ରାଇରଙ୍ଗପୁର: ଦିନ ଦ୍ବିପହରରେ ଜନୈକ ବ୍ୟକ୍ତିଙ୍କ ଠାରୁ ନଗଦ ୩ ଲକ୍ଷ ଟଙ୍କା ଲୁଟ୍। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ସହର ମଧ୍ୟରେ ଥିବା ପିସିଏମ୍ କଲ୍ୟାଣୀ ମଣ୍ଡପ ନିକଟରୁ ଲୁଟ କରିଛନ୍ତି ଲୁଟେରା। ଅଭିଯୋଗ ଅନୁଯାୟୀ ବହଳଦା ଥାନା ଅନ୍ତର୍ଗତ ତେନ୍ତଳା ଗ୍ରାମର ଅଵସର ପ୍ରାପ୍ତ ରେଳ ବିଭାଗର କର୍ମଚାରୀ ଆହ୍ଲାଦ ଚରଣ ମୁର୍ମୁ ରାଇରଙ୍ଗପୁରସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖାରୁ ୩ ଲକ୍ଷ ଟଙ୍କା ଉଠାଣ କରି ନିଜ କାର ଯୋଗେ କଲ୍ୟାଣୀ ମଣ୍ଡପ ନିକଟକୁ ଆସି ଟଙ୍କା ଥିବା ବ୍ୟାଗ ଧରି କାରରୁ ଓହ୍ଲାଇ ଥିଲେ।
ସେହି ସମୟରେ ପୂର୍ବରୁ ଯୋଜନା କରି ପିଛା କରିଥିବା ଦୁଇ ଜଣ ଲୁଟେରା ଏକ କଳା ପଲସର ବାଇକ ଯୋଗେ ଆସି ଟଙ୍କା ଭର୍ତ୍ତି ବ୍ୟାଗଟିକୁ ଝାମ୍ପି ନେଇ ଦୃତ ଗତିରେ ଖସି ପଳାଇଥିଲେ। ଏ ସମ୍ପର୍କରେ ଶ୍ରୀ ମୁର୍ମୁ ଲିଖିତ ଅଭିଯୋଗ କରିବା ପରେ ରାଇରଙ୍ଗପୁର ଟାଉନ ଥାନା ପୁଲିସ ଏକ ଲୁଟ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସେପଟେ ରାଇରଙ୍ଗପୁର ସହରରେ ବାରମ୍ବାର ଲୁଟ ଘଟଣା ବୃଦ୍ଧି ପାଉଥିବା ଏବଂ ବର୍ତ୍ତମାନ ସୁଦ୍ଧା ଗୋଟିଏ ବି ଲୁଟ ଘଟଣାର ପର୍ଦ୍ଦାଫାଶ ନ ହେବା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ସହରର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲାଗାଯାଉ ବୋଲି ଅଞ୍ଚଳବାସୀ ଦାବି କରୁଛନ୍ତି ।