ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସାପ୍ତାହିକ ହାଟରେ ଗୁରୁବାର ଦିନ ଦ୍ଵିପହରରେ ଫିଲ୍ମ ଷ୍ଟାଇଲରେ ଗୋରୁ ବେପାରୀଙ୍କ ଠାରୁ ୨୮ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଛି।ଦିନ ପ୍ରାୟ ସାଢେ ୧ଟାରେ ବାଇକ୍ ଓ ଅଟୋରେ କଳା ମୁଖା ପିନ୍ଧି ୧୦ରୁ ଊର୍ଦ୍ଧ୍ବ ଲୁଟେରା ହାତରେ ଖଣ୍ଡା, ଭୁଜାଲି, ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ଧରି ଆନ୍ଧ୍ରର ଏକ ଗୋରୁ ବେପାରୀଙ୍କ ଠାରୁ ଏତେ ପରିମାଣର ଟଙ୍କା ଲୁଟ କରିଛନ୍ତି। ଏକ କାଚ ଗ୍ଲାସ୍ ବନ୍ଦ ବୋଲେରୋ ମଧ୍ୟରେ ଥିବା ଏହି ଟଙ୍କାକୁ ଗାଡ଼ିର କାଚ ଗ୍ଲାସ୍ ଭାଙ୍ଗି ଲୁଟେରାମାନେ ତିନୋଟି ବ୍ୟାଗରେ ଥିବା ୨୮ ଲକ୍ଷ ୬୦ ହଜାର ଟଙ୍କା ନେଇ ଯାଇଛନ୍ତି। ଏହି ସମୟରେ ବୋଲେରୋ ନିକଟରେ ଥିବା ନବରଙ୍ଗପୁରର ଏକ ଗୋରୁ ବେପାରୀ ମେହେବୁବ୍ ସରିଫ୍ ପ୍ରତିବାଦ କରିବାକୁ ଚେଷ୍ଟା କରିବାରୁ ତାଙ୍କୁ ଲୁଟେରା ମାନ ଖଣ୍ଡା ରେ ବାମ ଗୋଡକୁ ହାଣି ଦେଇ ସେଠାରୁ ଚାଲିଗଲେ। ଅଧିକାଂଶ ଲୁଟେରାଙ୍କ ବୟସ ୨୦ ରୁ ୨୫ ବର୍ଷ ମଧ୍ୟରେ ହେବ ବୋଲି ପ୍ରତକ୍ଷ୍ୟଦର୍ଶୀ କହିଛନ୍ତି।

Advertisment

ସୂଚନା ଅନୁଯାୟୀ ଡାବୁଗାଁ ଗୁରୁବାର ସାପ୍ତାହିକ ହାଟରେ ଗୋରୁ କିଣିବା ପାଇଁ ଆନ୍ଧ୍ର ପ୍ରଦେଶ ବିଜୟନଗରମ କତୁ ବାଲସା ଗ୍ରାମର ଗୋରୁ ବେପାରୀ ନାଇଡ଼ୁ ରଙ୍ଗାଲି (୩୩) ଲକ୍ଷାଧିକ ଟଙ୍କା ଧରି ଏକ ବୋଲେରୋ ନ (ଏପି ୩୯ ଟି ଜେଡ ୬୪୭୭) ଯୋଗେ ଡାବୁଗାଁ ଆସିଥିଲେ। ବୋଲେରୋରେ ଡ୍ରାଇଭର ସହ ଅନ୍ୟ ତିନି ଜଣ ସାଥୀ ହୋଇ ଆସିଥିଲେ। ଡାବୁଗାଁ ସାପ୍ତାହିକ ହାଟ ରେ ବୋଲେରୋକୁ ଗୋଟିଏ ସ୍ଥାନରେ ରଖି ଚାରି ପଟ କାଚ ବନ୍ଦ (ଲକ୍) କରି ଗୋରୁ ବେପାରୀ ନାଇଡୁ ବୋଲେରୋକୁ ଅଳ୍ପଦୂରରେ ରଖି ଗୋରୁ କ୍ରୟ କରିବା ପାଇଁ ଗାଡିରୁ ଓହ୍ଲାଇ ଥିଲେ। ଗାଡ଼ିର ସମସ୍ତେ ଡୋର ବନ୍ଦ କରି ନାଇଡ଼ୁ ଗୋରୁ କ୍ରୟ କରୁଥିଲେ। ଗାଡ଼ି ମଧ୍ୟରେ ତିନୋଟି ବ୍ୟାଗରେ ୨୮ ଲକ୍ଷ ୬୦ ହଜାର ଟଙ୍କା ରଖିଥିଲେ।

