କୋଭିଡ୍ ମହାମାରୀ ମୁକାବିଲା ଲାଗି ଓଡ଼ିଶାକୁ ଆଗୁଆ ୩୩୪ କୋଟି

୨୫ ରାଜ୍ୟକୁ କେନ୍ଦ୍ର ସରକାର ଦେଲେ ୮୯୨୩ କୋଟି
ପଞ୍ଚଦଶ ଅର୍ଥ କମିସନଙ୍କ ସୁପାରିସ ଆଧାରରେ ଦିଆଯାଇଛି
ପ୍ରଥମ କିସ୍ତି ବାବଦରେ ଅର୍ଥ ମଞ୍ଜୁର କଲେ ମନ୍ତ୍ରାଳୟ
କେନ୍ଦ୍ରୀୟ ଅର୍ଥକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

ଭୁବନେଶ୍ବର/ ନୂଆଦିଲ୍ଲୀ : କୋଭିଡ୍ ମହାମାରୀ ମୁକାବିଲା ଲାଗି ଗ୍ରାମୀଣ ସ୍ଥାନୀୟ ସଂସ୍ଥା ପାଇଁ କେନ୍ଦ୍ର ସରକାର ୨୫ଟି ରାଜ୍ୟକୁ ୮ ହଜାର ୯୨୩ କୋଟି ଟଙ୍କାର ପ୍ରଦାନ କରିଛନ୍ତି। ଓଡ଼ିଶାକୁ ଏଥିରୁ ୩୩୩କୋଟି ୮୦ଲକ୍ଷ ଟଙ୍କା ମିଳିବ। ଶନିବାର ଦିନ ମଞ୍ଜୁର କରାଯାଇଥିବା ଏହି ଅର୍ଥ ଅର୍ଥ ପଞ୍ଚଦଶ ଅର୍ଥ କମିସନଙ୍କ ସୁପାରିସ ଆଧାରରେ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ପ୍ରଥମ କିସ୍ତି ବାବଦରେ ଦିଆଯାଇଛି। ଏହା ଗ୍ରାମ, ବ୍ଲକ ଓ ଜିଲ୍ଲାସ୍ତରରେ ଖର୍ଚ୍ଚ କରାଯିବ। ବିଶେଷକରି କରୋନା ମହାମାରୀ ମୁକାବିଲା ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ପ୍ରତିରୋଧ ଏବଂ କ୍ଷତିକାରକ ପଦକ୍ଷେପ ଲାଗି ଗ୍ରାମୀଣ ସ୍ଥାନୀୟ ସଂସ୍ଥା ଏହି ଅର୍ଥ ଖର୍ଚ୍ଚ କରିପାରିବେ।

କେନ୍ଦ୍ର ସରକାର ଏହି ଅର୍ଥରୁ ସର୍ବାଧିକ ୧୪୪୧ କୋଟି ୬୦ଲକ୍ଷ ଟଙ୍କା ଉତ୍ତରପ୍ରଦେଶକୁ ଦେଇଛନ୍ତି।

ଉଲ୍ଲେଖଥାଉକି, ପଞ୍ଚଦଶ ଅର୍ଥ କମିସନଙ୍କ ସୁପାରିସ ଅନୁସାରେ, ୨୦୨୧-୨୨ ବର୍ଷ ପାଇଁ ସଂଯୁକ୍ତ ଅନୁଦାନର ପ୍ରଥମ କିସ୍ତି ଜୁନମାସରେ ରାଜ୍ୟମାନଙ୍କୁ ମିଳିବାର ଥିଲା। ଦେଶରେ କରୋନା ମହାମାରୀ ସ୍ଥିତିକୁ ବିଚାରକୁ ନେଇ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ସାଧାରଣ କାର୍ଯ୍ୟସୂଚୀ ପୂର୍ବରୁ ଏହି ଅର୍ଥ ପ୍ରଦାନ କରିଥିବା ସୂଚନା ମିଳିଛି। ଏପଟେ ରାଜ୍ୟ ସରକାରଙ୍କର ଜଣେ ଅର୍ଥ ବିଭାଗର ଜଣେ ଅଧିକାରୀଙ୍କ କହିବା କଥା, ମେ’ ମାସରେ ଓଡ଼ିଶାକୁ ଏହି ଅର୍ଥ ମିଳିବାର ଥିଲା। ଏଯାଏ ଆସିନାହିଁ। ଯଦି କେନ୍ଦ୍ର ସରକାର ମଞ୍ଜୁର କରିଥିବେ, ତେବେ ସୋମବାର ଦିନ ଏହା ଜଣାପଡ଼ିବ।

