ରାୟଗଡ଼ା: ରାମନାଗୁଡ଼ା ତହସିଲ ବଡଆଚବା ଗ୍ରାମର ଖାତା ନଂ-୧୭୮, ପ୍ଲଟ୍ ନଂ-୧୭। ୧୯.୮ ଏକର ଜମିରେ ଧାନ ଲାଗିଥିବା ଦର୍ଶାଇ ବିକ୍ରି ପାଇଁ ହୋଇଥିଲା ପଞ୍ଜିକରଣ। ସ୍ୟାଟଲାଇଟ୍ ଯାଞ୍ଚରେ ଧାନ ବଦଳରେ ଏହି ପ୍ଲଟରେ ପାମ ଅଏଲ୍ ଫାର୍ମ ଥିବା ଜଣା ପଡିଛି। ପଦ୍ମପୁର ତହସିଲ ଖିଲାପଦର ଗ୍ରାମର ଖାତା ନଂ-୮୫୩, ପ୍ଲଟ୍ ନଂ-୧୬୯/୨୩୩। ୮.୦୧ ଏକର ଏହି ଜମିରେ ରହିଛି ପୋଖରୀ। ପୋଖରୀରେ ପାଣି ଭର୍ତ୍ତି ହୋଇଥିବା ବେଳେ ଧାନ ଲାଗିଥିବା ଦର୍ଶାଇ ବିକ୍ରି ପାଇଁ କରାଯାଇଛି ପଞ୍ଜିକରଣ। ଭାତ ହାଣ୍ଡିରୁ ଗୋଟିଏ ଚିପିଲା ଭଳି ଖରିଫ୍ ଧାନ ବିକ୍ରି ପଞ୍ଜିକରଣରେ ଏଭଳି ମହାଘୋଟଲା ସାମନାକୁ ଆସିଛି ରାୟଗଡ଼ା ଜିଲ୍ଲାରେ।

Advertisment

ଖରିଫ୍ ମଣ୍ଡି କାର୍ଯ୍ୟକାରୀ ପୂର୍ବରୁ ଧାନ ବିକ୍ରି ପଞ୍ଜିକରଣରେ ବଡ଼ ଧରଣର କେଳେଙ୍କାରୀକୁ ଧରିଛି ଯୋଗାଣ ବିଭାଗ।  ଜିଲ୍ଲାରେ ଚଳିତ ବର୍ଷ ଧାନ ବିକ୍ରି ପାଇଁ ୨୦ ହଜାର ୪୮୪ ଚାଷୀ ପଞ୍ଜିକରଣ କରିଛନ୍ତି। ପଞ୍ଜିକରଣ ହୋଇଥିବା ୧୭ ହଜାର ୫୧୨ ପ୍ଲଟରେ ଧାନ ଚାଷ ହୋଇନଥିବା ସନ୍ଦେହ କରି ସ୍ୟାଟଲାଇଟ୍ ଯାଞ୍ଚ କରିଥିଲା ବିଭାଗ। ସେଥି ମଧ୍ୟରୁ ଆଜି ସୁଦ୍ଧା ୧୧ ହଜାର ୧୧୨ ପ୍ଲଟର ଯାଞ୍ଚ ସରିଥିବା ବେଳେ ଯାଞ୍ଚ ପ୍ଲଟ୍ ମଧ୍ୟରୁ ମାତ୍ର ୧୬୨୫ ପ୍ଲଟରେ ହିଁ ଧାନ ଚାଷ ହୋଇଛି। ବଳକା ୯ ହଜାର ୪୮୭ ପ୍ଲଟରେ ଧାନ ବଦଳରେ ଅନ୍ୟ ଫସଲ ଏବଂ ଅଧିକାଂଶ ପଡ଼ିଆ ଜମି ଥିବା ଯାଞ୍ଚରୁ ସ୍ପଷ୍ଟ ହୋଇଛି। ଆହୁରି ୬ ହଜାର ୪୧୨ ପ୍ଲଟ‌ର ସ୍ୟାଟଲାଇଟ୍ ଯାଞ୍ଚ ବାକିଥିବାରୁ ମିଛ ପ୍ଲଟ୍ ଓ ପଞ୍ଜିକରଣ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ମିଛ ପଞ୍ଜିକରଣ ତାଲିକାରେ ପାମ ଅଏଲ୍ ଫାର୍ମ, ପୋଖରୀକୁ ଛାଡ଼ିଲେ କୋଲନରା ତହସିଲର ପିଣ୍ଡାପଦର ଗ୍ରାମର ୨ ଏକର ଜମିରେ ନୀଳଗିରି, ପଦ୍ମପୁର ତହସିଲ କନ୍ଦାକୁଟିର ୪.୬୪ ଏକରରେ କାଜୁ, ଡେରିଗାଁର ୭.୪୩ ଏକରରେ କପା ଲାଗିଛି।

