ଏଟିଏମ୍‌ ଗାଡ଼ିରୁ ଲୁଟିଲେ କୋଟିଏ ୨୯ ଲକ୍ଷ

୧ କୋଟି ୫ ଲକ୍ଷ ଟଙ୍କା ଉଦ୍ଧାର, ୩ ଗିରଫ

ଆଠଗଡ଼ / ଢେଙ୍କାନାଳ / ଓଡ଼ାପଡ଼ା : ଆଠଗଡ଼ ଥାନା କଟକ-ନରସିଂହପୁର ରାସ୍ତାର ମହୀଧରପୁର ନିକଟରେ ସୋମବାର ଦିନ ଏଟିଏମ୍‌ରେ ଟଙ୍କା ଲୋଡ୍‌ କରିବାକୁ ଯାଉଥିବା ସିଏମ୍‌ଏସ୍‌ କମ୍ପାନି କର୍ମଚାରୀଙ୍କୁ ଆକ୍ରମଣ କରି ଦୁର୍ବୃତ୍ତମାନେ ୧ କୋଟି ୨୯ ଲକ୍ଷ ଟଙ୍କା ସହ ଗାଡ଼ି ଲୁଟି ନେଇଥିଲେ। ତେବେ ପୁଲିସ ତ୍ବରିତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗାଡ଼ି ସହ ୧ କୋଟି ୫ ଲକ୍ଷ ଟଙ୍କା ଉଦ୍ଧାର କରିଛି। ଏହି ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଥିଲା ବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଚଳାଇଛି। ଅନ୍ୟ ଜଣେ ଅଭିଯୁକ୍ତ ଟଙ୍କା ବ୍ୟାଗ୍ ଧରି ଫେରାର୍ ହୋଇଯାଇଛି। ସଂପୃକ୍ତ ଦୁର୍ବୃତ୍ତକୁ ଧରିବା ପାଇଁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଥିବା ଜଣାପଡ଼ିଛି।


‌ସୋମବାର ଏଟିଏମ୍‌ରେ ଟଙ୍କା ରଖିବା ପାଇଁ ଆଠଗଡ଼ ଷ୍ଟେଟ୍‌ ବ୍ୟାଙ୍କରୁ ୩କୋଟି ୫୩ଲକ୍ଷ ଟଙ୍କା ନେଇ ସିଏମ୍‌ଏସ୍‌ର ଗାଡ଼ି ବାହାରିଥିଲା। ଆଠଗଡ଼ ଓ ଖୁଣ୍ଟୁଣୀର ୫ଟି ଏଟିଏମ୍‌ରେ ଟଙ୍କା ରଖିବାପରେ ନରସିଂହପୁର ଅଭିମୁଖେ ଯାଉଥିବା କର୍ମଚାରୀମାନେ ମହୀଧରପୁର ନିକଟରେ ଅଟକି ଏକ ହୋଟେଲକୁ ଖାଇବା ପାଇଁ ଯାଇଥିଲେ। ଏହିସମୟରେ ହଠାତ୍‌ ଏକ କାର୍‌ରେ ଆସିଥିବା ୪ରୁ ୫ଜଣ ଦୁର୍ବୃତ୍ତ କର୍ମଚାରୀମାନଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗାଡ଼ି ଚାବି ନେଇଯାଇଥିଲେ। ଏହାର ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ଦୁଇଜଣ କର୍ମଚାରୀଙ୍କୁ ଖଣ୍ଡାରେ ଆକ୍ରମଣ କରି ଏଟିଏମ୍‌ ଗାଡ଼ି ନେଇ ଫେରାର ହୋଇଯାଇଥିଲେ। ଆକ୍ରମଣରେ ଗୁରୁତର ଆହତ କ୍ୟାସ୍‌ ଅଧିକାରୀ ପତିତ ନାୟକ ଓ ଗନ୍‌ମ୍ୟାନ୍‌ ସର୍ବେଶ୍ବର ସାହୁଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଆଠଗଡ଼ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ଲୁଟ୍‌ ସମ୍ପର୍କରେ କର୍ମଚାରୀମାନେ ତୁରନ୍ତ ଆଠଗଡ଼ ଓ ତିଗିରିଆ ଥାନାରେ ଖବର ଦେଇଥିଲେ। ପୁଲିସ ଗାଡ଼ିର ପିଛା ଆରମ୍ଭ କରିଥିଲା। ଦୁର୍ବୃତ୍ତମାନେ ଢେଙ୍କାନାଳ ସଦର ଥାନା ଶଙ୍କରପୁରରେ ଏଟିଏମ୍‌ ଗାଡ଼ି ଛାଡ଼ି ଦେବା ସହ ଟଙ୍କା ବାକ୍ସ ନେଇ ଅନ୍ୟ ସହଯୋଗୀଙ୍କ ସହାୟତାରେ କାର୍‌ ଯୋଗେ ଚମ୍ପଟ୍‌ ମାରିଥିଲେ। ତେବେ ଶ୍ରଦ୍ଧାପୁର ପଞ୍ଚାୟତର ଭୁବନ ଦେଇଯାଉଥିବା କିଛି ଦୁର୍ବୃତ୍ତଙ୍କୁ ଢେଙ୍କାନାଳ ପୁଲିସ କାବୁ କରିବା ଲୁଟ୍ ହୋଇଥିବା ଏକ କୋଟି ୨୯ ଲକ୍ଷ ମଧ୍ୟରୁ ୧ କୋଟି ୫ ଲକ୍ଷ ଟଙ୍କା ଉଦ୍ଧାର କରିଛି। ୩ଜଣ ଦୁର୍ବୃତ୍ତଙ୍କୁ ପୁଲିସ ଗିରଫ କରିବା ସହ ୪ଟି ପିସ୍ତଲ ଜବତ କରି ଆଠଗଡ଼ ଥାନାକୁ ଆଣିଛି। ଧରାପଡ଼ିଥିବା ଦୁର୍ବୃତ୍ତମାନେ ହେଲେ ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଚାରିଛକସ୍ଥିତ ଉପରକଟାର ଜଲିଦେବ କଅଁର ଓରଫ କାଳିଆ (୨୪), କଟକ ଜିଲ୍ଲା ନିଆଳି ଥାନା ନଟି ଗ୍ରାମର ହରେକୃଷ୍ଣ ସ୍ବାଇଁ(୩୧), ଆଠଗଡ଼ ଥାନା ଅରଖପାଟଣା ଅଂଚଳର ବିବେକାନନ୍ଦ ନାୟକ(୨୮) ବୋଲି ପୁଲିସ୍‌ ସୂତ୍ରରୁ ଜଣାଯାଇଛି।

ଘଟଣା ସମ୍ପର୍କରେ ଆଠଗଡ଼ ଥାନାରେ ଅଭିଯୋଗ କରାଯାଇଛି। ପୁଲିସ ଉଚ୍ଚପଦସ୍ଥ ଅଧିକାରୀମାନେ ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି। ଫେରାର୍ ଅଭିଯୁକ୍ତକୁ ଧରିବା ପାଇଁ ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ୍‌ ଛାନଭିନ୍ ଜାରି ରଖିଥିବା ଡିଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର