ଭୁବନେଶ୍ବର : ରାଜ୍ୟର ୪ଟି ପ୍ରମୁଖ ନଦୀର ବନ୍ୟା ନିୟନ୍ତ୍ରଣ ପାଇଁ ଗତ ୧୦ବର୍ଷରେ ୩୦୦୧.୦୬୭ କୋଟି ଟଙ୍କା ଖର୍ଚ କରାଯାଇଛି। ଯାହାଫଳରେ ବନ୍ୟା କ୍ଷୟକ୍ଷତି ବହୁତ ମାତ୍ରାରେ ହ୍ରାସ ପାଇଥିବା ସୂଚନା ଦେଇଛନ୍ତି ଜଳସଂପଦ ମନ୍ତ୍ରୀ ଟୁକୁନି ସାହୁ। ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀମତୀ ସାହୁ କହିଛନ୍ତି ଯେ ମହାନଦୀ, ସୁବର୍ଣ୍ଣରେଖା, ବ୍ରାହ୍ମଣୀ ଓ ବୈତରଣୀ ନଦୀରେ ବନ୍ୟା ନିୟନ୍ତ୍ରଣ ପାଇଁ ବର୍ତମାନସୁଦ୍ଧା କୌଣସି ସମନ୍ବିତ ଯୋଜନା କରାଯାଇ ନାହିଁ। ମାତ୍ର ବନ୍ୟା ନିୟନ୍ତ୍ରଣ ପାଇଁ ନଦୀର ଉଭୟ ପାର୍ଶ୍ବସ୍ଥ ବନ୍ୟାପ୍ରବଣ ଅଞ୍ଚଳଗୁଡ଼ିକୁ ନିରାପଦ ରଖାଯିବା ପାଇଁ ପ୍ରତିବର୍ଷ ପୁନରୁଦ୍ଧାର ଓ ସୁରକ୍ଷା କାମ ହାତକୁ ନିଆଯାଇ ପ୍ରତିଷେଧକ ବ୍ୟବସ୍ଥା କରାଯାଇଛି।
ନାବାର୍ଡ ଅର୍ଥରେ ୪୧୯ଟି ବନ୍ୟା ନିୟନ୍ତ୍ରଣ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି
ଭୁବନେଶ୍ବର : ନାବାର୍ଡ ଅର୍ଥ ସହାୟତାରେ ୪୧୯ଟି ବନ୍ୟା ନିୟନ୍ତ୍ରଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ଏହାସହ ବୃହତ, ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମାଧ୍ୟମରେ କେନାଲ ଯୋଗେ ପ୍ରାୟ ୨୨,୪୬,୫୧୦ ହେକ୍ଟର ଚାଷ ଜମିରେ ସେଚ ସାମର୍ଥ୍ୟ ସୃଷ୍ଟି କରାଯାଇଛି।
ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଜଳସଂପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ୨୦୦୦/୦୨ବର୍ଷରେ ଜଳସଂପଦ ବିଭାଗର ବ୍ୟୟ ଅଟକଳ ୭୩୨.୬୭ କୋଟି ଥିବା ବେଳେ ୫୦୨.୦୫ କୋଟି ଖର୍ଚ ହୋଇଛି। ୨୦୨୧/୨୨ବର୍ଷରେ ବ୍ୟୟ ଅଟକଳ ମୂଲ୍ୟ ୭୨୨୭,୯୭ କୋଟି ରହିଛି। ୮୦.୨୩ ପ୍ରତିଶତ ବା ୫୭୯୯,୭୦ କୋଟି ଖର୍ଚ କରାଯାଇଛି।