ରଥଯାତ୍ରା ପୂର୍ବରୁ କନ୍ଧମାଳରୁ ଗଂଜେଇ ଆଣି ରଖୁଥିଲେ; ମାଫିଆ ବାପପୁଅଙ୍କ ୩ କୋଟି ଟଙ୍କାର ସଂପତ୍ତି ବାଜ୍ୟାପ୍ତି କଲା ପୁଲିସ
ପୁରୀ: ପବିତ୍ର ରଥଯାତ୍ରା ପୂର୍ବରୁ କନ୍ଧମାଳ ଜିଲ୍ଲାରୁ ଗଂଜେଇ ଆଣି ଘରେ ଗଚ୍ଛିତ ରଖୁଥିବା ବ୍ରହ୍ମଗିରି ଅଞ୍ଚଳର ମାଫିଆ ବିଜୟ ପାଣି (୫୦) ଓ ତାଙ୍କର ପୁଅ ସୁଜିତ ପାଣି (୨୩)ଙ୍କ ୩ କୋଟି ଟଙ୍କାର ସମ୍ପତ୍ତିକୁ ପୁଲିସ ବାଜ୍ୟାପ୍ତି କରିଛି। ବ୍ୟାଜ୍ୟାପ୍ତିରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି ବୋଲି ପୁରୀ ଏସ୍ପି ସୂଚନା ଦେଇଛନ୍ତି।
ପୁଲିସ କହିଛି ଯେ, ଉଭୟ ବିଜୟ ଓ ସୁଜିତଙ୍କ ବ୍ରହ୍ମଗିରି ନିବାସରୁ ଗତ ୩ ତାରିଖ ଦିନ ୬ କୁଇଣ୍ଟାଲ ଗଂଜେଇ ଜବତ ହୋଇଥିଲା। ବ୍ରହ୍ମଗିରି ପୁଲିସ ସହାୟତାରେ ଏସ୍ଟିଏଫ୍ ଦ୍ବାରା ଜବତ ହୋଇଥିବା ଗଂଜେଇର ବଜାର ଦର ୬୦,୦୦,୦୦୦ ଟଙ୍କା ହେବ। ସେମାନେ କନ୍ଧମାଳ ଜିଲ୍ଲାରୁ ଗଂଜେଇ ଆଣୁଥିଲେ। ଆଗାମୀ ରଥଯାତ୍ରା ପୂର୍ବରୁ ଗଚ୍ଛିତ କରି ରଖୁଥିଲେ। ଆଜି ସକାଳୁ ଅତିରିକ୍ତ ଏସ୍ପି ମିହିର ପଣ୍ଡାଙ୍କ ତତ୍ତ୍ବାବଧାନରେ ତଥା ସଦର ଏସ୍ଡିପିଓ କେସି ମୁଣ୍ଡଙ୍କ ନେତୃତ୍ବରେ ପୁରୀ ପୁଲିସର ୩ଟି ଘଟଣା ସ୍ଥଳକୁ ପହଞ୍ଚି ଥିଲେ। ଏହି ୩ଟି ଟିମ୍ରେ ୬ ଜଣ ଏସ୍ଆଇ, ୮ ଜଣ ଏଏସ୍ଆଇ ଓ ଗୋଟିଏ ପ୍ଲାଟୁନ ଫୋର୍ସ ଥିଲେ।
ପୁଲିସ ଟିମ୍ ବାପାପୁଅଙ୍କ ୩ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ଜବତ କରିଛନ୍ତି। ଏଥିରେ ଗୋପୀନାଥପୁର ମୌଜାରେ ଥିବା ୪ଟି ପ୍ଲଟ, କପିଳେଶ୍ବରପୁର ମୌଜାରେ ଥିବା ୨ଟି ପ୍ଲଟ। ସିପସରୁବାଲିରେ ଥିବା ୩ଟି ପ୍ଲଟ, ଗୋପୀନାଥପୁର ମୌଜାରେ ଥିବା ଏକ ୪ ମହଲା କୋଠା, ଏକ ଦୁଇ ମହଲା କୋଠା ଏବଂ କପିଳେଶ୍ବପୁର ମୌଜାରେ ଥିବା ଏକ କୋଠା ବାଜ୍ୟାପ୍ତି ହୋଇଛି। ଏଗୁଡ଼ିକ ବ୍ରହ୍ମଗିରି ଥାନା ଅଞ୍ଚଳରେ ରହିଛି। ଅସ୍ଥାବର ସଂପତ୍ତିରେ ୨ଟି କାର (ମାରୁତି ଇଗନିସ ଏବଂ ଫକ୍ସୱାଗନ ପୋଲୋ) ଏବଂ ଏକ ଦାମୀ ବାଇକ୍ ସାମିଲ ରହିଛି। ପୁଲିସ ମାମଲାର ଅଧିକ ତଦନ୍ତ କରୁଛି।