ପୁରୀ/ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଅବସରରେ ଅର୍ପଣ ରଥ ମାଧ୍ୟମରେ ଭକ୍ତମାନେ ମହାପ୍ରଭୁଙ୍କୁ ଅରୁଆ ଚାଉଳ, ଗୁଆ, ନଡ଼ିଆ ସହିତ ଆର୍ଥିକ ରାଶି ଦକ୍ଷିଣା ଦେଇଛନ୍ତି। ଅର୍ପଣ ରଥରୁ ୩ କୋଟି ୬ ଲକ୍ଷ ୬୨ ହଜାର ୮୧୩ ଟଙ୍କା ଦକ୍ଷିଣା ମିଳିଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ବହୁ ପରିମାଣରେ ଅରୁଆ ଚାଉଳ, ଗୁଆ ଓ ନଡ଼ିଆ ମଧ୍ୟ ମିଳିଛି।

Advertisment

ମହାପ୍ରଭୁଙ୍କ ଅର୍ପଣ ରଥ ଗତ ଜାନୁଆରି ୬ରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ବୁଲିଥିଲା। ଜାନୁଆରି ୨୨ରୁ ଫେବ୍ରୁଆରି ୭ ଯାଏଁ ଅର୍ପଣ ରଥରୁ ମିଳିଥିବା ଚାଉଳ, ନଡ଼ିଆ, ଗୁଆ ଓ ଟଙ୍କା ପୁରୀକୁ ପହଞ୍ଚି ଥିଲା। 

ଓଡ଼ିଶା ବିଧାନସଭା ବଜେଟ୍‌ ଅଧିବେଶନର ଶୂନ୍ୟକାଳରେ ବିଜେପି ଆଜି ଅର୍ପଣ ରଥ ଉଷୁନା ଚାଉଳ ପ୍ରସଙ୍ଗ ଉଠାଇଥିଲା। ଏହି ପ୍ରସଙ୍ଗରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ସରକାରଙ୍କୁ ଘେରିଥିଲେ। କାହା ନିର୍ଦ୍ଦେଶରେ ଅର୍ପଣ ରଥ ବାହାରିଥିଲା? କାହା ନିର୍ଦ୍ଦେଶରେ ଶ୍ରୀ ମନ୍ଦିର ନୀତି ବିରୁଦ୍ଧରେ ଉଷୁନା ଚାଉଳରେ ମହାପ୍ରସାଦ ତିଆରି ହେଲା? ଏହା ଉପରେ ସରକାର ସ୍ପଷ୍ଟୀକରଣ ଦେବା ପାଇଁ ବାଚସ୍ପତିଙ୍କ ରୁଲିଂ ପାଇଁ ସେ ଦାବି କରିଥିଲେ। ଆହୁରି ସେ କହିିଥିଲେ ଯେ, ରାଜ୍ୟପାଳଙ୍କ ମୁହଁରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରଶଂସା ସରକାର କରାଇଛନ୍ତି। ଉଷୁନା ଚାଉଳ ଅର୍ପଣ ରଥରୁ ମିଳିଥିଲା। ଯାଞ୍ଚ କମିଟି ସଦସ୍ୟ ଦାମ ମହାସୁଆର ନିଜେ କହିଛନ୍ତି ଉଷୁନା ଚାଉଳ ମିଳିଛି। ବାର ମିଶା ଚାଉଳ ଶ୍ରୀମନ୍ଦିରକୁ ଗଲା କେମିତି। ଡାଲା ଅଟୋରେ ସୋଲରେ ନିର୍ମିତ ଜଗନ୍ନାଥଙ୍କୁ ବାନ୍ଧି ବୁଲାଇଲେ, ଯାହା ଜଗନ୍ନାଥ ସଂସ୍କୃତିର ପରିପନ୍ଥୀ। ଗଜପତି ମହାରାଜ ବି କହିଛନ୍ତି ଅର୍ପଣ ରଥ ମନ୍ଦିର ପ୍ରଶାସନର ନୁହେଁ। ମୁଖ୍ୟମନ୍ତ୍ରୀ ବୁଧବାର ଯେତେବେଳେ ଗୃହରେ ବିବୃତି ରଖିଥିଲେ ଏବାବଦରେ ପଦୁଟିଏ କହିଲେନି।

ଅନ୍ୟପଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଅର୍ପଣ ରଥରେ ସଂଗୃହୀତ ଅରୁଆ ଚାଉଳରେ ପ୍ରସ୍ତୁତ ଭୋଗକୁ ମହାପ୍ରଭୁଙ୍କ ନିକଟରେ ଲାଗି କରାଯାଇଛି। ସକାଳ ଧୂପରେ ଖେଚୁଡ଼ି ଭୋଗ ଲାଗି କରାଯିବା ସହ ଅନ୍ୟ ଧୂପରେ କାନିକା ଭୋଗ ପରେ ଭକ୍ତଙ୍କ ମଧ୍ୟରେ ଏହାକୁ ବଣ୍ଟନ କରାଯାଇଛି। ଶ୍ରୀମନ୍ଦିର ସିଂହଦ୍ୱାରକୁ ଛାଡ଼ି ଅନ୍ୟ ତିନିଦ୍ୱାରରେ ଏହି ଖେଚୁଡ଼ି ଭୋଗ ବଣ୍ଟନ କରାଯାଇଛି। ଏଥିସହ ସୁଆର ମହାସୁଆର ନିଯୋଗ ପକ୍ଷରୁ ଭକ୍ତଙ୍କୁ ଖେଚୁଡ଼ି ଓ କାନିକା ଭୋଗ ପ୍ରଦାନ କରାଯାଇଛି। ମହାପ୍ରଭୁଙ୍କ ଏହି ଖେଚୁଡ଼ି କାନିକା ମହାପ୍ରସାଦ ପାଇ ଭକ୍ତ ମାନେ ବେଶ୍ ଭାବ ବିହ୍ୱଳ ହୋଇପଡ଼ିଥିଲେ।