ଫୁଲନଖରା/ବାଲିଅନ୍ତା : ଫୁଲନଖରା ନିକଟରୁ ବନ୍ଧୁକ ଦେଖାଇ ୩୫ ଲକ୍ଷ ଟଙ୍କା ଦୁର୍ବୃତ୍ତ ଲୁଟି ନେଇଛନ୍ତି। ଦୁର୍ବୃତ୍ତମାନେ ଏକ ଇନୋଭା ଗାଡ଼ିରେ ଆସିଥିବା ବେଳେ ନିର୍ଦ୍ଦିଷ୍ଟ ଭାବେ କେଉଁ ଆଡ଼କୁ ଯାଇଛନ୍ତି, ପୁଲିସ ସେ ନେଇ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ଆଜି ଅପରାହ୍ନ ପ୍ରାୟ ୫ଟା ବେଳେ ନିଆଳି ଇଣ୍ତିଆନ୍‌ ବ୍ୟାଙ୍କର ଦୁଇ ଜଣ କର୍ମଚାରୀ ଏକ ଭଡ଼ା କାର (ଓଡି ୦୨ ଏବି ୦୯୦୨)ରେ ୩୫ ଲକ୍ଷ ଟଙ୍କା ନେଇ ଭୁବନେଶ୍ବର ସହିଦନଗରସ୍ଥିତ ମୁଖ୍ୟ ଶାଖାକୁ ଜମା କରିବାକୁ ଯାଉଥିଲେ। ଫୁଲନଖରା ଛକ ନିକଟରେ ଡକାୟତମାନେ ବ୍ୟାଙ୍କ କର୍ମଚାରୀ ଦ୍ବୟ ବସିଥିବା କାରକୁ ସାଇଡ୍‌ ମାରି ଅଟକାଇଥିଲେ। ବ୍ୟାଙ୍କ କର୍ମଚାରୀଙ୍କ କାର୍‌ ଅଟକିବା କ୍ଷଣି ଡକାୟତଦଳ ବ୍ୟାଙ୍କ କର୍ମଚାରୀଙ୍କୁ ମାଡ଼ ମାରିବା ସହ ଲୁହାରଡ୍‌ରେ ପିଟି କାରର ଗ୍ଲାସ ଭାଙ୍ଗି ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ଡକାୟତ ବ୍ୟାଙ୍କ କର୍ମଚାରୀଙ୍କ କାର ଭିତରେ ପଶି ଡ୍ରାଇଭର୍‌ଙ୍କ ମୁଣ୍ଡରେ ବନ୍ଧୁକ ଓ ବ୍ୟାଙ୍କ କର୍ମଚାରୀଙ୍କ ବେକରେ ଭୁଜାଲି ଲଗାଇ ଖାରବେଳ ଇଷ୍ଟେଟ ରାସ୍ତା ଦେଇ ପଛପାର୍ଶ୍ବରେ ଥିବା ନିଛାଟିଆ ଶ୍ମଶାନ ପଡ଼ିଆ ଆଡ଼କୁ ନେଇଯାଇଥିଲେ। ସେଠାରେ ବ୍ୟାଙ୍କ କର୍ମଚାରୀଙ୍କୁ ମାଡ଼ମାରି ଟଙ୍କା ଭର୍ତ୍ତି ଆଟାଚ ନେଇ ଚମ୍ପଟ ହୋଇଯାଇଥିଲେ। ସୂଚନା ପାଇ ପାହଳ ଫାଣ୍ଡି ଅଧିକାରୀ, ବାଲିଅନ୍ତା ଥାନା ଅଧିକାରୀ ପ୍ରଦୀପ ରାଉତ ଓ ଜୋନ୍‌ –୪ ଏସିପି ଅମରେନ୍ଦ୍ର ପଣ୍ଡା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଚଳାଇଛନ୍ତି। ପୁଲିସ ଭଡ଼ା ଗାଡ଼ିର ଡ୍ରାଇଭର ଏବ˚ ବ୍ୟାଙ୍କ କର୍ମଚାରୀଙ୍କୁ ନେଇ ପଚରାଉଚରା ଜାରି ରଖିଥିବା ସୂଚନା ମିଳିଛି। ପୁଲିସ କେତେକ ଦୋକାନରେ ଥିବା ସିସି କ୍ୟାମେରା ରେକର୍ଡିଂ ଯାଞ୍ଚ କରିବା ସହ ମୋବାଇଲ୍ ଫୋନ ଟ୍ରାକିଂ ପ୍ରକ୍ରିୟା ଆରମ୍ଭ କରିଛି। କଟକ-ଭୁବନେଶ୍ବର ରାସ୍ତାରେ ଏଭଳି ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।