ଜିଲ୍ଲାର ୧୪ ଲ୍ୟାମ୍ପସ, ଏମପିସିଏସ୍ ଅଧୀନରେ ଚାଷୀ ୮୮୭୪୬.୨୬୮ମେଟ୍ରିକ ଟନ୍ ଖରିଫ୍ ଧାନ ବିକ୍ରି କରିବା ପାଇଁ ପଞ୍ଜିକରଣ କରିଛନ୍ତି। ସାଧାରଣ ଧାନ ପାଇଁ କ୍ବିଣ୍ଟାଲ୍ ପିଛା ସରକାର ଏମଏସପି ବାବଦକୁ ୨୦୪୦ ଟଙ୍କା, ଗ୍ରେଡ୍ ଏ ପାଇଁ ୨୦୬୦ ଟଙ୍କା ଧାର୍ଯ୍ୟ କରିଛନ୍ତି। ଜଳସେଚିତ ଜମିରୁ ଏକର ପିଛା ୧୯ କ୍ବିଣ୍ଟାଲ୍, ଅଣଜଳସେଚିତ ଜମିରୁ ଏକର ପିଛା ୧୩ କ୍ବିଣ୍ଟାଲ୍ ଧାନ କିଣିବାକୁ ସରକାର ନିୟମ କରିଛନ୍ତି। ଧାର୍ଯ୍ୟ ଲକ୍ଷ୍ୟ ବାହାରେ ବଳକା ଧାନକୁ ମିଛ ପଞ୍ଜିକରଣ ଜରିଆରେ ଲ୍ୟାମ୍ପସରେ ବିକ୍ରି କରି ସରକାରୀ ସହାୟତା ରାଶି ହଡ଼ପ ଉଦ୍ୟମ ହୋଇଛି। ଜିଲ୍ଲାରେ ସନ୍ଦେହରେ ଥିବା ୧୭୫୧୨ ପ୍ଲଟ୍ ମଧ୍ୟରୁ ରାମନାଗୁଡ଼ା ଲ୍ୟାମ୍ପସ ଅଧୀନରେ ସର୍ବାଧିକ ୩୫୯୦ ପ୍ଲଟ୍ ରହିଛି। ସେହିପରି କଲ୍ୟାଣସିଂହପୁର ଲ୍ୟାମ୍ପସର ୩୪୩୧ ପ୍ଲଟ୍, ଗୁଣପୁର ଲ୍ୟାମ୍ପସର ୨୬୩୫, କୋଲନରା ଲ୍ୟାମ୍ପସର ୧୫୬୯, ବିଷମକଟକ ଲ୍ୟାମ୍ପସର ୧୪୨୬, ପଦ୍ମପୁର ଲ୍ୟାମ୍ପସର ୧୨୬୮, ଗୁଡାରି ଲ୍ୟାମ୍ପସର ୧୦୮୬, ରାୟଗଡ଼ା ଲ୍ୟାମ୍ପସର ୭୬୩, ରାୟଗଡ଼ା ଏମପିସିଏସର ୪୪୧, ଅମ୍ବାଦଳା ଲ୍ୟାମ୍ପସର ୩୮୨, କାଶୀପୁର ଲ୍ୟାମ୍ପସର ୩୫୮, ମୁନିଗୁଡ଼ା ଲ୍ୟାମ୍ପସର ୨୮୭, ଟିକିରି ଲ୍ୟାମ୍ପସର ୧୩୯, ଚନ୍ଦ୍ରପୁରର ୧୩୭ ପ୍ଲଟର ସ୍ୟାଟଲାଇଟ୍ ଯାଞ୍ଚ ଚାଲିଛି। ବିଶ୍ବସ୍ତ ସୂଚନାନୁଯାୟୀ, ପାଖାପାଖି ୧ ଲକ୍ଷ ୧୧ ହଜାର ୯୬୦ ଏକର ଜମିର ଧାନ ବିକ୍ରି ପାଇଁ ନକଲି ପଞ୍ଜିକରଣ ହୋଇଛି। ଏହି ଜମିରୁ ଉତ୍ପାଦିତ ହେବାକୁ ଥିବା ୧ ଲକ୍ଷ ୮୨ ହଜାର ୭୬୭ ମେଟ୍ରିକ୍ ଟନ୍ ଧାନ ବିକ୍ରି ବାବଦକୁ ୩୭୨.୮୪ କୋଟି ଟଙ୍କା ହରିଲୁଟ୍ ହୋଇଥାନ୍ତା। ଯାହାକୁ ମଣ୍ଡି ପୂର୍ବରୁ ସ୍ୟାଟଲାଇଟ୍ ଯାଞ୍ଚ ମାଧ୍ୟମରେ ଧରିଛି ଯୋଗାଣ ବିଭାଗ।