ଭକ୍ତ ରଥ ନ ଚଢ଼ିବା ଯୋଗୁ ହେଉଥିବା କ୍ଷତି ପାଇଁ ସେବାୟତ ନେବେ ୫୭ ଲକ୍ଷ ଟଙ୍କା
ଦରମା ବାବଦରେ ଖର୍ଚ୍ଚ ହେବ ୨୫.୭୧ କୋଟି
ନୀତିକାନ୍ତିରେ ଖର୍ଚ୍ଚ ହେବ ୨.୧୨ କୋଟି
ପୁରୀ : ରାଜ୍ୟ ଆଇନ ବିଭାଗ ଶ୍ରୀମନ୍ଦିର ପ୍ରଶାସନକୁ ୩୨ କୋଟି ଟଙ୍କା ପ୍ରଦାନ କରିଛି। ୨୦୨୨-୨୩ ଆର୍ଥିକ ବଜେଟ୍ ପାଇଁ ଏହି ଅର୍ଥ ଅନୁମୋଦନ କରଯାଇଛି। ଯେଉଁଥିରେ ରଥଯାତ୍ରା ସହ ଅନ୍ୟାନ୍ୟ ପର୍ବପର୍ବାଣୀର ନୀତିକାନ୍ତି ସହ ଅନ୍ୟାନ୍ୟ ଖର୍ଚ୍ଚ ରହିଛି। ବଡ଼କଥା ହେଉଛି, ଏହି ଅର୍ଥରୁ ସେବାୟତଙ୍କୁ ୫୭ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଭକ୍ତମାନେ ରଥରେ ନ ଚଢ଼ିବା ପାଇଁ ସେବାୟତଙ୍କୁ କ୍ଷତିପୂରଣ ବାବଦ ଏହି ସହାୟତା ରାଶି ପ୍ରଦାନ କରାଯିବ। ଆଇନ ବିଭାଗ ଏ ସମ୍ପର୍କରେ ଏଜିଙ୍କୁ ଚିଠି କରି ଅବଗତ କରିଛି।
ମିଳିଥିବା ସୂଚନା ମୁତାବକ, ଆଇନ ବିଭାଗ ୩୨ କୋଟି ୫ ଲକ୍ଷ ୧୨ହଜାର ଟଙ୍କାର ଅନୁଦାନ ଶ୍ରୀମନ୍ଦିର ପ୍ରଶାସନ ଆକାଉଣ୍ଟରେ ଜମା ଦେଇଥିବା ଏଜିଙ୍କୁ ଅବଗତ କରିଛି। ଯେଉଁଥିରୁ ୫୭.୬ ଲକ୍ଷ ଟଙ୍କା ସେବାୟତଙ୍କୁ ପ୍ରଦାନ କରାଯିବ। ଭକ୍ତମାନେ ରଥ ନ ଚଢ଼ିଲେ ସେବାୟତମାନଙ୍କର ହେଉଥିବା କ୍ଷତିଭରଣା ପାଇଁ ଏହି ଟଙ୍କା ପ୍ରଦାନ କରାଯିବ। ୨୦୧୫ ମସିହାରୁ ରଥରେ ଭକ୍ତଙ୍କ ରଥ ଚଢ଼ିବାରେ କଟକଣା ଲଗାଯିବା ପରଠାରୁ ଏହି ସହାୟତା ରାଶି ପ୍ରଦାନ କରାଯାଇ ଆସୁଛି। ସେହିଭଳି ଗଜପତି ମହାରାଜଙ୍କୁ ୨ଲକ୍ଷ ୪୦ହଜାର ଟଙ୍କା, କୋଠଭୋଗ ପାଇଁ ୨୨ ଲକ୍ଷ ଟଙ୍କା, ମହାପ୍ରଭୁଙ୍କ ପର୍ବପର୍ବାଣୀ ପାଇଁ ୨କୋଟି ୧୨ଲକ୍ଷ ୯୬ହଜାର ଟଙ୍କା, ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କ ଦରମା ବାବଦକୁ ୨୫କୋଟି ୭୧ଲକ୍ଷ ୭୬ହଜାର ଟଙ୍କା, କର୍ପସ ପାଣ୍ଠି ବାବଦକୁ ୨ କୋଟି ଟଙ୍କା, ଉନ୍ନୟନ କାର୍ଯ୍ୟ ବାବଦକୁ ୨୦ ଲକ୍ଷ ଟଙ୍କା, ସେବାୟତଙ୍କ ସ୍ବାସ୍ଥ୍ୟବୀମା ପାଇଁ ୨୦ ଲକ୍ଷ ଟଙ୍କା, ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସ୍ଥାପନ ପାଇଁ ୬ ଲକ୍ଷ ଟଙ୍କା, ସେବାୟତ ଗୃହ ଯୋଜନା ପାଇଁ ୪ ଲକ୍ଷ ଟଙ୍କା, ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ୧୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ଆଇନ ବିଭାଗ ଦର୍ଶାଇଛି। କିନ୍ତୁ ଅଦ୍ୟାବଧି ଏହି ଟଙ୍କା ଓ ଏ ସମ୍ପର୍କିତ ଚିଠି ଶ୍ରୀମନ୍ଦିର ପ୍ରଶାସନ ପାଇନଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି। ଶ୍ରୀ ଜେନା କହିଛନ୍ତି, ଯଦି କୌଣସି ଟଙ୍କା ଆଇନ ବିଭାଗରୁ ଆସେ, ତେବେ ଟ୍ରେଜେରି ଜରିଆରେ ଉଠାଇବାକୁ ପଡ଼େ। ଯଦି ସେଭଳି କିଛି ଚିଠି ଅବା ଟଙ୍କା ଆସିଥିବ, ବୋଧ ହୁଏ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପହଞ୍ଚିନଥିବ, ପହଞ୍ଚିବା ପରେ କିଛି କହିପାରିବୁ ବୋଲି ଶ୍ରୀ ଜେନା କହିଛନ୍ତି।
