ରାସନ ବଣ୍ଟନରେ ୩ଶହ କୋଟିର ଦୁର୍ନୀତି: କଂଗ୍ରେସ

ଭୁବନେଶ୍ବର : ରାଜ୍ୟରେ କରୋନା ମହାମାରୀ ସମୟରେ ରାସନ ସାମଗ୍ରୀ ବଣ୍ଟନରେ ୩ଶହ କୋଟିର ଦୁର୍ନୀତି ହୋଇଛି। ଲକ୍ଷାଧିକ ଭୂତ ହିତାଧିକାରୀଙ୍କ କାର୍ଡ ଜରିଆରେ ରାଜ୍ୟ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଚାଲିଥିବା ଖାଦ୍ୟଶସ୍ୟ ସାମଗ୍ରୀ ବଣ୍ଟନରେ ଏହି ଦୁର୍ନୀତି ଚଳାଇଛନ୍ତି ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଗଣମାଧ୍ୟମ ଓ ଯୋଗାଯୋଗର ଆବାହକ ସତ୍ୟପ୍ରକାଶ ନାୟକ କହିଲେ, ଗତ ୧ବର୍ଷ ଭିତରେ ରାଜ୍ୟ ସରକାର ଶହ ‌ଶହ କୋଟି ଟଙ୍କାର ରାସନ ସାମଗ୍ରୀ ଭୂତ ହିତାଧିକାରୀଙ୍କ ନାଁରେ ଉଠାଇଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟରୁ ୯୩ଲକ୍ଷ ୬ହଜାର ୨୦୨ଜଣ ହିତାଧିକାରୀ ଥିବା ବେଳେ ଗୋଟିଏ ମାସରେ ବି ଏହି ସଂଖ୍ୟକ ହିତାଧିକାରୀଙ୍କୁ ରାସନ ବଣ୍ଟନ କରାଯାଇ ନାହିଁ। ଅଥତ ପ୍ରତ୍ୟେକ ମାସରେ ହଜାର ହଜାର ମେଟ୍ରିକ ଟନ୍‌ ଚାଉଳ ବଣ୍ଟା ନ ହୋଇ ରହିଯାଇଛି। ହେଲେ ପରବର୍ତୀ ମାସମାନଙ୍କରେ ବଳକା ଚାଉଳ ପରିମାଣ କଟା ନ ଯାଇ କେନ୍ଦ୍ରରୁ ସଂପୂର୍ଣ୍ଣ କୋଟା ଚାଉଳ ଉଠାଯାଇଛି। ତେଣୁ ପ୍ରତ୍ୟେକ ମାସରେ ରହି ଯାଉଥିବା ହଜାର ହଜାର ମେଟ୍ରିକ ଟନ ଚାଉଳ କୁଆଡ଼େ ଯାଉଛ ବୋଲି ଶ୍ରୀ ନାୟକ ପ୍ରଶ୍ନ କହିଛନ୍ତି। ଏହା ବିଜେଡିର ମାସିକ ଘୋଟାଲା କାର୍ଯ୍ୟକ୍ରମ ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।

କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ୱାନ୍ ନେସନ-ୱାନ ରାସନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ମାଲକାନାଗିରି ଜିଲ୍ଲାରେ ଭିଟାମିନ ଯୁକ୍ତ ଚାଉଳ ସଂଗ୍ରହ ଦ୍ବାରା ପୁଷ୍ଟିହୀନତା ଦୂର ହେବ ବୋଲି କହିଛନ୍ତି। ମାତ୍ର ଏହା ଏକ କେନ୍ଦ୍ର ସରକାରଙ୍କ ଯୋଜନା। ଦେଶର ୧୫ଟି ରାଜ୍ୟର ୧୫ଟି ଦୁର୍ବଳ ଜିଲ୍ଲାରେ ଏହି ପ୍ରକଳ୍ପକୁ ୨୦୧୯-୨୦ରେ ଆରମ୍ଭ କରାଯାଇଛି। ହେଲେ ୨ବର୍ଷ ବିଳମ୍ବରେ କାହିଁକି ରାଜ୍ୟରେ ଏହାକୁ ଆରମ୍ଭ କରାଗଲା। ପଞ୍ଚାୟତ ଓ ପୌର ନିର୍ବାଚନକୁ ଆଖିରେ ରଖି ନବୀନ ବାବୁ ଭିଟାମିନ ଚାଉଳ ଯୋଜନାକୁ ଚାପି ଦେଇଛନ୍ତି। ଏହାସହ ଦେଶର ପ୍ରତ୍ୟେକ ରାଜ୍ୟ ବର୍ଷୱାରୀ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଥିବା ଅଯୋଗ୍ୟ ହିତାଧିକାରୀଙ୍କ ଚିଠା ଅପଡେଟ୍‌ କରୁଛନ୍ତି। ମାତ୍ର ରାଜ୍ୟ ସରକାର କେନ୍ଦ୍ରର ତାଗିଦା ସତ୍ବେ ଏହାକୁ ଅପଡେଟ୍‌ କରୁ ନାହାନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରା, ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର