୨୮୮୦ କୋଟିର କଳାପଥର ଦୁର୍ନୀତି!

୪୮୦ କୋଟି ଟଙ୍କା ରାଜସ୍ବ ଫାଙ୍କି, ଭିଜିଲାନ୍ସ ତଦନ୍ତକୁ ନେଇ ଲିଜଧାରୀ ଓ କ୍ରସର ମାଲିକ ଚିନ୍ତାରେ

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲର କଳାପଥର କେଳେଙ୍କାରୀ ଚେର ଚାରିଆଡକୁ ମାଡ଼ିଯାଇଛି। କେବଳ ବିଛାଖଣ୍ଡି ପାହାଡ଼ରୁ ଗତ ୫ବର୍ଷ ମଧ୍ୟରେ ୨୮୮୦ କୋଟି ଟଙ୍କାର କଳାପଥର ଲୁଟ୍‌ ହୋଇଥିବା ଆକଳନ କରାଯାଇଛି। ସରକାର ମଧ୍ୟ ୪୮୦କୋଟି ଟଙ୍କା ରାଜସ୍ବ ହରାଇଛନ୍ତି। ଏଠାରେ ୧୪ଟି ଖାଦାନକୁ ସରକାର ଲିଜ୍‌ ଦେଇଥିବା ବେଳେ ୩୫ଟି କ୍ରସର ଚାଲିଥିଲା। ଖାଦାନରୁ ପଥର ଚାଲାଣ ଓ କ୍ରସରଗୁଡ଼ିକରେ ପଥର ଭାଙ୍ଗିବା ମଧ୍ୟରେ ଥିବା ତାରତମ୍ୟରୁ ଏହି କେଳେଙ୍କାରୀର ରହସ୍ୟ ଏବେ ଚର୍ଚ୍ଚାକୁ ଆସିଛି। ଯାହାକି ଭିଜିଲାନ୍ସ ତଦନ୍ତ ପରିସରଭୁକ୍ତ ହେବା ଅପେକ୍ଷାରେ ରହିଛି।

Khabar India

୨୦୧୫-୧୬ ରୁ ୨୦୧୯-୨୦ ମସିହା ୫ବର୍ଷ ମଧ୍ୟରେ ଧର୍ମଶାଳା ତହସିଲ ପକ୍ଷରୁ ବିଛାଖଣ୍ଡି ପାହାଡ଼ର ୧୪ଟି ଖାଦାନକୁ ଲିଜ୍‌ ଦିଆଯାଇଛି। ଏଠାରୁ ମୋଟ ୪ଲକ୍ଷ ୪୩ହଜାର ୭୮୫ ଘନମିଟର କଳାପଥର ଖନନ ପାଇଁ ଅନୁମତି ଦିଆଯାଇଛି। ଏହା ଉପରେ ରୟାଲଟି ଓ ଅନ୍ୟାନ୍ୟ ଟିକସ ଆଦାୟ ହୋଇଛି। କଳାପଥର ଘନମିଟର ପ୍ରତି ୧୩୦ଟଙ୍କା ଓ ଅନ୍ୟାନ୍ୟ ଟିକସ ମିଶିଲେ ପ୍ରାୟ ୨ଶହ ଟଙ୍କା ଲିଜଧାରୀଙ୍କ ଠାରୁ ଆଦାୟ ହେଉଛି। ଫଳରେ ସରକାର ଗତ ୫ବର୍ଷରେ ବିଛାଖଣ୍ଡିର ଏହି ୧୪ଜଣ ଲିଜଧାରୀଙ୍କ ଠାରୁ କଳାପଥର ଖନନ ବାବଦକୁ ୮କୋଟି ୮୭ଲକ୍ଷ ୫୭ହଜାର ଟଙ୍କା ରାଜସ୍ବ ପାଇଛନ୍ତି। ତେବେ ଏହି ପାହାଡ଼ରୁ ବ୍ୟାପକ ପରିମାରଣର କଳାପଥର ଚୋରା ଚାଲାଣ ହୋଇଛି। ମାତ୍ର ୬ ମିଟର ଗଭୀର ପର୍ଯ୍ୟନ୍ତ ଖୋଳିବାକୁ ଅନୁମତି ଥିବା ବେଳେ ଶହଶହ ଫୁଟର ବଡ଼ ବଡ଼ ପୋଖରୀ କରି ଦିଆଯାଇଛି। ଭିଜିଲାନ୍ସ ତଦନ୍ତ ବେଳେ ଏହି ଘଟଣା ପଦାକୁ ଆସିଛି।

