ଯାଜପୁର : ବହୁଚର୍ଚ୍ଚିତ ହରିଦାସପୁର ପିଇଓ ସ୍ମିତରାଣୀ ବିଶ୍ବାଳଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ଗିରଫ ହୋଇ ଜେଲ୍ରେ ଥିବା ରୂପେଶ ଭଦ୍ର ଓ ରାମ୍କୋ ସିମେଣ୍ଟ କମ୍ପାନିର ସମ୍ପର୍କକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ରାମ୍କୋ ସିମେଣ୍ଟ କମ୍ପାନି ସହିତ ରୂପେଶଙ୍କର କୌଣସି ସମ୍ପର୍କ ନାହିଁ ବୋଲି କମ୍ପାନି ଅଧିକାରୀ ଗଣମାଧ୍ୟମକୁ କହୁଥିବା ବେଳେ ଏବେ ତାହା ଧରାପଡ଼ିଯାଇଛି। ଗତ ୯ ମାସ ଭିତରେ ରାମ୍କୋ ଓ ରୂପେଶ ମଧ୍ୟରେ କୋଟି କୋଟି ଟଙ୍କାର ନେଣଦେଣ ହୋଇଥିବା ତଥ୍ୟ ‘ସମ୍ବାଦ ଅନୁସନ୍ଧାନ ଟିମ୍ ହାତରେ ଲାଗିଛି। ଏଲ୍ଆଣ୍ଡଟି ମାଧ୍ୟମରେ ଏହି କାରବାର ହୋଇଥିବା ଜଣାପଡ଼ିଛି।
/sambad/media/post_attachments/wp-content/uploads/2019/11/Jajpur-Sarpanch-Husband-RupeshVLW-News-18-1.jpg)
ତଥ୍ୟ ଅନୁସାରେ, ରାମ୍କୋ ସିମେଣ୍ଟ କାରଖାନାରେ ନିର୍ମାଣ କାମ କରୁଥିବା ଏଲ୍ଆଣ୍ଡଟିର ଭେଣ୍ଡର ରୂପେଶ ଭଦ୍ରଙ୍କ ଏଚଡିଏଫସି ବ୍ୟାଙ୍କ ଚଣ୍ଡିଖୋଲ ଶାଖା (ଏମଆଇଏସ- ୭୫୫୨୪୦୨୦୨)ରେ ଥିବା ଅକାଉଣ୍ଟ ନମ୍ବର ୨୨୭୧୧୯୩୦୦୦୧୧୧୬କୁ ଗତ ସେପ୍ଟେମ୍ବର ସୁଦ୍ଧା ୨କୋଟି ୯୩ଲକ୍ଷ ୫୪ହଜାର ୧ଟଙ୍କା ପଇଠ କରାଯାଇଛି। ସେଥିମଧ୍ୟରୁ ଶ୍ରମିକ ଦେୟ ବାବଦରେ ୧କୋଟି ୭ଲକ୍ଷ ୮ହଜାର ୭୩୫ଟଙ୍କା ଓ ଇଟା ବାଲି ବାବଦରେ ୧କୋଟି ୮୬ଲକ୍ଷ ୪୫ହଜାର ୨୬୬ଟଙ୍କା ପଇଠ କରାଯାଇଛି। ଏହା ବାଦ୍ ୧୪ଲକ୍ଷ ୩୨ହଜାର ୭୮ଟଙ୍କା ବିଲ୍ ବାକି ପଡ଼ିଛି। ମାତ୍ର ୯ମାସ ମଧ୍ୟରେ ରୂପେଶଙ୍କର କୋଟି କୋଟି ଟଙ୍କାର କାରବାର ଅଧିକାଂଶଙ୍କୁ ବିସ୍ମିତ କରିଛି। ହରିଦାସପୁର ପଞ୍ଚାୟତର ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ବାମୀ ରୂପେଶ ଭଦ୍ର ସହିତ ରାମ୍କୋ କମ୍ପାନିର କୋଟି କୋଟି ଟଙ୍କା କାରବାର ଚାଲିଥିବା ବେଳେ ରଙ୍ଗଶାଳା(ବେଆଇନ୍ ଗେଷ୍ଟହାଉସ)ରେ ରାମ୍କୋ ଓ ଏଲଆଣ୍ଡଟି ଅଧିକାରୀଙ୍କ ଉପସ୍ଥିତିରେ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ଏହି ଘଟଣାକୁ ଅଧିକ ଜଟିଳ କରିଛି। ପ୍ରଶ୍ନ ଉଠୁଛି, ବାକି ଥିବା ୧୪ଲକ୍ଷ ଟଙ୍କା ବିଲ ଉଠାଇବା ପାଇଁ ରୂପେଶ ସେଦିନ ସ୍ମିତାରାଣୀଙ୍କୁ ଆୟୁଧ କରି କମ୍ପାନି ଅଧିକାରୀଙ୍କ ଠାରୁ କାମ ହାସଲ ପାଇଁ ଉଦ୍ୟମ କରିବାକୁ ଯାଇ ଫସିଯାଇ ନାହିଁ ତ? ଏହି କାରଣ ପାଇଁ ସବୁ ପ୍ରମାଣକୁ ନଷ୍ଟ କରି ପୁଲିସ ହାତ ଝାଡ଼ି ବସିଛି କି? ଯାହାକୁ ନେଇ ଏବେ ଚର୍ଚ୍ଚା ଅଧିକ ଘନେଇଛି। ଏଥିସହ ରୂପେଶଙ୍କ ଆକାଉଣ୍ଟରୁ କେଉଁମାନଙ୍କ ପାଖକୁ ଟଙ୍କା ଯାଇଛି, କେତେ ଟଙ୍କା ତାଙ୍କ ଆକାଉଣ୍ଟରୁ ଉଠାଣ ହୋଇଛି, ଏବଂ ଜେଲ୍ରେ ଥିବା ବେଳେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ କିଭଳି ପରିଚାଳନା ହୋଇଛି- ସେ ସଂପର୍କରେ ତଦନ୍ତ କରାଯିବା ଆବଶ୍ୟକ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/Rupeshs-Account-Details-on-Smitarani-Case_Thumbnail.jpg)