ତେବେ ଦିନ ପ୍ରାୟ ସାଢେ଼ ୧ ଘଣ୍ଟ ସମୟରେ ହଠାତ୍ ଏକ ଅଟୋରେ ୧୦ରୁ ଊର୍ଦ୍ଧ୍ବ କଳା ମୁଖା ପିନ୍ଧିଥିବା ଲୁଟେରାମାନେ ହାତରେ ବନ୍ଧୁକ, ଖଣ୍ଡା, ଭୁଜାଲି, ଓ ବିଭିନ୍ନ ମାରଣାସ୍ତ୍ର ଧରି ବୋଲେରୋ ନିକଟରେ ପହଞ୍ଚି ଥିଲେ। ହଠାତ୍ ବୋଲେରୋର ସମ୍ମୁଖ କାଚ ଓ ପ୍ରବେଶ କାଚ ଗୁଡ଼ିକୁ ଭାଙ୍ଗି ଦେଇଥିଲେ। ବୋଲେରୋ ମଧ୍ୟରେ ଥିବା ଟଙ୍କା ଭର୍ତ୍ତି ତିନୋଟି ବ୍ୟାଗକୁ କାଢ଼ି ନେଇଥିଲେ। ବୋଲେରୋର ଚକା ଗୁଡ଼ିକର ହାୱା କାଢ଼ି ଦେଇଥିଲେ। ଏହା ଦେଖି ନବରଙ୍ଗପୁରର ଜଣେ ଗୋରୁ ବେପାରୀ ମେହେବୁବ ସରିଫ (୪୮) ଲୁଟେରାଙ୍କୁ ପ୍ରତିବାଦ କରିବାକୁ ଚେଷ୍ଟା କରିବାରୁ ତାଙ୍କ ଡାହାଣ ଗୋଡକୁ ଖଣ୍ଡାରେ ଆଘାତ ଦେଇଥିଲେ। ଖଣ୍ଡା, ଭୁଜାଲି ଓ ବିଭିନ୍ନ ମାରଣାସ୍ତ୍ର ଧରିଥିବାରୁ ଲୁଟେରାମାନଙ୍କ ନିକଟରେ କେହି ଯିବାକୁ ଭୟ କରିଥିଲେ। ଏହାପରେ ବାଇକ୍‌ରେ ତିନି ଜଣ ଆସି ଲୁଟ ହୋଇଥିବା ଟଙ୍କା ବ୍ୟାଗ କୁ ଧରି ସେଠାରୁ ଚଂପଟ ମାରିଥିଲେ। ତେବେ ଅଳ୍ପ ସମୟ ମଧ୍ୟରେ ଫିଲ୍ମ ଷ୍ଟାଇଲରେ ଏହି ଲୁଟ ହୋଇଥିବାରୁ ଲୋକେ କଣ ହେଲା ଜାଣିବା ପୂର୍ବରୁ ଲୁଟେରା ମାନେ ଲକ୍ଷାଧିକ ଟଙ୍କା ଧରି ଚମ୍ପଟ ମାରିଥିଲେ। ଏ ନେଇ ଲୁଟ୍‌ର ଶିକାର ହୋଇଥିବା ଆନ୍ଧ୍ର ପ୍ରଦେଶର ଗୋରୁ ବେପାରୀ ନାଇଡୁ ରଙ୍ଗାଲି ଡାବୁଗାଁ ଥାନାରେ ଏତଲା ଦେବାପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।