧଳାଜହର ଧରାପଡ଼ିଥିବା‌ ବେଳେ ୨୦୧୯ ଓ ୨୦୧୪ରେ ଏହା ଯଥାକ୍ରମେ ୨୨.୦୨ ଓ ୭.୨୩ କୋଟି ଟଙ୍କାର ଥିଲା। ମୋଟାମୋଟି କହିବାକୁ ଗଲେ ୨୦୨୪ରେ ଜବତ ହୋଇଥିବା ନଗଦ, ମଦ, ଗଂଜେଇ ଓ ବ୍ରାଉନସୁଗାର ମୂଲ୍ୟ ୨୭୫ କୋଟି। ୨୦୧୯ରେ ଏହାର ପରିମାଣ ୪୪.୬ କୋଟି ଟଙ୍କା ଓ ୨୦୧୪ରେ ୨୦ କୋଟି ଟଙ୍କା ଥିଲା।