ତେବେ କେନ୍ଦ୍ର ସରକାରଙ୍କ ଏହି ଅର୍ଥକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି। ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ମୋଦୀ ସରକାର ପଞ୍ଚାୟତକୁ ୩୩୪ କୋଟି ଟଙ୍କା କୋଭିଡ୍ ପରିଚାଳନା ପାଇଁ ଦେଇଛନ୍ତି। ଆମେ ଦେଖୁଛେ ଯେ ପଞ୍ଚାୟତସ୍ତରରେ ରାଜ୍ୟ ସରକାର କରୋନା ପରିଚାଳନା ପାଇଁ କିଛି ବି ପଦକ୍ଷେପ ନେଇନାହାନ୍ତି। ଏବେ ପ୍ରବାସୀ ଅଧିକ ସଂଖ୍ୟାରେ ଆସିଲେଣି। ତାଙ୍କ ସ୍ବାସ୍ଥ୍ୟ ନିୟନ୍ତ୍ରଣ ଲାଗି ଓ କରୋନାକୁ ନିୟନ୍ତ୍ରଣରେ ରଖିବା ପାଇଁ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲିବା ନିହାତି ଆବଶ୍ୟକ। ଏହି ଅର୍ଥରେ ରାଜ୍ୟ ସରକାର ପଞ୍ଚାୟତରେ ସଙ୍ଗରୋଧ କେନ୍ଦ୍ର, ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଆଦି ତୁରନ୍ତ ଖୋଲନ୍ତୁ। ଗତଥର ଯେଉଁ ଶଯ୍ୟା ଠାରୁ ବାଲ୍‌ତି ମଗ ଆଦି ଥିଲା, ସେସବୁର ବି ସଦୁପଯୋଗ ହେଉ। ଯାହା ଦ୍ବାରା କେନ୍ଦ୍ର ସରକାରଙ୍କ ଅର୍ଥର ସଦୁପଯୋଗ ହୋଇପାରିବ।

ଏପଟେ ଏହାର ଜବାବ ଦେଇଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ କହିଛନ୍ତି, କେନ୍ଦ୍ର ସରକାରଙ୍କର ଏବେ ରାଜ୍ୟମାନଙ୍କ କଥା ମନେ ପଡ଼ିଲା। ଯଦି କେନ୍ଦ୍ର ସରକାର ଦେଇଥିବା ୩୩୩ କୋଟିକୁ ୩୦ଟି ଜିଲ୍ଲା ମଧ୍ୟରେ ବାଣ୍ଟିଦିଆଯିବ, ତେବେ ହାରାହାରି ୧୦ କୋଟି ଟଙ୍କା ଗୋଟିଏ ଗୋଟିଏ ଜିଲ୍ଲା ପାଇଁ ଆସୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ହେଉ କିମ୍ବା ଅନ୍ୟ କୌଣସି ସୂତ୍ରରୁ ଅଧିକାଂଶ ଜିଲ୍ଲାକୁ ଆବଶ୍ୟକ ଅର୍ଥ ଦେଇସାରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରତି ପଞ୍ଚାୟତକୁ ପାଞ୍ଚ ଲକ୍ଷ ଟଙ୍କା ଲେଖାଏଁ ଦେଇଥିଲେ। ଏଭଳି ଏକ ସଙ୍ଗିନ୍ ସମୟରେ କେନ୍ଦ୍ର ସରକାର ବରଂ ଦ୍ବିତୀୟ କିସ୍ତି ଅର୍ଥ ରାଜ୍ୟମାନଙ୍କୁ ତୁରନ୍ତ ପ୍ରଦାନ କରିବା ଦରକାର। ଏହା ଓଡ଼ିଶା ସମେତ ଅନ୍ୟ ରାଜ୍ୟମାନଙ୍କୁ ମଧ୍ୟ ଏହି ସମୟରେ ଅତି ସାହାଯ୍ୟ କରିବ।

ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି କି ଟିକା ଉପରୁ ସମ୍ପୂର୍ଣ୍ଣ ଜିଏସ୍‌ଟି ଛାଡ଼ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି। କେନ୍ଦ୍ର ସରକାର ଏହାକୁ ଗୁରୁତ୍ବର ସହିତ ଗ୍ରହଣ କରି ନିଷ୍ପତ୍ତି ନେବା ସହିତ ଟିକା ଦେବା ବାବଦରେ ଯେଉଁ ଅର୍ଥ ଖର୍ଚ୍ଚ ହେବ, ତାହା ଯଦି କେନ୍ଦ୍ର ସରକାର ବହନ କରିବେ, ତେବେ ସେ ଅର୍ଥରେ ପଞ୍ଚାୟତ ଓ ବ୍ଲକସ୍ତରରେ ସ୍ବାସ୍ଥ୍ୟ ଭିତ୍ତିଭୂମି ବାବଦରେ ଏହା ଖର୍ଚ୍ଚ ହେବ।

ସମ୍ବନ୍ଧିତ ଖବର