ସୁନ୍ଦରଗଡ଼: ଜଙ୍ଗଲ ଜମିରୁ ଏନଟିପିସି ଦର୍ଲିପାଲି ତାପଜ ବିଦ୍ୟୁତ ପ୍ରକଳ୍ପର ପାଉଁଶ ପୋଖରୀକୁ ମୋରମ୍‌ ଚାଲାଣ ମାମଲାରେ ଲେଫ୍ରିପଡ଼ା ତହସିଲ କର୍ତ୍ତୃପକ୍ଷ ଚାଲାଣକାରୀ ଝାରସୁଗୁଡ଼ା ଜିଲ୍ଲା ତିଲେଇମାଲର ଆଲୋକ ପଟେଲକୁ ୩ ଲକ୍ଷ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି। ପୂର୍ବରୁ ଦର୍ଲିପାଲି ରାଜସ୍ବ ନିରୀକ୍ଷକ ଅନିଲ ପଟେଲ ମୋରମ୍‌ ଖାଦାନରେ ପହଞ୍ଚି ନାମକୁ ମାତ୍ର ୫ ହଜାର ଟଙ୍କା ଜରିମାନା ନେଇ ମୋରମ୍‌ ବୋଝେଇ ଟ୍ରକକୁ ଛାଡ଼ି ଦେଇଥିଲେ। ଚାଳକ ମୁରୁମକୁ ସେଠାରେ ଖାଲି କରି ଟ୍ରକ ନେଇ ପଳାଇ ଯାଇଥିଲା। ଯାହା ଲୋକଙ୍କ ମନରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଥିଲା।

Advertisment

ଏ ସମ୍ପର୍କିତ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ତହସିଲ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଅଭିଯୋଗ ଥିଲା, ଏନଟିପିସିର ବର୍ଜ୍ୟ ପାଉଁଶ ପାଇଁ କମ୍ପାନି ତିଆରି କରିଥିବା ପୋଖରୀ ଭରିଯିବାରୁ ଚାରିପଟ ହୁଡ଼ାକୁ ଉଚ୍ଚ କରିବାକୁ ସଂଲଗ୍ନ ଜଙ୍ଗଲ ଜମିରୁ ମୁରୁମ ଚାଲାଣ କରାଯାଉଥିଲା। ଏକର ଏକର ଜମିକୁ ଖୋଳି ମୋରମ୍‌ ଖାଦାନ କରି ଦିଆଯାଇଥିଲା। ଅନେକ ଦିନରୁ ଏକର ଏକର ଜମିକୁ ପୋକଲିନରେ ଖୋଳି ଟ୍ରକ ଯୋଗେ ଶହଶହ ଟନ୍ ମୋରମ୍‌ ନିଆଯାଉ ଥିବାବେଳେ ଏ ସମ୍ପର୍କରେ ସ୍ଥାନୀୟ ଲୋକେ ପ୍ରଶାସନକୁ ଅଭିଯୋଗ କରିଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଏଥିରେ କ୍ଷୁବ୍ଧ ଲୋକେ ୧୮ ତାରିଖ ୧୧ଟାରେ ଏକ ମୋରମ୍‌ ବୋଝେଇ ଟ୍ରକକୁ ଅଟକାଇ ଲେଫ୍ରିପଡ଼ା ତହସିଲଦାରକୁ ସୂଚନା ଦେଇଥିଲେ। ସେ ଦର୍ଲିପାଲି ରାଜସ୍ବ ନିରୀକ୍ଷକ ଅନିଲ ପଟେଲଙ୍କୁ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିଲେ। ହେଲେ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରୁ ମୋରମ୍‌ଖାଦାନର ଦୂରତା ମାତ୍ର ୧ କିଲୋମିଟର ହୋଇଥିଲେ ହେଁ ନିରୀକ୍ଷକ ଘଟଣାସ୍ଥଳକୁ ଦେଢ଼ଘଣ୍ଟା ବିଳମ୍ବରେ ପହଞ୍ଚି ୫ ହଜାର ଟଙ୍କା ଜରିମାନା ନେଇ ଟ୍ରକକୁ ଜବତ ନକରି ଛାଡ଼ି ଦେଇଥିଲେ।

ଲୋକେ ରାଜସ୍ବ ନିରୀକ୍ଷକଙ୍କ ଏତାଦୃଶ ପଦକ୍ଷେପକୁ ନେଇ ଅସନ୍ତୋଷ ପ୍ରକାଶ କରି ଉଜ୍ବଳପୁର ବନାଞ୍ଚଳ ଅଧିକାରୀଙ୍କୁ ସୂଚୀତ କରିଥିଲେ। କିନ୍ତୁ ଅଧିକାରୀ ବିଭିନ୍ନ ଆଳ ଦେଖାଇ ଆସିବାରେ ଜାଣିଶୁଣି ବିଳମ୍ବ କରିବାରୁ ଲୋକେ ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀଙ୍କୁ ଅବଗତ କରିଥିଲେ। ଏହାପରେ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ ପାଇ ଅପରାହ୍ନ ସାଢ଼େ ୩ଟାରେ ବନବିଭାଗ ଏକ ଟିମ ପହଞ୍ଚି ତଦନ୍ତ କରିଥିଲେ। କିଏ ମୁରୁମ ନେଉଛି, କାହା ଟ୍ରକ ଲାଗିଛି ବୋଲି ପଚରାଉଚରା କରିଥିଲେ। ତେବେ ଏଯାଏ ବନ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ। ଜମିର ପ୍ରକାର ଜଙ୍ଗଲ ହୋଇଥିଲେ ହେଁ ତାହା ଆବାଦ ଯୋଗ୍ୟ ଅନାବାଦୀ ହୋଇଥିବାରୁ ତହସିଲଦାର ହିଁ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ବନବିଭାଗ ପକ୍ଷରୁ ସଫେଇ ଦିଆଯାଇଛି।