ଭୁବନେଶ୍ବର : ଦିନ ଦିପ୍ରହରେ କାର୍ ଉପରକୁ ପୋଡ଼ା ମୋବିଲ୍ ପକାଇ ୩ଲକ୍ଷ ଲୁଟ୍। ଆଜି ଏଭଳି ଘଟଣା ଘଟିଛି ରାଜମହଲ ଛକରେ। ଏନେଇ ଲୁଟ୍ର ଶିକାର ହୋଇଥିବା ଦାମୋଦର ମହାପାତ୍ର କ୍ୟାପିଟାଲ୍ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଲୁଟେରାଙ୍କୁ ଚିହ୍ନଟ ପାଇଁ ସ୍ଥାନୀୟ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି। ଲୁଟେରାମାନେ ଏରୋଗୋଲା ଗ୍ୟାଙ୍ଗର ସଦସ୍ୟ ବୋଲି ପୁଲିସ ସନ୍ଦେହ କରୁଛି।
ସୂଚନା ମୁତାବକ, ନୂଆ କାର୍ କିଣିବା ପାଇଁ ସାଙ୍ଗମାନଙ୍କ ସହ ଦାମୋଦର ରାୟଗଡ଼ା ମୁନିଗୁଡ଼ାରୁ ଭୁବନେଶ୍ବର ଆସିଥିଲେ। ଦିନ ପ୍ରାୟ ୧୨ଟା ସମୟରେ ଦାମୋଦର ରାଜମହଲ୍ ଛକ ପାର୍କିଂରେ ଗାଡ଼ି ରଖି ନିକଟରେ ଥିବା ଏକ ଦୋକାନରୁ ଔଷଧ କିଣିବା ପାଇଁ ଯାଇଥିଲେ। ଗାଡ଼ି ଚାଳକ ଓ ତାଙ୍କ ବନ୍ଧୁ ଗାଡ଼ିରେ ଏସି ଲଗାଇ ଶୋଇଥିଲେ। ଏହି ସମୟରେ ଦୁଇ ଜଣ ଯୁବକ କାର୍ ନିକଟକୁ ଆସି କାର୍ର ସମ୍ମୁଖକୁ ପୋଡ଼ା ମୋବିଲ୍ ଫୋପାଡ଼ି ଥିଲେ। କାର୍ ଭିତରେ ଥିବା ଚାଳକଙ୍କୁ ଡାକି ଗାଡ଼ିରୁ ମୋବିଲ୍ ଲିକ୍ ହେଉଥିବା କହିଥିଲେ। ଚାଳକ ଓ ଦାମୋଦରଙ୍କ ସାଙ୍ଗ ତୁରନ୍ତ ଗାଡ଼ିରୁ ବାହାରି ଆସି ବନେଟ୍ ଖୋଲି ଚେକ୍ କରିଥିଲେ। ଏହି ସମୟରେ ଲୁଟେରା ଦ୍ବୟ କାର୍ ଡୋର୍ ଖୋଲି ଟଙ୍କା ବ୍ୟାଗ୍ ନେଇ ଆଖି ପିଛୁଳାକେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ଚାଳକ ଓ ଦାମୋଦରଙ୍କ ସାଙ୍ଗ ପାଟିକରି ଗୋଡ଼ାଇ ଧରିବାକୁ ଚେଷ୍ଟ କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/loot-4.jpg)