ନିର୍ବାହୀ ଅଧିକାରୀଙ୍କଠାରୁ ଲୁଟିନେଲେ ୩.୯୩ ଲକ୍ଷ

ମନମୁଣ୍ଡା : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଡିମିରିମୁଣ୍ଡା ନିକଟ କ୍ରସର ପାଖରେ ଶୁକ୍ରବାର ଲମ୍ବସରି ଓ ଘିକୁଣ୍ଡି ପଞ୍ଚାୟତର ନିର୍ବାହୀ ଅଧିକାରୀ ବିପୁଲ ଦାସଙ୍କଠାରୁ ୩ ଲକ୍ଷ ୯୩ ହଜାର ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତନାଘନା ଚଳାଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଲମ୍ବସରୀ ଓ ଘିକୁଣ୍ଡି  ଉଭୟ ପଞ୍ଚାୟତର ନିର୍ବାହୀ ଅଧିକାରୀ ଶ୍ରୀ ଦାସ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ପାଇଁ ମନମୁଣ୍ଡାରୁ ଲମ୍ବସରୀକୁ ଏକ ମାରୁତି କାର୍‌ (ଓଡି ୨୭ ଏ ୧୩୬୯)ରେ ୩ ଲକ୍ଷ ୯୩ ହଜାର ଟଙ୍କା ଧରି ଯାଉଥିଲେ। ଡିମିରିମୁଣ୍ଡା କ୍ରସର ନିକଟରେ ୫ଜଣ ଦୁର୍ବୃତ୍ତ ୨ଟି ବାଇକ୍‌ରେ ଆସି ଗାଡ଼ିକୁ ଅଟକାଇ ଡ୍ରାଇଭର ମନୋଜ ନାଏକଙ୍କୁ ଧକ୍କା ମାରି ତଳେ ପକାଇ ଦେଇଥିଲେ। ଏହା ପରେ ଜଣେ ଦୁର୍ବୃତ୍ତ ଗାଡ଼ି ଚଳାଉ ଥିବା ବେଳେ ଆଉ ଦୁଇଜଣ ଇଓ ଶ୍ରୀ ଦାସଙ୍କ ଉଭୟ ପାର୍ଶ୍ବରେ ବସି ପାଖ ଜଙ୍ଗଲ ଭିତରକୁ ନେଇଯାଇ ଥିଲେ। ସେଠାରେ ଇଓଙ୍କୁ ମାଡ଼ ମାରି ମାଉଜର ଓ ଭୁଜାଲି ଦେଖାଇ ସମସ୍ତ ଟଙ୍କା ଲୁଟି ନେଇ ଫେରାର ହୋଇ ଯାଇଥିଲେ। ଶ୍ରୀ ଦାସ ଏହି ବିଷୟରେ ଗାଡ଼ି ମାଲିକ ମନମୁଣ୍ଡାର ସତ୍ୟ ନାରାୟଣ ମେହେରଙ୍କୁ ଫୋନ ଯୋଗେ ଜଣାଇବାରୁ ସେ ତୁରନ୍ତ ଅନ୍ୟ ଏକ ଗାଡ଼ି ‌ନେଇ ଶ୍ରୀ ଦାସଙ୍କୁ ସେଠାରୁ ଉଦ୍ଧାର କରିଥିଲେ। ପରେ ଶ୍ରୀ ଦାସ ମନମୁଣ୍ଡା ଥାନାକୁ ଆସି ଅଭିଯୋଗ କରିଥିଲେ। ମନମୁଣ୍ଡା ପୁଲିସ ଦୁର୍ବୃତ୍ତଙ୍କ ପିଛା କରିଥିଲେ ହେଁ କୌଣସି ସୁରାକ ପାଇ ନଥିଲେ। ଦୁର୍ବୃତ୍ତମାନେ ଘଣ୍ଟାପଡ଼ା ଦେଇ ପଡ଼ୋଶୀ ସୋନପୁର ଜିଲ୍ଲାର ତରଭା ଅଞ୍ଚଳକୁ ଫେରାର ମାରିଥିବା ପୁଲିସ ସନ୍ଦେହ କରିଛି।

ସମ୍ବନ୍ଧିତ ଖବର