କ୍ରସର ମାଲିକଙ୍କର ଘର ଆଗରେ ଛିଡ଼ା ହୋଇଥିଲା ବାଇକ୍‌, ଡ଼ିକି ଭାଙ୍ଗି ୪.୪୧ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ସେମିଳିଗୁଡା: ଦିନ ଦ୍ୱି ପ୍ରହରରେ ବାଇକ୍‌ର ଡ଼ିକି ଭାଙ୍ଗି ୪ ଲକ୍ଷ ୪୧ ହଜାର ଟଙ୍କା ଲୁଟ୍‌ ହୋଇଥିବା କେରାପୁଟ ଜିଲ୍ଲା ସେମିଳିଗୁଡ଼ା ଥାନାରେ ଅଭିଯୋଗ ହୋଇଛି। ଆଜି ଦିନ ୧ଟା ସମୟରେ ସେମିଲିଗୁଡା ଥାନା ଅନ୍ତର୍ଗତ ମାଳିମାର୍ଲା ଗ୍ରାମର ସୁରେଶ କଣ୍ଟା, ବିଜୟ ଖିଲ ଓ ରଞ୍ଜିତ ମାଇରା ସେମିଳିଗୁଡା ବ୍ଲକରୁ ଗାଁରେ ହୋଇଥିବା ରାସ୍ତା କାମ ପାଇଁ ସମୁଦାୟ ୪ ଲକ୍ଷ ୪୧ ହଜାର ଟଙ୍କାର ଚେକ ପାଇବା ପରେ ସେମିଳିଗୁଡା ବସଷ୍ଟାଣ୍ଡ ନିକଟରେ ଥିବା ଆକ୍ସିସ ବ୍ୟାଙ୍କ ଶାଖାରୁ ଟଙ୍କା ଉଠାଇ ନିଜ ବାଇକ ଡ଼ିକିରେ ରଖିଥିଲେ । ଏହାପରେ ସେମିଳିଗୁଡା ସହର ଉପକଣ୍ଠ ଦାମନଯୋଡି ଛକ ନିକଟରେ ଥିବା ଜୈନେକ କ୍ରସର ମାଲିକଙ୍କ ଘରକୁ ବାକି ଥିବା ଟଙ୍କା ପରିଶୋଧ କରିବାକୁ ଯାଇଥିଲେ।

ସୁରେଶ କଣ୍ଟା କ୍ରସର ମାଲିକଙ୍କ ଘର ଭିତରକୁ ଯାଇ ହିସାବ ଛିଡାଇବା ପାଇଁ କଥା ହୋଇଥିଲେ। ଏହା ପରେ ସେ ପୁଣି ଗାଡି ନିକଟକୁ ପଇସା ନେବା ପାଇଁ ଆସିଥିଲେ। କିନ୍ତୁ ଏହା ପୂର୍ବରୁ ଗାଡି ଡ଼ିକି ଭଙ୍ଗା ଯାଇଥିବା ଦେଖିଥିଲେ ଏବଂ ସେଥିରେ ଟଙ୍କା ନଥିଲା। ‌ଏନେଇ ସେ  ତୁରନ୍ତ ସେମିଳିଗୁଡା ଥାନାକୁ ଖବର ଦେବାପରେ ସୁନାବେଡା ଏସ୍‌ଡିପିଓ ଶ୍ରୀ ମନୋଜ କୁମାର ବେହରାଙ୍କ ତତ୍ୱାବଧାନରେ ସେମିଳିଗୁଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଥିଲେ  ମଧ୍ୟ ଲୁଟେରାଙ୍କ ର ପତ୍ତା ମିଳିପାରିନାହିଁ।

ତେବେ ଦିନ ଦ୍ୱିପ୍ରହରରେ ପୁଲିସକୁ ଚାଲେଞ୍ଜ ଦେଇ ଚାରି ଲକ୍ଷରୁ ଅଧିକ ଟଙ୍କା ଲୁଟ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। ତେବେ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଚାଲିଛି  ଓ ଲୁଟେରାଙ୍କୁ ଶୀଘ୍ର  କାବୁ କରାଯିବ ବୋଲି ସେମିଳିଗୁଡା ଆଇଆଇସି ପ୍ରଦ୍ୟୁମ୍ନ କୁମାର ମହାପାତ୍ର ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର