ଛତ୍ରପୁର : ନକଲି ସୁନାଚେକା ଦେଇ ଦମ୍ପତିଙ୍କଠୁ ୩ ଲକ୍ଷ ଟଙ୍କା ଲୁଟିନେଲେ ଦୁଇ ଅଣଓଡ଼ିଆ। ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଲୁଟ୍‌ର ଶିକାର ଦମ୍ପତି ହେଉଛନ୍ତି, ଛତ୍ରପୁର ଶାନ୍ତିନଗରର ବିଜୟ କୁମାର ସାମନ୍ତରାୟ ଓ ପତ୍ନୀ ରୀନା।

Advertisment

ସୂଚନାନୁସାରେ, ଗତ ୧୫ ଦିନ ହେଲା ବଙ୍ଗାଳି ଭାଷା କହୁଥିବା ଜଣେ ଯୁବକ ସାହିକୁ ପ୍ରତିଦିନ ପନିପରିବା ବିକ୍ରି କରିବାକୁ ଆସି ଦମ୍ପତିଙ୍କ ସହିତ ପରିଚୟ ସୃଷ୍ଟି କରିଥିଲା। କିଛିଦିନ ତଳେ ସେ ଦମ୍ପତିଙ୍କ ସହ କଥା ହେବା ବେଳେ କହିଥିଲା ‘ମୋର ଜଣେ ସଂପର୍କୀୟ ବ୍ରହ୍ମପୁରରେ ଘର କାମ ପାଇଁ ପୁନାଦି ଖୋଳିବା ସମୟରେ ଗୋଟିଏ ସୁନାଚେକା ମିଳିଥିଲା। ଯାହାର ମୂଲ୍ୟ ୫ରୁ ୬ ଲକ୍ଷ ଟଙ୍କା ହେବ। ଯଦି ଆପଣମାନେ କହିବେ, ତା’ହେଲେ ମୁଁ କମ୍ ମୂଲ୍ୟରେ ଆପଣମାନଙ୍କୁ ଦେଇଦେବି’।

ବିଜୟ ଓ ରୀନା ଉକ୍ତ ଅଜଣା ଯୁବକର କଥାରେ ପ୍ରଭାବିତ ହୋଇ ଲୋଭବଶତଃ ତା’ର ପ୍ରସ୍ତାବରେ ରାଜି ହୋଇଥିଲେ। ଗତକ‌ାଲି ଉକ୍ତ ଯୁବକଜଣକ ତା’ର ଜଣେ ସହଯୋଗୀ ସହ ସୁନାଚେକା ନେଇ ଡିଆର୍‌ଡିଏ ଛକରେ ପହଞ୍ଚିଥିଲା। ବିଶ୍ରାମାଗାର ନିକଟରେ ସୁନାଚେକାଟିକୁ ଦମ୍ପତିଙ୍କୁ ହସ୍ତାନ୍ତର କରି ସେମାନଙ୍କଠୁ ୩ ଲକ୍ଷ ଟଙ୍କା ଗ୍ରହଣ କରି ଆଖି ପିଛୁଳାକେ ସେଠାରୁ ଚମ୍ପଟ୍ ମାରିଥିଲେ। କିନ୍ତୁ ପରୀକ୍ଷା ପରେ ଏହି ସୁନାଚେକା ନକଲି ବୋଲି ଜାଣିବା ପରେ ଦମ୍ପତି ଚକିତ ହୋଇ ଯାଇଥି‌ଲେ। ଉଭୟଙ୍କୁ ଖୋଜାଖୋଜି କରି ବିଫଳ ହେବା ପ‌ରେ ଛତ୍ରପୁର ଥାନାରେ ଏତଲା ଦେଇଥିଲେ। ପୁଲିସ ତଦନ୍ତ ଆରମ୍ଭ କରିଛି। ସହରର ବିଭିନ୍ନ ସ୍ଥାନକୁ ଅଣଓଡ଼ିଆ ବ୍ୟବସାୟୀ ମାନେ ବେପାର ଆଳ‌ରେ ଆସି ଲୁଟ୍ ଯୋଜନା କରୁଛନ୍ତି। ଏ ଦିଗରେ ଜନସାଧାରଣ ସଚେତନ ହେବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି।