ବିଭିନ୍ନ ସହରାଞ୍ଚଳର ୧୨୭ଟି ପ୍ରକଳ୍ପ ପାଇଁ ୨୯୫ କୋଟି ମଞ୍ଜୁର

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସହରାଞ୍ଚଳର ଭିତ୍ତିଭୂମି ବିକାଶ ପାଇଁ ୧୨୭ଟି ପ୍ରକଳ୍ପ ନିମନ୍ତେ ୨୯୫ କୋଟି ଟଙ୍କାର ବ୍ୟୟ ଅଟକଳକୁ ଅନୁମୋଦନ ମିଳିଛି। ଏହା ସହିତ ୧୧୪ଟି ସହରାଞ୍ଚଳର ସାମର୍ଥ୍ୟ ବୃଦ୍ଧି ନିମନ୍ତେ ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା ବା ଏସ୍‌ୟୁଡିଏ(ସୁଡା)କୁ ମନୋନୀତ କରିଛନ୍ତି ରାଜ୍ୟ ସରକାର। ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଓଡ଼ିଶା ସହରାଞ୍ଚଳ ଭିତ୍ତିଭୂମି ଉନ୍ନୟନ ପାଣ୍ଠି(ଓୟୁଆଇଡିଏଫ୍‌) ପରିଚାଳନା ନିର୍ଦେଶକ ମଣ୍ଡଳୀ ବୈଠକରେ ଏହି ୧୨୭ଟି ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ଏ ସଂପର୍କରେ ସବିଶେଷ ବିବରଣୀ ଉପସ୍ଥାପନ କରି ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ ପ୍ରେମ୍‌କୁମାର ଝା କହିଲେ ଯେ ୧୧୩ଟି ସହରାଞ୍ଚଳରେ ଶକ୍ତି ସଂଚୟକାରୀ ଷ୍ଟ୍ରିଟ୍‌ ଲାଇଟ୍‌ ପ୍ରକଳ୍ପ ପାଇଁ ୨୬୫ କୋଟି ଟଙ୍କାର ବ୍ୟୟ ଅଟକଳକୁ ଅନୁମୋଦନ ଦେଇଛି ‌େବାର୍ଡ। ଏହାବ୍ୟତୀତ ଅନ୍ୟ ୫ଟି ସହରାଞ୍ଚଳରେ ୩୦ କୋଟି ବିନିଯୋଗରେ ଜଳ ପ୍ରକଳ୍ପମାନ କାର୍ଯ୍ୟକାରୀ କରାଯିବ। ବୈଠକରେ ଗୋପାଳପୁର, ବ୍ରହ୍ମପୁର, ଆଇଆଇଟି ଓ ନାଇସର ଦ୍ବାରା ପ୍ରସ୍ତୁତ ସରକାରୀ ଓ ଘରୋଇ ଭାଗୀଦାରି ପ୍ରକଳ୍ପ(ପିପିପି), ୫ଟି ମହାନଗର ନିଗମରେ ଶକ୍ତି ସଂଚୟକାରୀ ଷ୍ଟ୍ରିଟ୍‌ ଲାଇଟ୍‌ ପ୍ରକଳ୍ପ, ସମ୍ବଲପୁର, କଟକ, ଭୁବନେଶ୍ବରରେ କଠିନ ବର୍ଜ୍ୟ ପରିଚାଳନା ପ୍ରକଳ୍ପ, ସମ୍ବଲପୁର ଓ ରାଉରକେଲାରେ ସ୍ବିରେଜ୍‌ ଟ୍ରିଟ୍‌ମେଣ୍ଟ ପ୍ରକଳ୍ପ, ୧୧ଟି ସହରାଞ୍ଚଳରେ ବିଭିନ୍ନ ପ୍ରକାରର ଜଳ ପ୍ରକଳ୍ପ ଆଦିର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା। ସେସବୁ ପ୍ରକଳ୍ପ ପାଇଁ ସମୟସୀମା ଧାର୍ଯ୍ୟ କରିବାକୁ ମୁଖ୍ୟ ସଚିବ ନିର୍ଦେଶ ଦେଇଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ପ୍ରମୁଖ ସଚିବ ଜି.ମାଥିଭାଥନନ୍‌, ଉନ୍ନୟନ କମିସନର ଅସିତ୍‌ ତ୍ରିପାଠୀ, ବିଏମ୍‌ସି କମିସନର, ସ୍ମାର୍ଟସିଟି ସିଇଓ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର