୩.୪୯ କୋଟି ସବ୍‌ସିଡି ହଡପ୍‌ ମାମଲା: କୃ‌ଷି ବିଭାଗର ସଂପୃକ୍ତି ନେଇ ଚର୍ଚ୍ଚା

ବରଗଡ଼ : ଜାଲ୍‌ କାଗଜପତ୍ର ଏବଂ ଚାଷୀ ପରିଚୟ ଦେଇ ଚାଷ ଉପକରଣରେ ସରକାରୀ ସବ୍‌ସିଡି ହଡପ୍‌ ମାମଲାରେ ବରଗଡ଼ରୁ ବରଗଡ଼ର କମଲଜିତ ସିଂହ ଗିରଫ ହୋଇଛି। ୩.୪୯ କୋଟି ଟଙ୍କା ହଡପ୍‌ କରିଥିବା କମଲଜିତ୍‌କୁ ରିମାଣ୍ଡରେ ନେବା ପରେ ଅର୍ଥନୈତିକ ଅପରାଧ ଶାଖା ମାମଲା ଉପରୁ ଆହୁରି ପରଦା ହଟାଇବ। ଏବେ ପ୍ରଶ୍ନ ଉଠୁଛି, ଏହି ଘଟଣାରେ କେବଳ କମଲଜିତ ସାମିଲ ଥିଲା ନା ଏହା ପଛରେ ଆହୁରି କିଛି ବଡ଼ମୁଣ୍ଡି ଅଛନ୍ତି? କାରଣ କମଲଜିତ ଯେଉଁ ସବୁ କାରନାମା କରିଛି, ସେଥିରେ କୃଷି ବିଭାଗର କିଛି ଅଧିକାରୀଙ୍କ ସଂପୃକ୍ତି ଥିବା ମଧ୍ୟ ଚର୍ଚ୍ଚା ହେଉଛି। କେବଳ ବରଗଡ଼ ନୁହେଁ, ଯେଉଁ ଜିଲ୍ଲାର ଚାଷୀମାନଙ୍କ ଜାଲ୍‌ ଦସ୍ତାବିଜ୍‌ ପ୍ରସ୍ତୁତ ହୋଇଛି, ସେଠାକାର କୃଷି ବିଭାଗର ଅଧିକାରୀ କିମ୍ବା କର୍ମଚାରୀ କମଲଜିତ୍‌ ସହ ହାତ ମିଳାଇଥିବା ଶୁଣିବାକୁ ମିଳୁଛି। କାରଣ କିଏ କେଉଁ ଜିଲ୍ଲାର ଚାଷୀ, ତାହାର ନଥିପତ୍ର କେବଳ କୃଷି ବିଭାଗ ପାଖରେ ହିଁ ରହିଥାଏ। ନଚେତ୍‌ ଏତେ ବଡ଼ କେଳେଙ୍କାରୀ ଠୋସ୍‌ ତଥ୍ୟ ବିନା ସମ୍ଭବ ନୁହେଁ ବୋଲି କୁହାଯାଉଛି।

ତେବେ କମଲଜିତ୍‌ର କାରନାମା ସମସ୍ତଙ୍କୁ ଚମକାଇ ଦେଇଛି। କାରଣ ଚାଷ ଉପକରଣ କିଣିବା ଏବଂ ସବ୍‌ସିଡି ମିଳିବା ପ୍ରକ୍ରିୟାରେ କୌଣସି ମଧ୍ୟସ୍ଥି ରହୁନାହାନ୍ତି। ଅର୍ଥାତ ଜଣେ ଚାଷୀ ଅନ୍‌ଲାଇନ୍‌ରେ ଡିଲର୍‌କୁ ଯନ୍ତ୍ରାଂଶ ପାଇଁ ନିର୍ଦ୍ଧାରିତ ଟଙ୍କା ପୈଠ କରିବ ଏବଂ ସବ୍‌ସିଡି ଟଙ୍କା ଡିଲର୍‌ ମାଧ୍ୟମରେ ଚାଷୀର ଆକାଉଣ୍ଟରେ ଜମା ହେବ। ପରେ କେଉଁ ଚାଷୀକୁ ସବ୍‌ସିଡି ମିଳିଲା, ତା’ର ତଥ୍ୟ ୱେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ ହୋଇଥାଏ। ତେଣୁ ବିଭିନ୍ନ ଜିଲ୍ଲାର ୨୮୧ ଜଣ ଚାଷୀଙ୍କ ପାଇଁ ଅନ୍‌ଲାଇନ୍‌ରେ କିଭଳି ଆବେଦନ ହେଲା, ତାହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଂଗ ଭାବେ ଉଭା ହୋଇଛି।

ସୂଚନାଯୋଗ୍ୟ, ଅଭିଯୁକ୍ତ କମଲଜିତ ପଶ୍ଚିମ ଓଡ଼ିଶାର ୨୭୮ଜଣ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ୩.୪୯ କୋଟି ଟଙ୍କାର ସବ୍‌ସିଡି ରାଶି ହେରଫେର କରିଛି। ସେ ନିଜ ଜାଲ୍‌ କମ୍ପାନି କରି ରାଜ୍ୟ ସରକାରଙ୍କ ପାଖରୁ ରେଜିଷ୍ଟ୍ରେସନ୍‌ ନମ୍ବର ହାସଲ କରିଥିଲା। ଉକ୍ତ କମ୍ପାନିରେ ଅସଲି ରେଡଲେଣ୍ଡ ଆସ୍‌ଲିନ୍‌ ମୋଟର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର କୃଷି ଉପକରଣ ବିକ୍ରି କରାଯାଉଥିବା ଦର୍ଶା ଯାଇଥିଲା। ଏହାର ସବୁ ତଥ୍ୟ ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍‌ସପୋର୍ଟ ପୋର୍ଟାଲରେ ରହିଥିଲା। ଏହି ଆଧାରରେ ସେ ନକଲି ଇଞ୍ଜିନ ନମ୍ବର ଥିବା ୨୮୧ଟି ଚାରା ବୁଣା ମେସିନ୍‌କୁ ସମ୍ବଲପୁର, ବରଗଡ଼ ଏବଂ ସୋନପୁର ଜିଲ୍ଲାର ଚା‌ଷୀଙ୍କୁ ଦେଇଥିବା ପୋର୍ଟାଲରେ ଅପ୍‌ଲୋଡ୍‌ କରିଥିଲା। ଏଥିରୁ ସରକାରୀ ସବ୍‌ସିଡି ଟଙ୍କା ହାତେଇ ଥିଲା।

ସମ୍ବନ୍ଧିତ ଖବର