ଜୟପୁର: ପୁଲିସ ଠକି ଦେଲା ପୁଲିସକୁ। ଏଭଳି ଏକ ଅଜବ ଘଟଣା ଘଟିଛି ଜୟପୁର ସହରରେ। ଅବକାରୀ ବିଭାଗର ସବଇନିସପେକ୍ଟର ପଦବିରେ ନିଯୁକ୍ତି କରାଇଦେବା ନାଁରେ ଜଣେ ପୁଲିସ କନେଷ୍ଟବଲ ଆଉ ଜଣେ ମହିଳା ପୁଲିସ କନେଷ୍ଟବଳଙ୍କୁ ଠକି ସାଢ଼େ ୩ଲକ୍ଷ ଟଙ୍କା ହଡପ କରିଥିବା ଜୟପୁର ଟାଉନଥାନାରେ ଅଭିଯୋଗ ହୋଇଛି। ଏହି ମାମଲାରେ ଜୟପୁର ଟାଉନଥାନା ପୁଲିସ ଅଭିଯୁକ୍ତ ଥିବା ଆଇଆରବିଏନ୍ କନେଷ୍ଟବଲ ଦୁର୍ଗା ପ୍ରସାଦ ପଣ୍ଡା(୩୫)ଙ୍କୁ ଗିରଫ କରି କୋର୍ଟକୁ ଚାଳାଣ କରିଥିବା କହିଛନ୍ତି ଜୟପୁର ଟାଉନଥାନା ଅଧିକାରୀ ରମଣି ରଂଜନ ଦଳାଇ।

Advertisment

ସୂଚନା ମୁତାବକ, ଗତ ୨୦୨୧ମସିହାରେ ଜିଲ୍ଲାପୁଲିସର କନେଷ୍ଟବଲ ରୀନା ପାଠକଙ୍କ ଭାଇ ଅବକାରୀ ବିଭାଗର ସବଇନିସପେକ୍ଟର ପଦବି ପାଇଁ ଆବେଦନ କରିବା ସହ ଇଣ୍ଟରିଭ୍ୟୁ ଆଦିରେ ଭାଗ ନେଇଥିଲେ। ରୀନାଙ୍କ ଭାଇଙ୍କୁ ଏହି ଚାକିରି କରାଇବା ପାଇଁ ଜୟପୁର ନୂଆସାହି ୪ର୍ଥ ଲାଇନ୍ ଅଂଚଳବାସିନ୍ଦା ତଥା ଆଇଆରବିଏନ୍ କନେଷ୍ଟବଳ ଦୁର୍ଗା ପ୍ରସାଦ ପଣ୍ଡା ପ୍ରତିଶ୍ରୃତି ଦେଇଥିଲେ। ଏଥି ପାଇଁ ୭ଲକ୍ଷ ଟଙ୍କାର ଲାଂଚ ଦେବାକୁ ପଡ଼ିବ ବୋଲି ଅଭିଯୁକ୍ତ ଦୁର୍ଗା କହିଥିଲେ।

୨୦୨୧ମସିହାରେ ରୀନା ଅଭିଯୁକ୍ତ ଦୁର୍ଗାଙ୍କୁ ସାଢ଼େ ୩ଲକ୍ଷ ଟଙ୍କା ଏ ବାବଦରେ ଦେଇଥିଲେ। ଚାକିରି ହେବା ପରେ ବଳକା ଟଙ୍କା ଦେବେ ବୋଲି ପ୍ରତିଶ୍ରୃତି ଦେଇଥିଲେ। ତେବେ ଏହାରି ମଧ୍ୟରେ ତିନି ବର୍ଷ ବିତିଯାଇଥିଲେ ସୁଦ୍ଧା ଅଭିଯୁକ୍ତ ଦୁର୍ଗା ରୀନାଙ୍କୁ ଭୁଆଁ ଭୁଲାଉଥିଲେ। ଟଙ୍କା ବି ଫେରାଉ ନଥିଲେ। ରୀନା ଏ ନେଇ ଜୟପୁର ଟାଉନଥାନାରେ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ କରି ଦଫା ୪୨୦ରେ ମାମଲା ରୁଜୁ କରି ଅଭିଯୁକ୍ତ ଦୁର୍ଗାଙ୍କୁ ଗିରଫ କରି କୋର୍ଟକୁ ଚାଳାଣ କରିଥିବା କହିଛନ୍ତି ଟାଉନଥାନା ଅଧିକାରୀ। କୋର୍ଟ ଅଭିଯୁକ୍ତକୁ ବିଚାରବିଭାଗୀୟ ସ୍ବତନ୍ତ୍ର କାରାଗାରକୁ ପଠାଇଦେଇଥିବା କହିଛନ୍ତି ଟାଉନଥାନା ଅଧିକାରୀ।