୭୫ ଲକ୍ଷ କାଳିଆ ହିତାଧିକାରୀଙ୍କ ପାଇଁ ଲୋଡ଼ା ୩୨୩୪ କୋଟି, କୃଷି ଗଣନା ରିପୋର୍ଟ ଚାପି ରଖିଛି ପରିସଂଖ୍ୟାନ ବିଭାଗ

ଭୁବନେଶ୍ବର : ଜଣେ ହେଲେ ବି ଯୋଗ୍ୟ ବ୍ୟକ୍ତି କାଳିଆ ଯୋଜନାରୁ ବାଦ୍‌ ପଡ଼ିବେ ନାହିଁ। ଏହାକୁ ନବୀନ ସରକାରଙ୍କ ଗୁରୁମନ୍ତ୍ର ବିବେଚନା କରାଯାଇ ଚଳିତ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମୋଟ ହିତାଧିକାରୀଙ୍କ ସଂଖ୍ୟା ୭୫ ଲକ୍ଷକୁ ବୃଦ୍ଧି କରାଯାଇଛି। ଏଥିପାଇଁ ଚଳିତ ବର୍ଷ ବଜେଟ୍‌ରେ ୩୨୩୪ କୋଟି ଟଙ୍କା ଆବଶ୍ୟକ ହେବ ବୋଲି ଆକଳନ କରିଛି କୃଷି ବିଭାଗ। ତେବେ ଚାଷୀ ହିତାଧିକାରୀଙ୍କ ସଂଖ୍ୟା ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି।

୨୦୧୫-୧୬ ପାଇଁ ହୋଇଥିବା ୧୦ମ କୃଷି ଗଣନା ରିପୋର୍ଟ(ସର୍ବଶେଷ ସର୍ଭେ) ପ୍ରକାଶ କରାଗଲେ ଅନ୍ତତଃ ପକ୍ଷେ କ୍ଷୁଦ୍ର, ନାମମାତ୍ର, ପ୍ରକୃତ ଚାଷୀ(ଭାଗଚାଷୀ)ଙ୍କ ପରିସଂଖ୍ୟାନ ସ୍ପଷ୍ଟ ହୋଇ ସେ ନେଇ ସୃଷ୍ଟି ହୋଇଥିବା ସନ୍ଦେହ ମୋଚନ ହୋଇପାରନ୍ତା। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଜାତୀୟ ସ୍ତରରେ ଏହି ରିପୋର୍ଟ ପ୍ରକାଶ କରିବାର ଦୀର୍ଘ ୮ ମାସ ପରେ ବି ସେହି ରିପୋର୍ଟକୁ ଚାପି ରଖିଛି ରାଜ୍ୟ ପରିସଂଖ୍ୟାନ ଓ ଅର୍ଥନୈତିକ ନିର୍ଦେଶାଳୟ।

କାଳିଆ ଯୋଜନାରେ ଅତିରିକ୍ତ ହିତାଧିକାରୀଙ୍କୁ ରାଜ୍ୟ ସରକାର ମଞ୍ଜୁରି ପ୍ରଦାନ ନେଇ ଗତକାଲି(ଜୁନ୍‌ ୪ ତାରିଖ) କୃଷି ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ପୂର୍ବରୁ ଅର୍ଥାତ୍‌ ୨୦୧୮-୧୯ରେ ୪୨.୬୬ ଲକ୍ଷ କ୍ଷୁଦ୍ର, ନାମମାତ୍ର, ପ୍ରକୃତ ଚାଷୀ(ଭାଗଚାଷୀ), ଭୂମିହୀନ ଚାଷୀ ପରିବାରଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ୨୦୧୯-୨୦ରେ ସେହି ତାଲିକାରେ ଅତିରିକ୍ତ ୨.୫ ଲକ୍ଷ କ୍ଷୁଦ୍ର, ନାମମାତ୍ର, ପ୍ରକୃତ ଚାଷୀ(ଭାଗଚାଷୀ ସହିତ ୫ ଲକ୍ଷ ଭୂମିହୀନ ଚାଷୀ ପରିବାରଙ୍କୁ ଯୋଡ଼ା ଯାଇଥିଲା।