ଏହି ଅଞ୍ଚଳରେ ୧୮ଟି ମେଗା କ୍ରସର ସମେତ ୩୫ଟି କ୍ରସର ଚାଲିଥିଲା। ଏହି କ୍ରସରରେ ୧ଘଣ୍ଟାରେ ୨ଶହ ଟନ୍‌ କଳାପଥର ଭଙ୍ଗା ହୋଇଥାଏ। ଏହାକୁ ଆଧାର କରି ଯଦି କେବଳ ୧୫ଟି ମେଗା କ୍ରସର ଦୈନିକ ୧୦ଘଣ୍ଟା ଏବଂ ମାସରେ ୨୦ଦିନ ପଥର ଭାଙ୍ଗନ୍ତି ତେବେ ମାସିକ ୬ଲକ୍ଷ ଟନ ପଥର ବା ୪ଲକ୍ଷ ଘନମିଟର ଭାଙ୍ଗିବେ। ଅନ୍ୟାନ୍ୟ ଅଞ୍ଚଳର କ୍ରସରକୁ ପଥର ଯୋଗାଣକୁ ମିଶାଇଲେ ମାସିକ ୪ ଲକ୍ଷ ଘନମିଟରରୁ ବହୁ ଅଧିକ ପରିମାଣର କଳାପଥର ଏଠାରୁ ଉତ୍ତୋଳନ ହୋଇଛି ବୋଲି ଆକଳନ କରାଯାଉଛି। ଏହି ହିସାବ ଅନୁଯାୟୀ ବିଛାଖଣ୍ଡିରୁ ପାଞ୍ଚ ବର୍ଷ ମଧ୍ୟରେ ୨କୋଟି ୪୦ଲକ୍ଷ ଘନମିଟର କଳାପଥର ଚାଲାଣ ହୋଇଥିବା ଅଭିଯୋଗ ହେଉଛି। ଯାହାର କେବଳ ରୟାଲଟିକୁ ଦେଖିଲେ ଘନମିଟର ପ୍ରତି ୨ଶହ ଟଙ୍କା ହିସାବରେ ୪୮୦କୋଟି ଟଙ୍କା ସରକାର ହରାଇଛନ୍ତି। ସେହିପରି ୧ଘନମିଟର କଳାପଥରର ବଜାର ମୂଲ୍ୟ ୧୨ଶହ ରୁ ୧୪ଶହ ଟଙ୍କା। ତେଣୁ ୨କୋଟି ୪୦ଲକ୍ଷ ଘନମିଟର କଳାପଥରର ମୂଲ୍ୟ ୨୮୮୦କୋଟି ଟଙ୍କା ହେବ। ବିଛାଖଣ୍ଡି ପାହାଡ଼ର ଏହି ହଜାର ହଜାର କୋଟି ଟଙ୍କା ଦୁର୍ନୀତିର ଚେର ଚାରିଆଡକୁ ମାଡ଼ି ଯାଇଥିବାରୁ ଏହି କେଳେଙ୍କାରୀର ତଦନ୍ତ କରୁଥିବା ଭିଜିଲାନ୍ସ କେତେଦୂର ସଫଳ ହେଉଛି ତାହାରି ଉପରେ ସମସ୍ତଙ୍କ ନଜର।

ସମ୍ବନ୍ଧିତ ଖବର