ଡାବୁଗାଁ: ୧୦ ଲକ୍ଷ ଟଙ୍କା ବ୍ୟକ୍ତିଗତ ଋଣ ଦେବା ଆଳରେ ଜଣେ ଯୁବକଙ୍କଠୁ ୩୦ ହଜାର ଠକି ନେଇଛନ୍ତି ସାଇବର ଠକ। ‘ଇଣ୍ଡିଆ ବୁଲ ଧନି’ ମୋବାଇଲ ଆପ୍ ମାଧ୍ୟମରେ ଯୁବକ ଜଣକ ଠକାମୀର ଶିକାର ହୋଇଛନ୍ତି । ଠକାମୀର ଶିକାର ହୋଇଥିବା ଯୁବକ ଜଣକ ନବରଂଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଡୁମୁଣିଗୁଡ଼ା ଗ୍ରାମର ଅକ୍ଷୟ କୁମାର ବେହେରା (୩୫)।
ସୂଚନା ଅନୁଯାୟୀ ଇଣ୍ଡିଆ ବୁଲ ‘ଧନି’ ନାମକ ମୋବାଇଲ ଆପ୍ରେ ଡୁମୁଣିଗୁଡ଼ାର ଅକ୍ଷୟ କୁମାର ବେହେରାଙ୍କୁ ୧୦ ଲକ୍ଷ ଟଙ୍କା ବ୍ୟକ୍ତିଗତ ଋଣ ଦିଆଯିବ ବୋଲି ଗତ ଶନିବାର ୧୧ ତାରିଖରେ ଏକ ଫୋନ କାଲ ଆସିଥିଲା। ଅକ୍ଷୟ କୁମାର ୧୦ ଲକ୍ଷ ଟଙ୍କା ଋଣ ପାଇବା ନେଇ ଆଶାୟୀ ହୋଇଥିବା ବେଳେ ଫୋନ୍ର ହ୍ବାଟ୍ସଆପ୍ ମାଧ୍ୟମରେ ଆବଶ୍ୟକ କାଗଜପତ୍ର ଦେବାକୁ କହିଥିଲେ। ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ଅକ୍ଷୟ ଆଧାରକାର୍ଡ, ବ୍ୟାଙ୍କ୍ ପାସ୍ବୁକ୍, ପାନ୍କାର୍ଡ ଓ ଅନ୍ୟାନ୍ୟ କାଗଜ ପାତ୍ର ପଠାଇଥିଲେ। ୧୦ ଲକ୍ଷ ଋଣ କେବଳ ୨% ସୁଧରେ ଦିଆଯାଇ ୭୨ ମାସ କିସ୍ତି ଆକାରରେ ନିଆଯିବ ବୋଲି ଧନି ଆପ ମାଧ୍ୟମରେ ଯୁବକ ଅକ୍ଷୟଙ୍କୁ କୁହାଯାଇଥିଲା।
ଏହା ପରେ ସେହି ଫୋନ୍ ନମ୍ବରରୁ ସର୍ଭିସ ଚାର୍ଜ, ଇନ୍ସୁରାନସ, ଅଗ୍ରୀମ ମାସିକ କିସ୍ତି ଓ ବିଭିନ୍ନ ଆଳ ଦେଖାଇ ଟଙ୍କା ପୈଠ କରିବାକୁ ଯୁବକଙ୍କୁ କହିଥିଲେ।ମନୋଜ କୁମାର ନାମରେ ଅକ୍ଷୟ କୁମାର ଅଲଗା ଅଲଗା ଟଙ୍କା ଜମା କରିବାକୁ ଲାଗିଲେ। ଅକ୍ଷୟଙ୍କୁ ବିଶ୍ୱାସ ଜନ୍ମାଇବା ପାଇଁ ଠକମାନେ ଇଣ୍ଡିଆ ବୁକ ଧନି ଲୋଗ ଥିବା ବେଡଜ, ଆଧାରକାର୍ଡ, ପାନ୍କାର୍ଡ ଇତ୍ୟାଦି ମୋବାଇଲ ମାଧ୍ୟମରେ ପଠାଇଥିଲେ। ଅକ୍ଷୟ ସମସ୍ତ ତଥ୍ୟକୁ ବିଶ୍ୱାସ କରି ୩୦ ହଜାର ପର୍ଯ୍ୟନ୍ତ ଟଙ୍କା ଜମା କରିଥିଲେ।
ତେବେ ପୁଣି ଅକ୍ଷୟଙ୍କୁ ଠକମାନେ ୧୮ ହଜାର ଟଙ୍କା ଜମା କଲେ ହିଁ ତୁମର ଋଣ ଗୃହୀତ ହେବ କହିଥିଲେ। ୧୦ ଲକ୍ଷ ଟଙ୍କା ଋଣ ପାଇବା ଆଶାରେ ୩୦ ହଜାର ପର୍ଯ୍ୟନ୍ତ ଟଙ୍କା ବାନ୍ଧି ସାରିଥିବା ଅକ୍ଷୟ ପାଖରେ ଆଉ ଟଙ୍କା ନ ଥିବାରୁ ୧୮ ହଜାର କିପରି ବାନ୍ଧିବ ସେ ନେଇ ଚିନ୍ତାରେ ପଡିଯାଇଥିଲା। ଏହି ଅବସରରେ ତୁରନ୍ତ ୧୮ ହଜାର ଟଙ୍କା ବାନ୍ଧିବାକୁ ଅକ୍ଷୟକୁ ସାଇବର ଠକମାନେ ଚାପ କରିଥିଲେ। ଏଥିରେ ଅକ୍ଷୟର ସନ୍ଦେହ ଜାତ ହେବା ସହ ସେ ଠକାମୀର ଶିକାର ହୋଇଥିବା ଜାଣି ପାରିଥିଲେ। ଠକାମୀର ଶିକାର ପରେ ଯୁବକ ଅକ୍ଷୟ ବେହେରା ମୁଣ୍ଡରେ ହାତ ଦେଇଥିବା ବେଳେ ୧୦ ଲକ୍ଷ ଲୋଭରେ କେତେଜଣ ସାଙ୍ଗକୁ ଧାର କରଜ କରି ୩୦ ହଜାର ଟଙ୍କା ଆଣି ସାଇବର ଠକ ମାନଙ୍କୁ ଟଙ୍କା ପଠାଇଛନ୍ତି।