ନବୀନ ସରକାର ପଞ୍ଚମ ଥର ପାଇଁ କ୍ଷମତାସୀନ ହେବା ପରେ ଗତ ୨୯ ତାରିଖରେ ଅନୁଷ୍ଠିତ ପ୍ରଥମ କ୍ୟାବିନେଟ୍‌ ବୈଠକରେ ଅତିରିକ୍ତ ୩୨.୩୪ ଲକ୍ଷ ହିତାଧିକାରୀଙ୍କୁ କାଳିଆ ଯୋଜନାର ସୁବିଧା ଦେବା ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଥିଲା। ଏହି ତାଲିକାରେ ଅଛନ୍ତି ୭.୫ ଲକ୍ଷ ଓ ୨୪.୮୪ ଲକ୍ଷ କ୍ଷୁଦ୍ର, ନାମମାତ୍ର, ପ୍ରକୃତ ଚାଷୀ(ଭାଗଚାଷୀ), ଭୂମିହୀନ ଚାଷୀ ପରିବାର। ଏହା ଫଳରେ ମୋଟ ହିତାଧିକାରୀ ଚାଷୀଙ୍କ ସଂଖ୍ୟା ୭୫ ଲକ୍ଷକୁ ବୃଦ୍ଧି ପାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ହୋଇଛି। ଏହି ୭୫ ଲକ୍ଷ ହିତାଧିକାରୀଙ୍କ ମଧ୍ୟରେ ୫୦ ଲକ୍ଷ କ୍ଷୁଦ୍ର, ନାମମାତ୍ର, ପ୍ରକୃତ ଚାଷୀ(ଭାଗଚାଷୀ) ଥିବା ବେଳେ ଅବଶିଷ୍ଟ ୨୫ ଲକ୍ଷ ହେଉଛନ୍ତି ଭୂମିହୀନ ଚାଷୀ ପରିବାର।

୧୦ମ କୃଷି ଗଣନା ରିପୋର୍ଟ ଦର୍ଶାଇଛି ଯେ ରାଜ୍ୟରେ ନାମମାତ୍ର ଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଚାଷଜମି ପରିମାଣ କମିବାରେ ଲାଗିଛି। ୨୦୧୦-୧୧ ୯ମ କୃଷି ଗଣନ‌ାରେ ମୋଟ ଚାଷୀଙ୍କ ସଂଖ୍ୟା ଥିଲା ୪୬ ଲକ୍ଷ ୬୭,୪୬୬। ୨୦୧୫-୧୬ରେ ଏହି ସଂଖ୍ୟା ୪୮ ଲକ୍ଷ ୪୫,୮୫୦ କୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ କେବଳ ନାମମାତ୍ର ଚାଷୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ୨୦୧୦-୧୧ରେ ନାମମାତ୍ର ଚାଷୀଙ୍କ ସଂଖ୍ୟା ୩୩.୬୮ ଲକ୍ଷ ଥିବା ବେଳେ ୨୦୧୫-୧୬ରେ ଏହା ୩୬.୩୭ ଲକ୍ଷକୁ ବଢ଼ିଛି। ଅନ୍ୟପକ୍ଷରେ ୨୦୧୦-୧୧ କୃଷି ଗଣନା ରିପୋର୍ଟ ତୁଳନାରେ କ୍ଷୁଦ୍ର ଚାଷୀଙ୍କ ସଂଖ୍ୟା ୮.୮୭ ଲକ୍ଷକୁ, ଅର୍ଧ-ମଧ୍ୟମ ଚାଷୀଙ୍କ ସଂଖ୍ୟା ୨.୮୭ ଲକ୍ଷକୁ, ମଧ୍ୟମ ଚାଷୀଙ୍କ ସଂଖ୍ୟା ୪୯ ହଜାର ଓ ବୃହତ୍‌ ଚାଷୀଙ୍କ ସଂଖ୍ୟା ୪ ହଜାରକୁ ହ୍ରାସ ପାଇଛି। ତେବେ ଏହି ରିପୋର୍ଟରେ ଭୂମିହୀନ କୃଷି ଶ୍ରମିକଙ୍କ ତଥ୍ୟର ଅଭାବ ରହିଛି। ରାଜ୍ୟ ସରକାର ମୋଟାମୋଟି ଚାଷୀ ହିତାଧିକାରୀଙ୍କ ସଂଖ୍ୟା ୫୦ ଲକ୍ଷ ଦର୍ଶାଇଥିବା ବେଳେ ଭୂମିହୀନ କୃଷି ଶ୍ରମିକ ହିତାଧିକାରୀଙ୍କ ସଂଖ୍ୟା ୨୫ ଲକ୍ଷରେ ସୀମିତ ରଖିଛନ୍ତି।

ସମ୍ବନ୍ଧିତ ଖବର