/sambad/media/post_attachments/wp-content/uploads/2021/08/srimandir-puri1-bk-300x181.jpg)
ସୂଚନାଯୋଗ୍ୟ, ଶ୍ରୀମନ୍ଦିର ପାଇଁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨୪୮.୫୧ କୋଟିର ବଜେଟ୍ ପ୍ରସ୍ତୁତ ହୋଇଛି। ଆୟ ତୁଳନାରେ ବ୍ୟୟ ପରିମାଣ ଦେଖିଲେ ଚଳିତ ବର୍ଷ ୪୨.୭୪ କୋଟିର ବଳକା ବଜେଟ୍ ପ୍ରସ୍ତୁତ ହୋଇଛି। ରାଜସ୍ବ ଆୟ ୧୩୬.୭୬ କୋଟି ଲକ୍ଷ୍ୟ ରଖାଯାଇଥିବାବେଳେ ପୁଞ୍ଜି ଆୟ ୧୧୧.୭୫ କୋଟି ଲକ୍ଷ୍ୟ ରଖାଯାଇଛି। ସେହିଭଳି ବ୍ୟୟ ଉପରେ ନଜର ପକାଇଲେ, ରାଜସ୍ବ ବ୍ୟୟ ୯୮.୬୩ କୋଟି ଓ ପୁଞ୍ଜି ବ୍ୟୟ ୧୦୭.୧୪ କୋଟି ଲକ୍ଷ୍ୟ ରଖାଯାଇଛି। ସରକାରୀ ଅନୁଦାନରୁ ସର୍ବାଧିକ ୧୦୧.୪୬ କୋଟି ଟଙ୍କା ଆୟ ଲକ୍ଷ୍ୟ ରଖାଯାଇଛି। ସେହିଭଳି ଜମିଜମା କ୍ଷତିପୂରଣ ବାବଦକୁ ୬୦ କୋଟି, କର୍ପସ ପାଣ୍ଠି, ମୂଳ ପାଣ୍ଠି ଓ ଶ୍ରୀମନ୍ଦିର ପାଣ୍ଠିରୁ ୪୦.୭୩ କୋଟି ଆୟ ଲକ୍ଷ୍ୟ ରଖାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ଖଣିରୁ ୧୫ କୋଟି, ହୁଣ୍ଡି ଓ ଅନ୍ୟାନ୍ୟ ଦାନରୁ ୨୧.୬୬ କୋଟି, ଭକ୍ତ ନିବାସ, ହବିଷ୍ୟାଳୀ ଶିବିର, ବଗଲା ଧର୍ମଶାଳାରୁ ୩ କୋଟି, ଅନ୍ୟାନ୍ୟ ବାବଦରୁ ୬.୬୬ କୋଟିର ସର୍ବାଧିକ ଆୟ ଲକ୍ଷ୍ୟ ରଖିଛି।
ରାଜସ୍ବ ବ୍ୟୟ ଉପରେ ନଜର ପକାଇଲେ, ରଥଯାତ୍ରା ଓ ସ୍ନାନଯାତ୍ରାରେ ୧୪.୭୬ କୋଟି, ଦୈନିକ ପାଳିଆ ସେବା ବାବଦକୁ ୨୨.୧୪ କୋଟି, ପିଣ୍ଡିକା, ପାରମାଣିକ ଓ ଭିତରକାଠ ଦର୍ଶନ ବାବଦକୁ ୭ କୋଟି, ନୀତିକାନ୍ତି ପାଇଁ ୭.୬୭ କୋଟି, ପ୍ରଶାସନିକ ବାବଦକୁ ୫.୯୯ କୋଟି, ଦରମା, ପରିମଳ ଓ ଅନ୍ୟାନ୍ୟ ବାବଦକୁ ୨୯.୨୨ କୋଟି, ସେବାୟତ କଲ୍ୟାଣ(ଔଷଧ, ପେନ୍ସନ୍, ମେଧାବୃତ୍ତି ଓ ଅନ୍ୟାନ୍ୟ ସହାୟତା) ବାବଦକୁ ୪.୮୨ କୋଟି, ସେବକ ଆବାସ ଯୋଜନା ବାବଦରେ ୩.୫୦ କୋଟି, ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ପାଇଁ ୫ କୋଟି, ଶ୍ରୀମନ୍ଦିର ଓ ଅନ୍ୟାନ୍ୟ କୋଠାର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ୧୮.୫୪ କୋଟି, ପ୍ରଚାରପ୍ରସାର ବାବଦରେ ୨.୨୬ କୋଟି, ମୂଳ ପାଣ୍ଠି ଜମା ବାବଦକୁ ୧୨.୫୫ କୋଟି, କର୍ପସ ପାଣ୍ଠି ପାଇଁ ୬୮.୪୫ କୋଟି ଓ ଅନ୍ୟାନ୍ୟ ବାବଦକୁ ୭୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/ratha-jatra.jpg)