ଠକଙ୍କ ନୂଆ ତରିକା: ବିଦ୍ୟୁତ ବିଲ କାଟ କହି ଠକି ନେଲେ ୩୮ହଜ଼ାର ଟଙ୍କା

କୋରାପୁଟ: ବିଦ୍ୟୁତ୍ ବିଲ ବାକି ଅଛି । ସନ୍ଧ୍ୟା ସୁଦ୍ଧା ବକେୟା ବିଲ ପଇଠ ନ କଲେ ରାତିରେ ବିଦ୍ୟୁତ ସଂଯୋଗକୁ ବିଚ୍ଛିନ୍ନ କରିଦିଆଯିବ। ଏମିତି ଧମକପୂର୍ଣ୍ଣ ମେସେଜ ଗତ କିଛିଦିନ ଧରି ଇ-ମେଲ ଓ ହ୍ବାଟ୍‌ସଆପ୍‌ରେ ଅନେକଙ୍କ ପାଖକୁ ଆସିବାରେ ଲାଗିଛି । କିନ୍ତୁ କାର୍ଯ୍ୟ ବ୍ୟସ୍ତତା ଓ ନିଜେ କାର୍ଯ୍ୟ କରୁଥିବା କାର୍ଯ୍ୟାଳୟ ପ୍ରତି ଆନୁଗତ୍ୟତାର ବ୍ୟସ୍ତତା ମଧ୍ୟରେ ଜଣେ ସରକାରୀ କର୍ମଚାରୀ ସାଇବର ଠକଙ୍କ ଏହି ଚାଲାକ୍ ପୂର୍ଣ୍ଣ ଠକେଇର  ଶିକାର ହୋଇଛନ୍ତି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ  କାର୍ଯ୍ୟ କରୁଥିବା ରାଜେଶ କୁମାର ନାୟକଙ୍କ ଫୋନ୍‌କୁ ଏହିପରି ଏକ ମେସେଜ ଆସିଥିଲା, ଯେଉଁଥିରେ କାର୍ଯ୍ୟାଳୟର  ବକେୟା ବିଦ୍ୟୁତ୍ ଶୁଳ୍କ ପୈଠ ନ କଲେ ରାତି ସୁଦ୍ଧା ବିଜୁଳି କାଟିଦିଆଯିବ ବୋଲି ସୂଚନା ଦିଆଯାଇଥିଲା ।

ବିଦ୍ୟୁତ୍ ସଂଯୋଗ କାଟିଦେଲେ କାର୍ଯ୍ୟାଳୟର ସମସ୍ତ କାମ ବାଧାପ୍ରାପ୍ତ ହେବାର ଆଶଙ୍କା କରି ରାଜେଶ ବିଲ ବାନ୍ଧିବା ପାଇଁ ପ୍ରସ୍ତୁତ ହେଲେ । ମେସେଜରେ ଦିଆଯାଇଥିବା ନମ୍ବରକୁ ଫୋନ୍ କଲେ । ଅପର ପଟୁ ହିନ୍ଦୀ ଭାଷାରେ ନିଜ ଏଟିଏମ୍ କାର୍ଡରୁ ମାତ୍ର ଏକ ଟଙ୍କା ରିଚାର୍ଜ୍ କଲେ ବିଲ ଦେୟର ପ୍ରକ୍ରିୟା ଆରମ୍ଭ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଥିବା ରାଜେଶ ଜଣାଇଛନ୍ତି । ଓଡ଼ିଶାରେ  ଟାଟା କମ୍ପାନି ବିଦ୍ୟୁତ୍  ବିଲ ସଂଗ୍ରହ କରୁଥିବା ଯୋଗୁଁ ତାଙ୍କର କୌଣସି ଅଧିକାରୀ ହିନ୍ଦୀରେ କହୁଥାଇ ପାରନ୍ତି ବୋଲି ଭାବି ନିଜ ଏଟିଏମ କାର୍ଡରୁ ଏକ ଟଙ୍କା କୁହାଯାଇଥିବା ନମ୍ବରକୁ ପଠାଇଥିଲେ ।

ତେବେ ଆଖି ପିଛୁଳାକେ ନିଜ ଆକାଉଣ୍ଟରୁ ସମସ୍ତ ୩୮ ହଜାର ଟଙ୍କା ଗାଏବ ହୋଇଯିବା ପରେ ରାଜେଶ କୋରାପୁଟସ୍ଥିତ ବିଦ୍ୟୁତ୍ କାର୍ଯ୍ୟାଳୟକୁ ଯାଇଥିଲେ । କିନ୍ତୁ ସେଠାରୁ କେହି ତାଙ୍କୁ ଫୋନ୍ କରିନଥିବା ଜାଣିବା ପରେ ଠକେଇର ଶିକାର ହୋଇଥିବା ରାଜେଶ ଜାଣିପାରି ଥିଲେ । ବର୍ତ୍ତମାନ ପୁଲିସ ଥାନାରେ ଅଭିଯୋଗ କରିବାସହ ସାଇବର କ୍ରାଇମ୍ ସେଲ୍‌ର ସହଯୋଗ ମାଗି ଥିବା ରାଜେଶ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର