ଜଳ ଜୀବନ ମିସନ୍‌ରେ ଓଡ଼ିଶାକୁ ୩୩୨୩ କୋଟି

ଭୁବନେଶ୍ବର : କେନ୍ଦ୍ର ସରକାର ‘ଜଳ ଜୀବନ ମିସନ୍’ରେ ଓଡ଼ିଶାକୁ ୨୦୨୧-୨୨ ଆର୍ଥିକ ବର୍ଷରେ ୩୩୨୩.୪୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଗତ ଆର୍ଥିକ ବର୍ଷ ଠାରୁ ଏହି ପରିମାଣ ଚାରି ଗୁଣ ଅଧିକ। ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ଯୋଜନାରେ ଓଡ଼ିଶା ୮୧୨ କୋଟି ଟଙ୍କା ପାଇଥିଲା। ୨୦୨୪ ମାର୍ଚ୍ଚ ସୁଦ୍ଧା ଗ୍ରାମାଞ୍ଚଳରେ ସବୁ ପରିବାରକୁ ଟ୍ୟାପ୍ ଯୋଗେ ସ୍ବଚ୍ଛ ପାନୀୟ ଜଳ ଯୋଗାଇବା ପାଇଁ କେନ୍ଦ୍ର ସରକାର ଏହି ଯୋଜନା ପ୍ରଣୟନ କରିଛନ୍ତି।

DTNext

୨୦୧୯ ଅଗଷ୍ଟ ୧୫ ତାରିଖରେ ଜଳ ଜୀବନ ମିସନ୍ ଆରମ୍ଭ କରାଯାଇଥିଲା। ସେହି ସମୟରେ ଓଡ଼ିଶାରେ ଗ୍ରାମାଞ୍ଚଳରେ ମାତ୍ର ୩.୧୦ ଲକ୍ଷ ଅର୍ଥାତ ୩.୬୩% ପରିବାର ଟ୍ୟାପ୍ ଜଳ ପାଉଥିଲେ। ସେବେ ଠାରୁ ବର୍ତ୍ତମାନ ସୁଦ୍ଧା ୨୨.୮୪ ଲକ୍ଷ ପରିବାର ନିକଟରେ ଟ୍ୟାପ୍ ଜଳ ସଂଯୋଗ ପହଞ୍ଚିପାରିଛି। ଫଳରେ ଓଡ଼ିଶାର ମୋଟ୍ ୮୫.୬୬ ଲକ୍ଷ ପରିବାର ମଧ୍ୟରୁ ବର୍ତ୍ତମାନ ୨୫.୯୫ ଲକ୍ଷ ଅର୍ଥାତ ୩୦.୩% ପରିବାର ନିକଟରେ ଟ୍ୟାପ୍ ଜଳ ସଂଯୋଗ ରହିଛି। ଚଳିତ ଆର୍ଥିକ ବର୍ଷରେ ଆଉ ୨୧.୩୧ ଲକ୍ଷ ପରିବାର, ୨୦୨୨-୨୩ ଆର୍ଥିକ ବର୍ଷରେ ୨୨.୫୩ ଲକ୍ଷ ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ଆଉ ୧୮.୮୭ ଲକ୍ଷ ପରିବାରକୁ ଟ୍ୟାପ୍ ଜଳ ସଂଯୋଗ ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାରେ ଏହି କେନ୍ଦ୍ରୀୟ ଯୋଜନାକୁ ପଞ୍ଚାୟତିରାଜ ବିଭାଗ କାର୍ଯ୍ୟକାରୀ କରାଉଛି।

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଏକ ପତ୍ରରେ ଦର୍ଶାଇଛନ୍ତି ଯେ ରାଜ୍ୟର ସବୁ ଜିଲ୍ଲାରେ ଟ୍ୟାପ୍ ସଂଯୋଗ କାମ ତୁରନ୍ତ ଆରମ୍ଭ କରାଯିବା ଉଚିତ। ଏହା ଫଳରେ ୨୦୨୪ ମାର୍ଚ୍ଚ ସୁଦ୍ଧା ପ୍ରତ୍ୟେକ ପରିବାର ନିକଟରେ ସ୍ବଚ୍ଛ ପାନୀୟ ଜଳ ପହଞ୍ଚିପାରିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନା କାର୍ଯ୍ୟକାରୀ କରିବା ନିମନ୍ତେ କେନ୍ଦ୍ରୀୟ ଆବଣ୍ଟନକୁ ଚାରି ଗୁଣା ବଢ଼ାଯାଇଛି। ବର୍ତ୍ତମାନ ରାଜ୍ୟ ଉପରେ ୧୦.୯୩ କୋଟି ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ି ରହିଛି। ରାଜ୍ୟର ଭାଗ ୩,୨୫୩ କୋଟି ଟଙ୍କାକୁ ମିଶାଇଲେ ୨୦୨୧-୨୨ରେ ରାଜ୍ୟ ନିକଟରେ ଜଳ ଯୋଗାଣ କାର୍ଯ୍ୟ ନିମନ୍ତେ ୬,୫୯୬ କୋଟି ଟଙ୍କାର ପାଣ୍ଠି ଉପଲବ୍ଧ ଅଛି।

ସମ୍ବନ୍ଧିତ ଖବର