ବିଇଡି ସାର୍ଟିଫିକେଟ କରେଇ ଦେବାକୁ ୩୫ ହଜାର ଠକେଇ, ଦୁଇ ଭାଇଙ୍କ ନାମରେ ମାମଲା

ବାଉଁଶୁଣୀ : ବୌଦ୍ଧ ଜିଲ୍ଲାରେ ନକଲି ଦକ୍ଷତା ପରୀକ୍ଷା ସାର୍ଟିଫିକେଟ ଦେଇ ଜିଲ୍ଲାର ୪୦ ଜଣ ଗଣ ଶିକ୍ଷକ ଚାକିରିରୁ ବହିଷ୍କୃତ ହୋଇଥିବା ବେଳେ ଆଉ ୯ ଜଣଙ୍କ ନାମରେ ମାମଲା ବିଚାରାଧୀନ ରହିଛି। ପୁଣି ଜିଲ୍ଲାରେ ବିଇଡି ପରୀକ୍ଷା କରାଇ ଦେବାକୁ କହି ଜଣେ ଛାତ୍ରୀଙ୍କଠାରୁ ୩୫ ହଜାର ଠକେଇ ହୋଇଥିବା ଅଭିଯୋଗ ହେବା ପରେ ବାଉଁଶୁଣୀ ପୁଲିସ ଦୁଇଭାଇଙ୍କ ନାମରେ ମାମଲା ରୁଜୁ କରିଛି।

ସୂଚନା ମୁତାବକ ବୌଦ୍ଧ ଥାନା ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ଗ୍ରାମର ଗିରିଧାରୀ ମେହେରଙ୍କ ଝିଅ ହରିପ୍ରିୟା ମେହେରଙ୍କୁ ୨୦୧୭-୧୮ ଶିକ୍ଷାବର୍ଷରେ ବିଇଡି ପରୀକ୍ଷା କରାଇ ଦେବାକୁ କହି ବାଉଁଶୁଣୀ ଗ୍ରାମର ନୀଳାମ୍ବର ସାହୁ ଓ ତାଙ୍କ ଭାଇ ସୁବ୍ରତ ସାହୁ ୩୫ ହଜାର ଟଙ୍କା ନେଇଥିଲେ। ବିଇଡିରେ ପ୍ରବେଶ ହୋଇଯାଇଛି କହି ନୀଳାମ୍ବର ନକଲି ରସିଦ ଓ ପରିଚୟପତ୍ର ହରିପ୍ରିୟାଙ୍କୁ ଯୋଗାଇଦେବା ସହ ପ୍ରଥମ ସେମିଷ୍ଟାର ପରୀକ୍ଷା ପାଇଁ ପ୍ରଶ୍ନପତ୍ର ମଧ୍ୟ ପ୍ରଦାନ କରିଥିଲା। ପ୍ରଥମ ସେମିଷ୍ଟାର ପରୀକ୍ଷା ଫଳ ଆସିବାରେ ବିଳମ୍ବ ହେବାରୁ ଏ ସଂପର୍କରେ ହରିପ୍ରିୟା ଅନୁସନ୍ଧାନ କରିବା ପରେ ପ୍ରଶ୍ନପତ୍ର ଓ ପରୀକ୍ଷା ନକଲି ବୋଲି ଜାଣିବାକୁ ପାଇଥିଲେ। ବିଇଡି ପରୀକ୍ଷା ପାଇଁ ଦେଇଥିବା ଟଙ୍କା ଫେରାଇବୋକୁ ହରିପ୍ରିୟାଙ୍କ ପରିବାର କହିବା ପରେ ନୀଳାମ୍ବର ଓ ତାଙ୍କ ଭାଇ ସମୟ ଗଡ଼ାଇ ଚାଲିଥିଲେ। ତେଣୁ ଗୁରୁବାର ହରିପ୍ରିୟାଙ୍କ ପିତା ଗିରିଧାରୀ ଏ ବିଷୟରେ ବାଉଁଶୁଣୀ ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ପାଇବା ପରେ ବାଉଁଶୁଣୀ ଥାନା ପୁଲିସ ଏକ ମାମଲା ରୁଜୁ କରିବା ସହିତ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏହି ନକଲି ପରୀକ୍ଷା ଘଟଣାର ଚେର ରାଉରକେଲା ପର୍ଯ୍ୟନ୍ତ ଲମ୍ବିଥିବା ବେଳେ ଅଞ୍ଚଳର ଆହୁରି ଅନେକ ଯୁବକ ଯୁବତୀଙ୍କ ଠାରୁ ଏହିଭଳି ଠକେଇର ଶିକାର କରାଯାଇଥିବା ଜଣାପଡ଼ିଛି। ନୀଳାମ୍ବର ଓ ସୁବ୍ରତ ଦୁଇଭାଇ ବିଭିନ୍ନ ୟୁନିଭରସିଟି ଅଧୀନରେ ବିଇଡି କରାଇଦେବାକୁ କହି ଟଙ୍କା ନେବା ସହ କିଛି ଲୋକଙ୍କ ପାଇଁ ସାର୍ଟିଫିକେଟ ମଧ୍ୟ ଯୋଗାଡ କରିଦେଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର